Gabba
ବ୍ରିସବେନର ଗାବାରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ୪ର୍ଥ ଦିନରେ ଭାରତୀୟ ଟିମ ବେଶ ନାଟକୀୟ ଢଙ୍ଗରେ ଫଲୋଅନ ଏଡ଼ାଇ ଦେଇଛି। ଶେଷ ୱିକେଟ ପାଇଁ ଆକାଶ ଦୀପ ଓ ଯଶପ୍ରୀତ ବୁମ୍ରା ନିଜ ଧୈର୍ଯ୍ୟର ପରୀକ୍ଷା ଦେଇ ଫଲୋଅନ ଏଡ଼ାଇ ପାରିଛନ୍ତି। ଚୌକା ମାରି ଆକାଶ ଦୀପ ଫଲୋଅନ ଏଡ଼ାଇବା କ୍ଷଣୀ ଭାରତୀୟ ଡ୍ରେସିଂ ରୁମରେ ଉତ୍ସାହ ଭରି ଯାଇଥିଲା।
ଡ୍ରେସିଂ ରୁମରେ ମ୍ୟାଚ୍ ଜିତିବା ଭଳି ସେଲିବ୍ରେସନ କରିଥିଲେ ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଷ୍ଟାର ବ୍ୟାଟର ବିରାଟ କୋହଲି। ସେମାନେ ପରସ୍ପରକୁ ହାଇ ଫାଇଭ୍ସ ଦେବା ସହ ଖୁସିରେ ନାଚି ଉଠିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଭାରତକୁ ଫଲୋଅନ ଏଡ଼ାଇବା ପାଇଁ ୨୪୬ ରନ କରିବାର ଥିଲା। ହେଲେ ଦଳ ୨୧୩ ରନରେ ୯ମ ୱିକେଟ ହରାଇଥିଲା। ହେଲେ ଶେଷ ୱିକେଟ ପାଇଁ ବୁମ୍ରା ଓ ଆକାଶ ଦୀପ ଅପରାଜିତ ୩୯ ରନର ଭାଗିଦାରୀ କରି ଭାରତକୁ ନିଶ୍ଚିତ ବିପଦରୁ ଉଦ୍ଧାର କରିଛନ୍ତି। ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ ହରାଇ ୨୫୨ ରନ କରି ନେଇଛି। ଏବେ ଦଳ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୧୯୩ ରନ ପଛରେ ରହିଛି।
ତେବେ ମ୍ୟାଚର ରୋମାଞ୍ଚ ଶେଷ ୱିକେଟରେ ଦେଖିବାକୁ ମିଳିଥିଲା। ବୁମ୍ରା ଓ ଆକାଶ ଦୀପ ଗୋଟିଏ ଲେଖାଏ ରନ କରୁଥିବା ବେଳେ ପୂରା ଷ୍ଟାଡିୟମ ସେମାନଙ୍କ ସପକ୍ଷରେ ତାଳି ମାରୁଥିଲା। ଡ୍ରେସିଂ ରୁମ ଭିତରେ ମଧ୍ୟ ବିରାଟ କୋହଲି ପ୍ରତିଟି ରନକୁ ତାଳି ମାରି ସେଲିବ୍ରେଟ କରୁଥିଲେ। ତାଙ୍କ ପାଖରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ ଗମ୍ଭୀର ଓ ଅନ୍ୟମାନେ ମଧ୍ୟ ରହିଥିଲେ।
ଏସବୁ ଭିତରେ ଯେତେବେଳେ ଚୌକା ମାରି ଆକାଶ ଦୀପ ୨୪୬ ରନ ମାର୍କକୁ ଛୁଇଁଥିଲେ ସେତେବେଳେ ବିରାଟ ଓ ଗମ୍ଭୀର ମ୍ୟାଚ୍ ଜିତିବା ଭଳି ସେଲିବ୍ରେସନ କରିଥିଲେ। ଅନ୍ୟମାନେ ମଧ୍ୟ ବେଶ ଖୁସି ହୋଇ ତାଳି ମାରିଥିଲେ।
ଷ୍ଟମ୍ପ ଅପସାରଣ ପୂର୍ବରୁ ମଧ୍ୟ ଆକାଶ ଦୀପ ବିରାଟ ଛକା ମାରିଥିଲେ। ଏହାକୁ ମଧ୍ୟ ବିରାଟ ବେଶ ଉପଭୋଗ କରିଥିଲେ। କାରଣ କାନପୁର ଟେଷ୍ଟ ବେଳେ ବିରାଟ ଦେଇଥିବା ବ୍ୟାଟରେ ହିଁ ଆକାଶ ଦୀପ ଆଜି ଛକା ମାରିଥିଲେ। ସେହିପରି ଖେଳ ଶେଷ ହେବା ପରେ ବୁମ୍ରା ଓ ଆକାଶ ଦୀପ ଫେରିବା ବେଳେ ବିରାଟ ଉଭୟଙ୍କୁ ସାଲ୍ୟୁଟ ମଧ୍ୟ ମାରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Gabba_1734430094.jpg)