Advertisment

ଟେଷ୍ଟ କ୍ରିକେଟରେ ‘ବିରାଟ’ ଯୁଗ ଶେଷ

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ବିରାଟ କ୍ରିକେଟର ଏହି ଲମ୍ବା ଫର୍ମାଟକୁ ଅଲବିଦା କହିଛନ୍ତି। ବିରାଟଙ୍କ ଅବସର ସହ ଟେଷ୍ଟ କ୍ରିକେଟରେ ଗୋଟିଏ ବଡ଼ ଓ ଐତିହାସିକ ଯୁଗର ଅବସାନ ଘଟିଛି।

author-image
Hemant Lenka
Virat

Virat

କିଙ୍ଗ। ରନ ମେସିନ। ଫିନିଶର। ଚେଜ ମାଷ୍ଟର। ଦୀର୍ଘ ସମୟ ଦିନ ଧରି ଚାଲିଥିବା ଚର୍ଚ୍ଚା ସତ ପ୍ରମାଣିତ ହୋଇଛି। ଧଳା ଜର୍ସିରେ ଆଉ ଭାରତ ପାଇଁ କ୍ରିକେଟ ଖେଳିବେ ନାହିଁ ବିରାଟ କୋହଲି। କାରଣ ଆଜି ବେଶ ଅପ୍ରତ୍ୟାଶିତ ଢଙ୍ଗରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି।

Advertisment

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ବିରାଟ କ୍ରିକେଟର ଏହି ଲମ୍ବା ଫର୍ମାଟକୁ ଅଲବିଦା କହିଛନ୍ତି। ବିରାଟଙ୍କ ଅବସର ସହ ଟେଷ୍ଟ କ୍ରିକେଟରେ ଗୋଟିଏ ବଡ଼ ଓ ଐତିହାସିକ ଯୁଗର ଅବସାନ ଘଟିଛି। ଦୀର୍ଘ ୧୪ ବର୍ଷ ଧରି ଟେଷ୍ଟ କ୍ରିକେଟରେ ବିରାଟ ସୃଷ୍ଟି କରିଥିବା ନୂଆ ଅଧ୍ୟାୟରେ ପଡ଼ିଛି ପୂର୍ଣ୍ଣଚ୍ଛେଦ।

ଜୁନ ୨୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଲିଡ୍ସରେ ୫ ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହାପୂର୍ବରୁ ୩୬ ବର୍ଷୀୟ ବିରାଟ ଇନଷ୍ଟାଗ୍ରାମରେ ଗୋଟିଏ ବିରାଟ ପୋଷ୍ଟ କରି ଟେଷ୍ଟ କ୍ରିକେଟକୁ ବାଏବାଏ କହିଛନ୍ତି। ଏହାପୂର୍ବରୁ ସେ ୨୦୨୪ ନଭେମ୍ବର ମାସରେ ଟି-୨୦ କ୍ରିକେଟରୁ ଅବସର ନେଇଥିଲେ। ଏବେ ସେ କେବଳ ଭାରତ ପାଇଁ ଦିନିକିଆ ଫର୍ମାଟରେ ନଜର ଆସିବେ।

Advertisment

ବିରାଟ ଟେଷ୍ଟ କ୍ରିକେଟରୁ ଅବସର ସମ୍ପର୍କରେ କହିଛନ୍ତି ଯେ ମୁଁ ପ୍ରଥମଥର ଟେଷ୍ଟ କ୍ରିକେଟ ଖେଳିବାକୁ ଇତି ମଧ୍ୟରେ ୧୪ ବର୍ଷ ବିତି ଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟରେ ମୋର ଯାତ୍ରା ଏମିତି ରହିବ ବୋଲି ମୁଁ କେବେ ହେଲେ କଳ୍ପନା କରି ନଥିଲି। ଏହା ମୋର ପରୀକ୍ଷା ନେଇଛି। ମୋତେ ତିଆରି କରିଛି। ମୋତେ ଏହି ଫର୍ମାଟ ଦେଇଥିବା ଶିକ୍ଷା ମୁଁ ମୋର ଜୀବନ ସାରା ସାଙ୍ଗରେ ଧରି ଚାଲିବି।

ଧଳା ଡ୍ରେସରେ ଖେଳିବା ମୋ ସହ ବ୍ୟକ୍ତିଗତ ଭାବେ ଜଡ଼ିତ। ଏହି ଫର୍ମାଟରୁ ଦୂରେଇ ଯିବା ମୋ ପାଇଁ ସହଜ ନୁହେଁ। କିନ୍ତୁ ଏପରି ନିଷ୍ପତ୍ତି ଏବେ ନେବା ଠିକ। ମୁଁ ପାଖରେ ଯାହା ଥିଲା ମୁଁ ସବୁ କିଛି ଦେଇଥିଲି। ଏହି ଫର୍ମାଟ ମୋତେ ମୋ ଆଶା ଠାରୁ ଅନେକ କିଛି ପ୍ରତିବଦଳରେ ଦେଇଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ମୁଁ ମୋ ଟେଷ୍ଟ କ୍ୟାରିୟରକୁ ସବୁବେଳେ ଗୋଟିଏ ସ୍ମିତ ହାସ୍ୟ ସହ ଦେଖିବି ବୋଲି ବିରାଟ କହିଛନ୍ତି।

ଟେଷ୍ଟ କ୍ରିକେଟରେ ଭାରତ ପାଇଁ ୪ର୍ଥ ସର୍ବାଧିକ ରନ ହାସଲକାରୀ ଖେଳାଳି ଭାବେ ବିରାଟ ନିଜର ଅଭିଯାନ ଶେଷ କରିଛନ୍ତି। ତାଙ୍କ ଉପରେ ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ ଓ ସୁନୀଲ ଗାଭାସ୍କର ହିଁ ରହିଛନ୍ତି। ୨୦୧୧ ବିଶ୍ୱ ବିଜେତା ଭାରତୀୟ ଟିମର ସଦସ୍ୟ ଥିବା ବିରାଟ ଟ୍ରଫି ହାତେଇବାର ୨ ମାସ ପରେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଜାମାଇକାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିଲେ।

ଶେଷଥର ପାଇଁ ଚଳିତ ବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ନ୍ୟୁୟର ଟେଷ୍ଟରେ ବିରାଟ ଭାରତ ପାଇଁ ନଜର ଆସିଥିଲେ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫିର ଏହି ଶେଷ ମ୍ୟାଚ୍‌ ଖେଳାଳଯାଇଥିଲା। ୧୪ ବର୍ଷ ଧରି ଟେଷ୍ଟ କ୍ରିକେଟରେ ଭାରତକୁ ସେବା ଯୋଗାଇ ଆସୁଥିବା ବିରାଟ ୧୨୩ଟି ମ୍ୟାଚ୍‌ ଖେଳିଛନ୍ତି। ସେ ୩୦ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ସହ ୯୨୩୦ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ଆଭରେଜ ୪୬.୮୫ ରହିଥିଲା। ୨୦୧୯ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପୁଣେ ଟେଷ୍ଟରେ ରେକର୍ଡ ବ୍ରେକିଂ ୨୧୯ ରନର ଇନିଂସ ଖେଳିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ରନ। ବିରାଟ ତାଙ୍କ ଟେଷ୍ଟ କ୍ୟାରିୟରରେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି।

୨୦୧୪ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଅଧାରୁ ଭାରତର ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ୟାପ୍ଟେନ୍ସି ଛାଡ଼ି ଦେଇଥିଲେ। ଏହାପରେ ବିରାଟଙ୍କୁ ଭାରତର ଅଧିନାୟକ ନିଯୁକ୍ତ କରାଯାଇଥିଲା। ୨୦୧୮-୧୯ରେ ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ହରାଇଥିଲା।

୨୦୧୧ରେ ଭାରତ ପାଇଁ ଡେବ୍ୟୁ କରିଥିବା ବିରାଟଙ୍କ ଅସଲ ଟେଷ୍ଟ କ୍ରିକେଟର ପରୀକ୍ଷା ୨୦୧୪-୧୫ ଅଷ୍ଟ୍ରେଲିଆ ଟୁରରେ ହୋଇଥିଲା। ସମସ୍ତଙ୍କୁ ଚକିତ କରି ବିରାଟ ଆଡିଲେଟରେ ଟ୍ୱିନ ସେଞ୍ଚୁରୀ ମାରିଥିଲେ। ଏହାପରେ ମେଲବର୍ଣ୍ଣ ଓ ସିଡ୍‌ନରେ ମଧ୍ୟ ତାଙ୍କ ବ୍ୟାଟରୁ ଶତକ ବାହାରିଥିଲା। ଏହି ସିରିଜରେ ସେ ୮୬.୫୦ ହାରରେ ୬୯୧ ରନ କରିଥିଲେ। ସେହି ସମୟରେ ସେ ଭାରତୀୟ ଟିମର କ୍ୟାପ୍ଟେନ ମଧ୍ୟ ହୋଇଥିଲେ।

ବାସ୍ତବରେ ଏହି ସିରିଜରେ ଧୋନି କ୍ୟାପ୍ଟେନ ଥିଲେ। କିନ୍ତୁ ଆହତ ସମସ୍ୟା ଯୋଗୁ ସେ ପ୍ରଥମ ଟେଷ୍ଟ ଖେଳି ପାରି ନଥିଲେ। ଫଳରେ ବିରାଟଙ୍କୁ କମାଣ ସମ୍ଭାଳିବାକୁ ପଡ଼ିଥିଲା। ବ୍ରିସବେନରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଧୋନି ବ୍ୟାକ କରିଥିଲେ। ମେଲବର୍ଣ୍ଣରେ ମଧ୍ୟ ସେ ଅଧିନାୟକ ହୋଇଥିଲେ। କିନ୍ତୁ ସେ ହଠାତ ଟେଷ୍ଟ ଓ ଟେଷ୍ଟ କ୍ୟାପ୍ଟେନ ପଦରୁ ଅବସର ନେଇ ଯାଇଥିଲେ। ଅଷ୍ଟ୍ରେଲିଆ ଟୁର ଅଧାରେ ହିଁ ବିରାଟଙ୍କୁ ଦଳର ସ୍ଥାୟୀ ଅଧିନାୟକ ଭାବେ ନିଯୁକ୍ତି ମିଳିଥିଲା।

ବିରାଟଙ୍କ କ୍ୟାପ୍ଟେନ୍ସରେ ଭାରତ ଗୋଟିଏ ନୂଆ ଅଧ୍ୟାୟ ଟେଷ୍ଟ କ୍ରିକେଟରେ ସୃଷ୍ଟି କରିଥିଲା। ଦଳ ୬୮ଟି ମ୍ୟାଚ ଖେଳି ୪୦ଟିରେ ଜିତିଥିବା ବେଳେ କେବଳ ୧୭ଟିରେ ହାରିଥିଲା। ୪୦ଟି ବିଜୟ ସହ ବିରାଟ ଭାରତର ସବୁଠାରୁ ସଫଳ ଅଧିନାୟକ ହେବାର ରେକର୍ଡ କରିଥିଲେ। ତାଙ୍କ ପଛକୁ ୬୦ଟି ମ୍ୟାଚ୍‌ରୁ ୨୭ ବିଜୟ ସହ ଧୋନି ଓ ୪୯ଟି ମ୍ୟାଚରୁ ୨୧ ବିଜୟ ସହ ସୌରଭ ଗାଙ୍ଗୁଲି ରହିଛନ୍ତି।

୨୦୨୨ରେ ସେ ଅଧିନାୟକ ପଦ ଛାଡ଼ିବା ବେଳକୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକ ତାଲିକାର ୪ର୍ଥ ସ୍ଥାନରେ ରହିଥିଲେ। ତାଙ୍କ ଉପରେ ଗ୍ରେମ୍ ସ୍ମିଥ ୫୩, ରିକି ପଣ୍ଟିଂ ୪୮ ଓ ଷ୍ଟିଭ ୱ ୪୧ ବିଜୟ ରହିଛନ୍ତି। ୨୦୧୬ରେ ବିରାଟଙ୍କ ବ୍ୟାଟିଂ ହାର ୭୫.୯୩, ୨୦୧୭ରେ ୭୫.୬୪, ୨୦୧୮ରେ ୫୫.୦୮ ଓ ୨୦୧୯ରେ ୬୮.୦୦ ରହିଥିଲା। ୨୦୧୬ ଓ ୨୦୧୮ ମଧ୍ୟରେ ସେ ୩୫ଟି ଟେଷ୍ଟରେ ୩୫୯୬ ରନ କରିଥିଲେ। ସେ ୫୮ଟି ଇନିଂସରେ ୧୪ଟି ଶତକ ଓ ୮ଟି ଅର୍ଦ୍ଧଶତକ ମାରିଥିଲେ।

ଆଜିର ଅବସର ପୂର୍ବରୁ ବିରାଟ ନିଜ ନିଷ୍ପତ୍ତି ସମ୍ପର୍କରେ ଶନିବାର ବିସିସିଆଇକୁ ଅବଗତ କରାଇଥିଲା। ହେଲେ ତାଙ୍କୁ ଇଂଲଣ୍ଡ ଟେଷ୍ଟ ପରେ ଏହା ଉପରେ ବିଚାର କରିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ବିରାଟ ସୋମବାର ବିଧିବଦ୍ଧ ଭାବେ ଅବସର ଘୋଷଣା କରିଛନ୍ତି।

କୋହଲିଙ୍କ ପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମଧ୍ୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏବେ ଦୁଇ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ଭାରତୀୟ ଟିମ ଇଂଲଣ୍ଡରେ ଟେଷ୍ଟ ସିରିଜ ଖେଳିବ। ସେହିପରି ଆଗକୁ ଅଧିନାୟକ କିଏ ହେବେ, ତା’ ଉପରେ ମଧ୍ୟ ନଜର ରହିଛି।

Virat Kohli Team India Test Cricket