Advertisment

୪୯ତମ ଶତକରୁ ୧୨ ରନ ପଛରେ ରହିଗଲେ ବିରାଟ, ଗିଲ ବି ୯୨ରେ ଆଉଟ

ଦଳୀୟ ସ୍କୋର ୪ ଥିବା ବେଳେ ଭାରତୀୟ ଟିମ ରୋହିତଙ୍କୁ ହରାଇଥିଲା। ଏହାପରେ ବିରାଟ ଓ ଗିଲ୍‌ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

author-image
Hemant Lenka
Virat

Virat

ଦିନିକିଆ କ୍ରିକେଟରେ ନୂଆ କୀର୍ତ୍ତିମାନ ହାସଲ କରିବା ଠାରୁ ୧୨ ରନ ପଛରେ ରହି ଯାଇଛନ୍ତି ଟିମ ଇଣ୍ଡିଆର ବ୍ୟାଟର ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ସେ ୮୮ ରନ କରି ଆଉଟ ହୋଇ ଯାଇଛନ୍ତି। ସେହିପରି ଓପନର ଶୁବମନ ଗିଲ୍ ମଧ୍ୟ ଶତକରୁ ବଞ୍ଚିତ ହୋଇଛନ୍ତି।

Advertisment

ସେ ମଧ୍ୟ ୯୨ ବଲରେ ୯୨ ରନ କରି ପ୍ୟାଭିଲିୟପ ଫେରିଛନ୍ତି। ଉଭୟଙ୍କ ୱିକେଟ ଶ୍ରୀଲଙ୍କାର ସବୁଠାରୁ ସଫଳ ବୋଲର ଦିଲସାନ ମଧୁଶଙ୍କା ନେଇଛନ୍ତି। ଏହାପୂର୍ବରୁ ସେ ଇନିଂସର ଦ୍ୱିତୀୟ ବଲରେ ଅଧିନାୟକ ରୋହିତ ଶର୍ମାଙ୍କ ୱିକେଟ ନେଇଥିଲେ। ବିରାଟ ଓ ଗିଲ ଆଉଟ ହେବା ପରେ ଏବେ କେଏଲ ରାହୁଲ ଏବଂ ଶ୍ରେୟସ ଆୟର ସ୍ଥିତି ସମ୍ଭାଳିଛନ୍ତି। 

ଦଳୀୟ ସ୍କୋର ୪ ଥିବା ବେଳେ ଭାରତୀୟ ଟିମ ରୋହିତଙ୍କୁ ହରାଇଥିଲା। ଏହାପରେ ବିରାଟ ଓ ଗିଲ୍‌ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୧୮୭ ରନ ଭାଗିଦାରୀ ମଧ୍ୟ କରିଥିଲେ। ଗିଲ୍‌ ଅର୍ଦ୍ଧଶତକ ହାସଲ କରିବା ପରେ ବଡ଼ବଡ଼ ଶଟ ଖେଳିଥିଲେ। ବିରାଟ ମଧ୍ୟ ଆଦୌ ପଛରେ ପଡ଼ି ନଥିଲେ। 

Advertisment

ଗିଲ୍‌ କିଛି ଚୌକା ଓ ଛକା ମାରିବା ପରେ ୩୦ତମ ଓଭର୍‌ର ଶେଷ ବଲରେ ‌ଆଉଟ ହୋଇଯାଇଥିଲେ। ୯୨ ବଲରେ ୯୨ ରନ କରିଥିବା ଗିଲ୍‌ ଆଜି ୧୧ଟି ଚୌକା ଓ ୨ଟି ଛକା ମାରିଛନ୍ତି। 

ଗିଲ୍‌ ଆଉଟ ହେବା ପରେ ବିରାଟ ବେଶ ସତର୍କତାର ସହ ଖେଳିଥିଲେ। ଲାଗୁଥିଲା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ଶତକ ରେକର୍ଡର ମଧ୍ୟ ସମକକ୍ଷ ହୋଇଯିବେ।

 ମାଷ୍ଟରବ୍ଲାଷ୍ଟର ସଚିନଙ୍କ ହୋମଗ୍ରାଉଣ୍ଡ ମୁମ୍ବାଇର ୱେଙ୍ଖେଡେରେ ସେ ତାଙ୍କ ଦିନିକିଆ କ୍ୟାରିୟରର ୪୯ମ ଶତକ ହାସଲ କରିବେ। କିନ୍ତୁ ସେ ୯୪ ବଲରେ ୮୮ ରନ କରିଥିବା ବେଳେ ତାଙ୍କୁ ମଧୁଶଙ୍କା ଆଉଟ କରି ଦେଇଥିଲେ। ଏଥିସହ ବିରାଟ ତାଙ୍କ ୪୯ତମ ଶତକ ଠାରୁ ୧୨ ରନ ପଛରେ ରହି ଯାଇଥିଲେ। ବିରାଟଙ୍କ ଜନ୍ମଦିନ ରବିବାର ପଡ଼ୁଛି। ସେହି ଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ତେଣୁ ନିଜ ଜନ୍ମ ଦିନରେ ବିରାଟ ତାଙ୍କ ଦିନିକିଆ କ୍ୟାରିୟରର ୪୯ମ ଶତକ ହାସଲ କରିବେ ବୋଲି ସମସ୍ତେ ଆଶା କରିଛନ୍ତି। 

ବିରାଟ ଆଜି ଆଉଟ ହେବା ବେଳେ ଭାରତର ସ୍କୋର ୧୯୩ ରନ ଥିଲା। ଏହାପରେ ଶ୍ରେୟସ ଓ ରାହୁଲ ଦମଦାର ବ୍ୟାଟିଂ କରିବାରେ ଲାଗିଛନ୍ତି। ବିଶେଷ କରି ଶ୍ରେୟସଙ୍କ ବ୍ୟାଟରୁ ବଡ଼ବଡ଼ ଦୁଟି ଛକା ମଧ୍ୟ ଦେଖିବାକୁ ମିଳିଛି। 

ରିପୋର୍ଟ ଲେଖା ହେବା ବେଳକୁ ଭାରତ ୩୬ ଓଭର୍‌ରେ ୩ ୱିକେଟ ହରାଇ ୨୩୯ ରନ କରିଛି। ଶ୍ରେୟସ ୧୭ ବଲରେ ୨୭ ଓ ରାହୁଲ ୧୨ ବଲରେ ୧୬ ରନ କରିଛନ୍ତି। 

ICC India Vs Sri Lanka