Rohit
କ୍ରିକେଟ ଫ୍ୟାନ୍ସଙ୍କୁ ଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାଁକୁ ଆଇସିସି ଚଳିତ ସପ୍ତାହର ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରୁ ହଟାଇ ଦେଇଛି। ରାଙ୍କିଙ୍ଗରେ ରୋହିତ ଓ ବିରାଟ ଯଥାକ୍ରମେ ୨ ନମ୍ବର ଓ ୪ ନମ୍ବରରେ ରହିଥିଲେ। ଉଭୟ ବେଶ କିଛି ମାସ ହେଲାଣି ଟପ ୧୦ ବ୍ୟାଟରଙ୍କ ମଧ୍ୟରେ ରହି ଆସୁଥିଲେ।
ହେଲେ ଆଜି ଆଇସିସି ଜାରି କରିଥିବା ସାପ୍ତାହିକ ରାଙ୍କିଙ୍ଗ ତାଲିକାରୁ ହଠାତ୍ ଉଭୟଙ୍କ ନାଁ ହଟି ଯାଇଛି। ଉଭୟଙ୍କ ନାଁ ଟପ୍ ୧୦ କିମ୍ବା ଟପ ୧୦୦ ମଧ୍ୟରେ ବି ନାହିଁ। ଯଦି କୌଣସି ଖେଳାଳୀ ଅବସର ଘୋଷଣା କରନ୍ତି, ତା’ହେଲେ ଆଇସିସି ରାଙ୍କିଙ୍ଗରୁ ନାଁ ହଟାଇବାର ପ୍ରାବଧାନ ରହିଛି। କିନ୍ତୁ ରୋହିତ କିମ୍ବା ବିରାଟ କେହି ବି ଏଯାଏ ଦିନିକିଆରୁ ଅବସର ଘୋଷଣା କରି ନାହାନ୍ତି। ତଥାପି ଆଇସିସି କାହିଁକି ଏପରି ପଦକ୍ଷେପ ନେଲା, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଗତ ସପ୍ତାହରେ ରୋହିତ ଓ ବିରାଟ ଟପ ୧୦ରେ ବେଶ ମଜବୁତ ହୋଇ ରହିଥିଲେ। ବାବର ଆଜମଙ୍କୁ ପଛରେ ପକାଇ ରୋହିତ ୩ନମ୍ବରରୁ ୨ନଂକୁ ଉଠିଥିଲେ। ବିରାଟ ପୂର୍ବଭଳି ୪ନମ୍ବରରେ ରହିଥିଲେ।
ଭାରତର ଶୁବମନ ଗିଲ ପୂର୍ବ ଭଳି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିବା ବେଳେ ରୋହିତ ଓ ବିରାଟ ହଠାତ ବାଦ ପଡ଼ିବାରୁ ଶ୍ରେୟସ ଆୟର ୮ରୁ ୬ ନମ୍ବରକୁ ଉଠି ଯାଇଛନ୍ତି। ପାକିସ୍ତାନର ବାବର ଆଜମ ଦ୍ୱିତୀୟ, ନ୍ୟୁଜିଲ୍ୟାଣ୍ଡର ଡାରେଲ ମିଚେଲ ତୃତୀୟ, ଶ୍ରୀଲଙ୍କାର ଚରିଥ ଅସଲଙ୍କା ୪ର୍ଥ ଓ ଆୟର୍ଲ୍ୟାଣ୍ଡର ହ୍ୟାରୀ ଟେକ୍ଟର ୫ମ ସ୍ଥାନରେ ଅଛନ୍ତି।
ରୋହିତ ଓ ବିରାଟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି। କିନ୍ତୁ ଉଭୟ ଭାରତ ପାଇଁ ଦିନିକିଆ ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି। ଏବେ ଭାରତର କୌଣସି ଦିନିକିଆ ସିରିଜ ନଥିବାରୁ ଉଭୟଙ୍କୁ ପଡ଼ିଆରେ ଦେଖିବାକୁ ମିଳୁନାହିଁ। ଶେଷ ଥର ପାଇଁ ଉଭୟ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଇଁ ନଜର ଆସିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rohit_1755686775.jpg)