/odisha-reporter/media/post_attachments/uploadimage/library/16_9/16_9_0/Virat_1686417676.jpg)
Virat
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ(WTC) ଜିତିବାକୁ ଭାରତକୁ ଶେଷ ଦିନରେ ଦରକାର ୨୮୦ ରନ। ଅଷ୍ଟ୍ରେଲିଆ ମ୍ୟାଚ ଜିତିବା ପାଇଁ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଥିଲା। ଏହାକୁ ପିଛା କରୁଥିବା ଭାରତ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ ୧୬୪ ରନ କରି ନେଇଛି।
ଏବେ ଟାର୍ଗେଟ ଠାରୁ ଦଳ ୨୮୦ ରନ ପଛରେ ରହିଛି। ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବିରାଟ କୋହଲି ୪୪ ରନ ଓ ଅଜିଙ୍କ୍ୟ ରାହାଣେ ୨୦ ରନ କରି ଅପରାଜିତ ରହିଛି। ଏହି ଦୁଇ ଖେଳାଳିଙ୍କ ଉପରେ ଏବେ ଭାରତର ଜିତିବା ଓ ହାରିବା ନିର୍ଭର କରୁଛି। ସେହିପରି ଅଷ୍ଟ୍ରେଲିଆକୁ WTC ଫାଇନାଲ ଜିତିବାକୁ ହେଲେ ଭାରତର ୭ ୱିକେଟ ନେବାକୁ ପଡ଼ିବ।
ଆଜି ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସରେ ୮ ୱିକେଟ ହରାଇ ୨୭୦ ରନ କରିବା ପରେ ପାଳି ଘୋଷଣା କରିଥିଲା। ଟି ଟାଇମର ଠିକ୍ ପୂର୍ବରୁ କଙ୍ଗାରୁ ଟିମ ପାଳି ଘୋଷଣା କରିବାରୁ ଭାରତ ଇନିଂସ ଆରମ୍ଭ କରିଥିଲା। ଟାର୍ଗେଟ ୪୪୪ ଥିବା ବେଳେ ଦଳର ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ ସକାରାତ୍ମକ ଆରମ୍ଭ କରିଥିଲେ।
ଦୁହେଁ କେବଳ ସତର୍କତାର ସହ ବ୍ୟାଟିଂ କରି ନଥିଲେ ବରଂ ଦ୍ରୁତ ଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ। ୭ ଓଭର ସୁଦ୍ଧା ଦଳୀୟ ସ୍କୋର ୪୧ରେ ଥିବା ବେଳେ ଗିଲ (୧୮) ରନ କରି ସ୍କଟ ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଟି ବ୍ରେକ ହୋଇଥିଲା। ୧୫ ମିନିଟର ବ୍ରେକ ପରେ ରୋହିତ ଓ ଚେତେଶ୍ୱର ପୂଜାରା କମାଣ ସମ୍ଭାଳିଥିଲେ।
ଉଭୟ ଦମଦାର ବ୍ୟାଟିଂ କରି ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ। ରୋହିତ ମଧ୍ୟ ଭଲ ଲୟରେ ଥିବା ଜଣାପଡ଼ୁଥିଲା। ତେବେ ଦଳୀୟ ସ୍କୋର ୯୨ ଥିବା ବେଳେ ନାଥନ ଲାୟନଙ୍କୁ ସୁଇପ ମାରିବାକୁ ଯାଇ ରୋହିତ(୪୩) ଆଉଟ ହୋଇଯାଇଥିଲେ। ଗୋଟିଏ ରନ ପରେ ପୂଜାରା(୨୭)ଙ୍କୁ ଆଉଟ କରି ପାଟ କମିନ୍ସ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।
ଦଳ ୯୩ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ପ୍ରଥମ ଇନିଂସରେ ଫେଲ ମାରିଥିବା ବିରାଟ କୋହଲି ଆରମ୍ଭରୁ ହିଁ ଆଟାକିଂ ଶଟ ଖେଳିଥିଲେ। ତାଙ୍କୁ ୧୮ ମାସ ପରେ ଭାରତ ପାଇଁ ଟେଷ୍ଟ ଖେଳୁଥିବା ରାହାଣେ ସାଥ ଦେଇଥିଲେ। ଉଭୟ ଷ୍ଟ୍ରାଇକ ରୋଟ ରେଟ କରିବା ସହ ମଝିରେ ମଝିରେ ମଧ୍ୟ ଚୌକା ମାରୁଥିଲେ।
ଏହି ଭାଗିଦାରୀକୁ ଭାଙ୍ଗିବା ପାଇଁ କମିନ୍ସ ବୋଲିଂ ଏଣ୍ଡରେ ବାରମ୍ବାର ପରିବର୍ତ୍ତନ କରିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ଅବଶ୍ୟ ସ୍ପିନର ନାଥନ ଲାୟନ କିଛି ମାତ୍ରାରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ବିରାଟ ଓ ରାହାଣେ ଏହାକୁ କାଉଣ୍ଟର କରିଥିଲେ। ଏଥିସହ ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ।
ଷ୍ଟମ୍ପ ଅପସାରଣ ବେଳକୁ ଭାରତର ସ୍କୋର ୧୬୪ରେ ପହଞ୍ଚି ଯାଇଛି। ଏବେ ୫ମ ତଥା ଶେଷ ଦିନରେ ଦଳକୁ ୯୦ ଓଭରରେ ୨୮୦ ରନ କରିବାକୁ ପଡ଼ିବ। ବିରାଟ ଓ ରାହାଣେଙ୍କ ମଧ୍ୟରୁ ଜଣଙ୍କୁ ଆସନ୍ତାକାଲି ପୂରା ଦିନ ଖେଳିବାକୁ ପଡ଼ିବ। ନଚେତ ମ୍ୟାଚ୍ର ରେଜଲ୍ଟ ଅଷ୍ଟ୍ରେଲିଆ ସପକ୍ଷରେ ଯିବ ବୋଲି ବିଶେଜ୍ଞମାନେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
