Advertisment

ବୀରେନ୍ଦ୍ର ସେହୱାଗଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ଧିମା ଓ ଟର୍ଣ୍ଣିଂ ଟ୍ରାକ୍‌ରେ ବିରାଟ ପ୍ରଥମ ଇନିଂସରେ ୪୪ ଓ ଦ୍ୱିତୀୟ ଇନିଂସରେ ୨୦ ରନ କରିଥିଲେ।

author-image
Hemant Lenka
Virat kohli

Virat kohli

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମର ଦର୍ଶକ ଲୋକାଲ ବୟ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ କରିଥିବା ପ୍ରତିଟି ରନ ପାଇଁ ଚିୟର କରିଥିଲେ। ଧିମା ଓ ଟର୍ଣ୍ଣିଂ ଟ୍ରାକ୍‌ରେ ବିରାଟ ପ୍ରଥମ ଇନିଂସରେ ୪୪ ଓ ଦ୍ୱିତୀୟ ଇନିଂସରେ ୨୦ ରନ କରିଥିଲେ। ଏହି ମ୍ୟାଚ୍‌କୁ ମଧ୍ୟ ଭାରତ ଜିତି ବର୍ଡର ଗାଭାସ୍କର ଟ୍ରଫିର ଟେଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ହୋଇଯାଇଛି।

Advertisment

ତେବେ ଏହି ମ୍ୟାଚ୍‌ରେ ଭାରତର ରନ ମେସିନ ବିରାଟ କୋହଲି ପୂର୍ବତନ ବ୍ୟାଟର ବୀରେନ୍ଦ୍ର ସେହୱାଗଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ ବୀରେନ୍ଦ୍ର ସେହୱାଗଙ୍କ ସର୍ବାଧିକ ରନ ହାସଲ ରେକର୍ଡକୁ ବିରାଟ ଅତିକ୍ରମ କରି ଯାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବିରାଟ ବର୍ଡର-ଗାଭାସ୍କର ଟ୍ରଫିରେ ୧୬୯୪ ରନ କରିଥିଲେ। ତାଙ୍କୁ ସେହୱାଗଙ୍କ ୧୭୩୮ ରନ ରେକର୍ଡକୁ ଅତିକ୍ରମ କରିବା ପାଇଁ ୪୪ ରନର ଆବଶ୍ୟକ ରହିଥିଲା।

କିନ୍ତୁ ବିରାଟ ଏହି ଟେଷ୍ଟରେ ୬୪ ରନ(୪୪ ଓ ୨୦) କରିଛନ୍ତି ଓ ସେହୱାଗଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୩୪ ବର୍ଷୀୟ ବିରାଟ ବର୍ଡର-ଗାଭାସ୍କର ଟ୍ରଫିରେ ଏଯାଏ ୨୨ଟି ମ୍ୟାଚ୍‌ ଖେଳି ୧୭୫୮ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୪୬.୨୬ ରହିଥିବା ବେଳେ ସେ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment

ବିଶ୍ୱର ବ୍ୟାଟିଂ ଲିଜେଣ୍ଡ ସଚିନ ତେନ୍ଦୁଲକର ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ରନ ହାସଲକାରୀ ଖେଳାଳିଙ୍କ ତାଲିକାର ୧ନଂ ସ୍ଥାନରେ ରହିଛନ୍ତି। ସେ ୩୪ଟି ମ୍ୟାଚ୍‌ରେ ୩୨୬୨ ରନ କରିଛନ୍ତି। ୫୬.୨୪ ହାରରେ ସଚିନ ରନ ସଂଗ୍ରହ କରିଥିବା ବେଳେ ତାଙ୍କ ନାଁରେ ୯ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ରହିଛି। ଭିଭିଏସ ଲକ୍ଷ୍ମଣ(୨୯ ଟେଷ୍ଟରେ ୨୪୩୪) ଓ ରାହୁଲ ଡ୍ରାଭିଡ(୩୨ ଟେଷ୍ଟରେ ୨୧୩୪) ମଧ୍ୟ ଅନ୍ୟ ଦୁଇ କ୍ରିକେଟର ଭାବେ ବର୍ଡର-ଗାଭାସ୍କର ଟ୍ରଫିରେ ୨ ହଜାରରୁ ଅଧିକ ରନ କରିଛନ୍ତି।

ବିରାଟ ଭାରତର ସର୍ବାଧିକ ଟେଷ୍ଟ ରନ ସ୍କୋରର ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି। ସେ ୧୦୬ ଟେଷ୍ଟ ମ୍ୟାଚ୍‌ରେ ୮୧୯୫ ରନ କରିଛନ୍ତି। ସେହିପରି ବିଶ୍ୱର ଷଷ୍ଠ ଓ ଦ୍ରୁତତମ ବ୍ୟାଟର ଭାବେ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାର ରନ ପୂରଣ କରିଛନ୍ତି।

ବିରାଟଙ୍କ ବ୍ୟତୀତ ସଚିନ ତେନ୍ଦୁଲକର(୬୫୨ ମ୍ୟାଚ୍‌ରେ ୩୪,୩୫୭ ରନ), କୁମାର ସାଙ୍ଗାକାରା(୫୯୪ ମ୍ୟାଚ୍‌ରେ ୨୮,୦୧୬), ମାହେଲା ଜୟବର୍ଦ୍ଧନେ(୬୫୨ ମ୍ୟାଚ୍‌ରେ ୨୫,୯୫୭), ଅଷ୍ଟ୍ରେଲିଆର ରିକି ପଣ୍ଟିଂ(୫୬୦ ମ୍ୟାଚ୍‌ରେ ୨୭,୪୮୩) ଓ ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ(୫୧୯ ମ୍ୟାଚ୍‌ ୨୫,୫୩୪ ରନ) ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାରରୁ ଅଧିକ ରନ କରିଛନ୍ତି।

Indian Cricket Team Virat Kohli Border-Gavaskar Trophy