ବିରାଟଙ୍କ କ୍ୟାପ୍ଟେନ୍ସିରେ ଜିତିଲା ଆରସିବି, ସିରାଜଙ୍କୁ ୪ ୱିକେଟ

ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଦ୍ରୁତ ବୋଲର ମହମ୍ମଦ ସିରାଜ। ସେ ୪ ଓଭରରେ ୨୧ ରନ ଦେବା ସହ ୪ ୱିକେଟ ଦଖଲ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି।

ଟିମ ଆରସିବି

  • Published: Thursday, 20 April 2023
  • , Updated: 20 April 2023, 08:00 PM IST

କ୍ରମାଗତ ୨ଟି ପରାଜୟ ପରେ ଆଜି ପଞ୍ଜାବ କିଙ୍ଗସକୁ ୨୪ ରନରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବା ଆରସିବି। ଆଜି ନିୟମିତ ଅଧିନାୟକ ଫାଫ ଡୁପ୍ଲେସିସ ଖେଳୁଥିଲେ ମଧ୍ୟ ବିରାଟ କୋହଲି ଆରସିବିର କ୍ୟାପ୍ଟେନ୍ସି କରିଥିଲେ। ସେ ଚଳିତ ବର୍ଷ ପ୍ରଥମଥର ଦଳ କମାଣ ସମ୍ଭାଳିଥିବା ବେଳେ ଏଥିରେ ଆରସିବି ବାଜିମାତ କରିଛି।

ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଦ୍ରୁତ ବୋଲର ମହମ୍ମଦ ସିରାଜ। ସେ ୪ ଓଭରରେ ୨୧ ରନ ଦେବା ସହ ୪ ୱିକେଟ ଦଖଲ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି।

ମୋହାଲିରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ଦମଦାର ଆରମ୍ଭ କରିଥିଲା। ବିରାଟ କୋହଲି ଓ ଡୁପ୍ଲେସିସ ବଡ଼ବଡ଼ ଶଟ ଖେଳି ପଞ୍ଜାବ ବୋଲରଙ୍କୁ ବିପର୍ଯ୍ୟୟ ଘଟାଇବା ପାଇଁ କୌଣସି ପ୍ରକାରର ସୁଯୋଗ ଦେଇ ନଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ୧୬.୧ ଓଭରରେ ୧୩୭ ରନ ଯୋଡ଼ିଥିଲେ। ଏହି ସମୟରେ ୫୯ ରନ କରିଥିବା ବିରାଟଙ୍କୁ ହରପ୍ରୀତ ବ୍ରାର୍‌ ଆଉଟ କରି ଆରସିବିକୁ ପ୍ରଥମ ଝଟକା ଦେଇଥିଲେ।

ଏହାର ପରବର୍ତ୍ତୀ ବଲ୍‌ରେ ଗ୍ଲେନ ମ୍ୟାକ୍ସୱେଲ(୦)ଙ୍କୁ ସେ ପ୍ୟାଭିଲିୟନ ପଠାଇଥିଲେ। ତେବେ ଡୁପ୍ଲେସିସ କାଉଣ୍ଟର ଆଟାକ ଜାରି ରଖିଥିଲେ। ଦଳୀୟ ସ୍କୋର ୧୫୧ ଥିବା ବେଳେ ବ୍ୟକ୍ତିଗତ ୮୪ ରନ କରି ନାଥନ ଏସିଲଙ୍କ ବଲରେ ଡୁପ୍ଲେସିସ ଆଉଟ ହୋଇଥିଲେ। ସେ ତାଙ୍କ ଇନିଂସରେ ୫ଟି ଚୌକା ଓ ୫ଟି ଛକା ମାରିଛନ୍ତି।

ଦୀନେଶ କାର୍ତ୍ତିକ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ କେବଳ ୭ ରନ କରିବାକୁ ସକ୍ଷମ ହୋଇଥିଲେ। ମହିପାଲ ଲୋମରୋର ଅପରାଜିତ ୭ ଓ ଶାହବାଜ ଅହମଦ ଅପରାଜିତ ୫ ରନ କରିବାରୁ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୪ ରନ କରିଥିଲା।

୧୭୫ ରନର ଟାର୍ଗେଟ ପାଇଥିବା ପଞ୍ଜାବ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅର୍ଥବ ଟାଇଡେ(୪), ମାଥ୍ୟୁ ଶର୍ଟ(୮) ଓ ଲିଆମ ଲିଭିଙ୍ଗଷ୍ଟୋନ(୨) ଶସ୍ତାରେ ପ୍ୟାଭିଲିୟନ ଫେରିଥିଲେ। ଇମ୍ପାକ୍ଟ ଖେଳାଳି ଭାବେ ପଞ୍ଜାବ ପାଇଁ ଆସିଥିବା ପ୍ରବସିମରନ ସିଂହ ଗୋଟିଏ ପଟେ ଦମଦାର ବ୍ୟାଟିଂ କରୁଥିଲେ ମଧ୍ୟ ତାଙ୍କୁ ସେତେଟା ସମର୍ଥନ କେହି ଦେଇ ନଥିଲେ।

କିଛି ସମୟ ପାଇଁ ହରପ୍ରୀତ ସିଂହ (୧୩) ଓ ଅଧିନାୟକ ସାମ କୁରାନ(୧୦) ତାଙ୍କୁ ସାଥ ଦେଇଥିଲେ। ହେଲେ ଏହା ଯଥେଷ୍ଟ ନଥିଲା। ଶେଷରେ ପ୍ରବସିମରନ ମଧ୍ୟ ୪୬ ରନ କରି ୱେନ ପାର୍ଣ୍ଣେଲଙ୍କ ବଲରେ ଆଉଟ ହୋଇ ଯାଇଥିଲେ।

ଜିତେଶ ଶର୍ମା(୪୧) ଶେଷ ଯାଏ ଲଢ଼େଇ କରିଥିଲେ ମଧ୍ୟ ଦଳକୁ ମ୍ୟାଚ୍‌ ଜିତାଇ ପାରି ନଥିଲେ। ଶେଷ ବ୍ୟାଟର ଭାବେ ସେ ଆଉଟ ହେବାରୁ ପଞ୍ଜାବ ୧୮.୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୦ ରନରେ ଅଟକି ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶାହରୁଖ ଖାନ ୭, ହରପ୍ରୀତ ବ୍ରାର ୧୩ ଓ ନାଥନ ଏଲିସ ୧ ରନ କରିଥିଲେ।

ଆରସିବି ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ୱାନିନ୍ଦୁ ହସରଙ୍ଗା ୨ଟି, ୱେନ ପାର୍ଣ୍ଣେଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଡୁପ୍ଲେସିସଙ୍କ ସ୍ଥାନରେ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ବିଜୟ କୁମାର ବୈଶାଖ ୩ ଓଭରରେ ୨୯ ରନ ଦେଇ କୌଣସି ସଫଳତା ପାଇ ନାହାନ୍ତି।

Related story