ଲର୍ଡ୍ସରେ ଲୟଡଙ୍କ ରେକର୍ଡ ଭାଙ୍ଗିଲେ ବିରାଟ୍ କୋହଲି

ଲଣ୍ଡନ: ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି। କ୍ୟାପଟେନ୍ ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ମ୍ୟାଚ୍ ଜିତିବାରେ କୋହଲି ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଟିମ୍ ଇଣ୍ଡିଆ ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଆୟୋଜକ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି। ଏହାସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି। ନଟ୍ଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା। ୨୭୨ ରନର ଲକ୍ଷ୍ୟର ପିଛା […]

virat-kohli

Ranjit Kumar Jena
  • Published: Tuesday, 17 August 2021
  • , Updated: 17 August 2021, 05:13 PM IST

ଲଣ୍ଡନ: ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି। କ୍ୟାପଟେନ୍ ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ମ୍ୟାଚ୍ ଜିତିବାରେ କୋହଲି ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଟିମ୍ ଇଣ୍ଡିଆ ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଆୟୋଜକ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି। ଏହାସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି। ନଟ୍ଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା। ୨୭୨ ରନର ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଟିମ୍ ମାତ୍ର ୧୨୦ ରନରେ ଅଲଆଉଟ୍ ହୋଇଯାଇଥିଲା।

କ୍ୟାପଟେନ୍ ଭାବେ କୋହଲିଙ୍କର ଏହା ୩୭ତମ ଟେଷ୍ଟ ବିଜୟ ଥିଲା। ସେ ଏପର୍ଯ୍ୟନ୍ତ ୬୩ ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେଇସାରିଛନ୍ତି। ସେଥିରୁ ୧୫ଟିରେ ତାଙ୍କୁ ପରାଜୟ ମିଳିଥିବା ବେଳେ ୧୧ଟି ଟେଷ୍ଟ ଡ୍ର’ ହୋଇଛି। ଲର୍ଡ୍ସ ବିଜୟ ସହ କୋହଲି ୱେଷ୍ଟଇଣ୍ଡିଜର ମହାନ କ୍ୟାପଟେନ୍ କ୍ଲାଇବ ଲୟଡଙ୍କୁ ପଛରେ ପକାଇ ଦେଇଛନ୍ତି। ଲୟଡ କ୍ୟାପଟେନ୍ ଭାବେ ୭୪ ଟେଷ୍ଟ ମ୍ୟାଚ୍ ଖେଳି ୩୬ଟି ବିଜୟୀ ହୋଇଥିଲେ। ସେହିପରି ଲୟଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍ ୧୧ଟିରେ ହାରିଥିବା ବେଳେ ୨୬ଟି ଡ୍ର’ କରିଥିଲା। କୋହଲି ଭାରତର ସଫଳ କ୍ୟାପଟେନ୍ ରହିଆସିଛନ୍ତି।

ଟେଷ୍ଟରେ ସଫଳ କ୍ୟାପଟେନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ସବୁଠାରୁ ଆଗରେ ଅଛନ୍ତି। ସ୍ମିଥ୍ ୧୦୯ରୁ ୫୩ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛନ୍ତି। ସେ ୨୯ଟିରେ ପରାସ୍ତ ହୋଇଥିବା ବେଳେ ୨୭ଟି ଟେଷ୍ଟ ଡ୍ର’ ରହିଛି। ସେ ମଧ୍ୟ ୫୦ରୁ ଅଧିକ ଟେଷ୍ଟ ମ୍ୟାଚ୍ ଜିତିବାରେ ଦୁନିଆର ଏକମାତ୍ର କ୍ୟାପଟେନ। ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଦ୍ୱିତୀୟ ଓ ଷ୍ଟିଭ୍ ୱ’ ତୃତୀୟ ସ୍ଥାନରେ ଅଛନ୍ତି। ପଣ୍ଟିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୭୭ରୁ ୪୮ଟି ଟେଷ୍ଟ ଜିତିଥିବା ବେଳେ ୧୬ଟିରେ ପରାଜୟ ଓ ୧୩ଟି ଡ୍ର’ ରହିଛି। ସେହିପରି ଷ୍ଟିଭ୍ ୱ’ଙ୍କ ନେତୃତ୍ୱରେ କଙ୍ଗାରୁ ଟିମ୍ ୫୭ଟି ରୁ ୪୧ଟିରେ ଜିତିଥିବା ବେଳେ ୯ଟିରେ ପରାଜୟ ଓ ୭ଟି ମୁକାବିଲା ଡ୍ର’ ରହିଛି।

ଲର୍ଡ୍ସ ମଇଦାନରେ ଭାରତର ଏହା ଓଭରଅଲ୍ ୧୯ ଟେଷ୍ଟରୁ ତୃତୀୟ ବିଜୟ। ଲର୍ଡ୍ସରେ ଭାରତ ୧୨ଟି ଟେଷ୍ଟରେ ପରାସ୍ତ ହୋଇଥିବା ବେଳେ ୪ଟି ମ୍ୟାଚ୍ ଡ୍ର’ ରହିଛି। ପ୍ରଥମଥର ୧୯୮୬ରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ ଏଠାରେ ଟେଷ୍ଟ ମ୍ୟାଚ୍ ଜିତିଥିଲା। ଏହା ପରେ ୨୦୧୪ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ଏହି କାରନାମା କରିଥିଲା।

ଏବେ କୋହଲିଙ୍କ ନଜର ଟେଷ୍ଟ ସିରିଜ୍ ଜିତିବା ଉପରେ ରହିଛି। ପ୍ରଥମ ଟେଷ୍ଟରେ ଭାରତ ବିଜୟର ନିକଟତର ଥିଲା। ଟିମ୍ ୧୪ ବର୍ଷ ହେଲା ଏଠାରେ ସିରିଜ୍ ଜିତିନାହିଁ। ୨୦୧୮ରେ ଶେଷଥର ଲାଗି ଖେଳାଯାଇଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୪ରେ ପରାସ୍ତ ହୋଇଥିଲା। ଟିମ୍ ଶେଷଥର ଲାଗି ଇଂଲଣ୍ଡରେ ରାହୁଲ୍ ଦ୍ରାବିଡଙ୍କ ନେତୃତ୍ୱରେ ୧-୦ରେ ସିରିଜ୍ ଜିତିଥିଲା।

Related story