Advertisment

ଲୋକଙ୍କ କଥା ଶୁଣିଲେ ରୋହିତ, ବୋଲିଂ କରି ୱିକେଟ ଦଖଲ କଲେ ବିରାଟ

ବିରାଟଙ୍କ ବ୍ୟତୀତ ଓପନର ଶୁବମନ ଗିଲ ମଧ୍ୟ ଆଜି ବୋଲିଂ କରିଛନ୍ତି। ସେ ୨ ଓଭରରେ ୧୧ ରନ ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Virat

Virat

ଟିମ ଇଣ୍ଡିଆର ଷ୍ଟାର ବିରାଟ କୋହଲି ଆଜି ତାଙ୍କ ଦ୍ୱିତୀୟ ଘର ବେଙ୍ଗାଲୁରୁର ଚିନ୍ନାସ୍ୱାମୀରେ ବୋଲିଂ କରିଛନ୍ତି। ସେ କେବଳ ବୋଲିଂ କରି ନାହାନ୍ତି, ବରଂ ନେଦରଲ୍ୟାଣ୍ଡ୍ସର ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ୱିକେଟ ମଧ୍ୟ ଦଖଲ କରିଛନ୍ତି।

Advertisment

ବିରାଟ ୱିକେଟ ନେବା ପରେ ପୂରା ଚିନ୍ନାସ୍ୱାମୀ ଷ୍ଟାଡିୟମ ଉତ୍ସବ ମନାଇଥିଲା। ଷ୍ଟାଣ୍ଡରେ ବସିଥିବା ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ। ତାଙ୍କୁ ଇଙ୍ଗିତ କରି ବିରାଟ ୱିକେଟର ସେଲିବ୍ରେସନ ମଧ୍ୟ କରିଥିଲେ।

ନେଦରଲ୍ୟାଣ୍ଡ୍ସ ଆଗରେ ଭାରତ ୪୧୧ ରନର ଟାର୍ଗେଟ ରଖିବା ପରେ ଆରମ୍ଭରୁ ଦମଦାର ବୋଲିଂ କରିଥିଲା। ଭାରତର ବୋଲିଂ ଚାଲିଥିବା ବେଳେ ଚିନ୍ନାସ୍ୱାମୀର ଦର୍ଶକ ଏକାସ୍ୱରରେ ବିରାଟଙ୍କୁ ବୋଲିଂ ଦେବାକୁ ନାରା ଦେଇଥିଲେ। ଲୋକଙ୍କ କଥା ଅଧିନାୟକ ରୋହିତ ଶର୍ମାଙ୍କ କାନରେ ମଧ୍ୟ ପଡ଼ିଥିଲା।

Advertisment

ସେ କିଛି ସମୟ ପରେ ଅର୍ଥାତ ୨୩ତମ ଓଭରରେ ବିରାଟଙ୍କୁ ବୋଲିଂ ଦେଇଥିଲେ। ବିରାଟ ମଧ୍ୟ ଠିକଠାକ ବୋଲିଂ କରିଥିଲେ। ପ୍ରଥମ ଓଭରରେ ସେ ୭ ରନ ଦେଇଥିଲେ। ତେବେ ଦ୍ୱିତୀୟ ଓଭର୍‌ ତୃତୀୟ ବଲରେ ସେ ଏଡୱାର୍ଡସ(୧୭)ଙ୍କୁ ଆଉଟ କରି ଚହଳ ସୃଷ୍ଟି କରିଥିଲେ। ସେ ଲେଗ ସାଇଡ୍‌ରେ ବଲ ପକାଇଥିଲେ ମଧ୍ୟ ଏଡୱାର୍ଡସ ୧ ରନ ପାଇଁ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଲ ବ୍ୟାଟରେ ବାଜି ସିଧା ୱିକେଟ କିପର କେଏଲ ରାହୁଲଙ୍କ ହାତରେ ପଡ଼ିଥିଲା। ଏଥିସହ ବିରାଟ ଚଳିତ ବିଶ୍ୱକପରେ ନିଜର ପ୍ରଥମ ୱିକେଟ ଦଖଲ କରିଥିଲେ। ନିଜର ତୃତୀୟ ଓଭର୍‌ରେ ବିରାଟ ୫ ରନ ଦେଇଥିଲେ।

ଏହାପୂର୍ବରୁ ବିରାଟ ବାଂଲାଦେଶ ବିପକ୍ଷରେ ମଧ୍ୟ ବୋଲିଂ କରିଥିଲେ। ଉକ୍ତ ମ୍ୟାଚ୍‌ରେ ସେ ମାତ୍ର ୩ଟି ବଲ ପକାଇ ୨ ରନ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁଥିବା ବେଳେ ଆହତ ହୋଇଥିଲେ। ଏଥିପାଇଁ ତାଙ୍କ ଓଭରର ୩ଟି ବଲ ପକାଇବାକୁ ବିରାଟ କୋହଲି ଆସିଥିଲେ।

ବିରାଟ ଶେଷ ଥର ପାଇଁ ୨୦୧୪ରେ ଦିନିକିଆ ରେ ୱିକେଟ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କୁ ୱିକେଟ ମିଳିଥିଲା। ଏହାପରେ ସେ ୧୨ଟି ଇନିଂସରେ ବୋଲିଂ କରିଥିଲେ ମଧ୍ୟ କେବେ ହେଲେ ଦିନିକିଆରେ ୱିକେଟ ଦଖଲ କରିପାରି ନଥିଲେ। 

ସେହିପରି ବେଙ୍ଗାଲୁରୁ ମ୍ୟାଚ୍‌ ପୂର୍ବରୁ ବିରାଟଙ୍କୁ ଶେଷଥର ପାଇଁ ୨୦୧୬ ମସିହାରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୱିକେଟ ମିଳିଥିଲା। ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ବିଶ୍ୱକପରେ ୱିକେ ନେବାକୁ ସକ୍ଷମ ହୋଇଥିଲେ। 

ଆଜିର ମ୍ୟାଚ୍‌ରେ ବିରାଟ ଏଯାଏ ୩ ଓଭର ବୋଲିଂ କରି ୧୩ ରନ ଦେବା ସହ ଗୋଟିଏ ୱିକେଟ ନେଇଛନ୍ତି। ବିରାଟଙ୍କ ବ୍ୟତୀତ ଓପନର ଶୁବମନ ଗିଲ ମଧ୍ୟ ଆଜି ବୋଲିଂ କରିଛନ୍ତି। ସେ ୨ ଓଭରରେ ୧୧ ରନ ଦେଇଛନ୍ତି।

Virat Kohli ICC ICC Men’s Cricket World Cup 2023 ICC World Cup 2023 ICC World Cup