ଐତିହାସିକ ଶତକ ପରେ ବ୍ରାଡମ୍ୟାନଙ୍କୁ ଟପିଲେ, ଏକାଧିକ ରେକର୍ଡ କଲେ ବିରାଟ

ବିରାଟ ଚୌକା ମାରି ଶତକ ହାସଲ କରିବା ପରେ ଭାରତୀୟ ଦଳର ଅଧିନାୟକ ଯଶପ୍ରୀତ ବୁମ୍ରା ପାଳି ଘୋଷଣା କରିଛନ୍ତି। ଭାରତ ୬ ୱିକେଟ ହରାଇ ୪୮୭ ରନରେ ପାଳି ଘୋଷଣା କରିବାରୁ ଅଷ୍ଟ୍ରେଲିଆକୁ ବିଶାଳ ୫୩୪ ରନର ଟାର୍ଗେଟ ମିଳିଛି।

ଶତକ ପରେ ବିରାଟ କୋହଲି

  • Published: Sunday, 24 November 2024
  • , Updated: 24 November 2024, 03:31 PM IST

ଭାରତୀୟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଶତକ ହାସଲ କରିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ବିରାଟ ଖେଳିଛନ୍ତି ୧୪୩ ବଲରେ ଅପରାଜିତ ୧୦୦ ରନର ଇନିଂସ। ବିରାଟ ଚୌକା ମାରି ଶତକ ହାସଲ କରିବା ପରେ ଭାରତୀୟ ଦଳର ଅଧିନାୟକ ଯଶପ୍ରୀତ ବୁମ୍ରା ପାଳି ଘୋଷଣା କରିଛନ୍ତି। ଭାରତ ୬ ୱିକେଟ ହରାଇ ୪୮୭ ରନରେ ପାଳି ଘୋଷଣା କରିବାରୁ ଅଷ୍ଟ୍ରେଲିଆକୁ ବିଶାଳ ୫୩୪ ରନର ଟାର୍ଗେଟ ମିଳିଛି।

ବିରାଟ କୋହଲି ଦୀର୍ଘ ୧୬ ମାସ ପରେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଛନ୍ତି। ଶେଷଥର ପାଇଁ ୨୦୨୩ ମସିହା ଜୁଲାଇ ମାସରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୨୧ ରନର ଇନିଂସ ଖେଳିଥିଲେ। ଏହାପର ଠାରୁ ତାଙ୍କ ବ୍ୟାଟରୁ ରନ ବାହାରୁ ନଥିଲା। ହେଲେ ପର୍ଥ ଭଳି ଚ୍ୟାଲେଞ୍ଜିଂ ପିଚ୍‌ରେ ବିରାଟଙ୍କ ବ୍ୟାଟରୁ ଶତକ ବାହାରିଛି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୩୦ତମ ଶତକ। ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ବ୍ୟାଟରୁ ବାହାରିଛି ୮୧ତମ ଶତକ।

ତେବେ ଆଜି ବିରାଟ ଟେଷ୍ଟ କ୍ରିକେଟରେ ୩୦ତମ ଶତକ ହାସଲ କରିବା ପରେ କିମ୍ବଦନ୍ତୀ କ୍ରିକେଟର ଡନ୍‌ ବ୍ରାଡମ୍ୟାନଙ୍କୁ ଅତିକ୍ରମ କରିଯାଇଛନ୍ତି। ବ୍ରାଡମ୍ୟାନ ଟେଷ୍ଟ କ୍ରିକେଟରେ ୨୯ଟି ଶତକ ହାସଲ କରିଥିଲେ। ବିରାଟ ୨୦୨୩ରୁ ତାଙ୍କ ସମକକ୍ଷ ହୋଇଥିବା ବେଳେ ଆଜି ୩୦ତମ ଶତକ ବଳା ତାଙ୍କୁ ପଛରେ ପକାଇ ଦେଇଛନ୍ତି।

ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବା ତାଲିକାର ୧ନଂ ସ୍ଥାନରେ ସଚିନ ତେନ୍ଦୁଲକର ରହିଛନ୍ତି। ୨୦୧୩ରୁ ଅବସର ନେଇ ସାରିଥିବା ସଚିନ କ୍ରିକେଟର ଏହି ଲମ୍ବା ଫର୍ମାଟରେ ୪୯ଟି ଶତକ ମାରିଛନ୍ତି। ବିରାଟ ଭାରତର ୪ର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୩୦ଟି ଶତକ ହାସଲ କରିଛନ୍ତି। ତେନ୍ଦୁଲକର, ରାହୁଲ ଡ୍ରାଭିଡ(୩୬) ଓ ସୁନୀଲ ଗାଭାସ୍କର(୩୪)ଙ୍କ ପରେ ବିରାଟ ରହିଛନ୍ତି।

ଏହାବାଦ ବିରାଟ ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିରାଟ ଅଷ୍ଟ୍ରେଲିଆରେ ୭ଟି ଶତକ ମାରିଛନ୍ତି। ତାଲିକାର ୧ନଂ ସ୍ଥାନରେ ୯ଟି ଶତକ ସହ ଜ୍ୟାକ ହୋବ୍ସ ପ୍ରଥମ ସ୍ଥାନରେ ରହିଛନ୍ତି। ବିରାଟଙ୍କ ବ୍ୟତୀତ ୱାଲୀ ହାମଣ୍ଡ ୭ଟି ଶତକ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୬ଟି ଶତକ ସହ ସଚିତ ତେନ୍ଦୁଲକର ତୃତୀୟ ସ୍ଥାନରେ ରହିଛନ୍ତି।

ବିରାଟ ଅଷ୍ଟ୍ରେଲିଆରେ(ଉଭୟ ଦିନିକିଆ ଓ ଟେଷ୍ଟ) ନିଜର ୧୦ମ ଶତକ ମଧ୍ୟ ହାସଲ କରିଛନ୍ତି।

ବିଦେଶ ମାଟିରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ମଧ୍ୟ ବିରାଟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ଓ ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ୭ଟି ଶତକ ମାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ରାହୁଲ ଡ୍ରାଭିଡ ୬ଟି ଓ ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ତେନ୍ଦୁଲକର ୬ଟି ଶତକ ଟେଷ୍ଟ କ୍ରିକେଟରେ ହାସଲ କରିଛନ୍ତି।

Related story