Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜ ଖେଳିବେନି ବିରାଟ କୋହଲି!

ବିଶ୍ୱକପର ୧୧ଟି ଇନିଂସରେ ସେ ୭୬୫ ରନ କରିବା ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଜିତିଥିଲେ। ବିଶ୍ୱକପ ଫାଇନାଲରେ ହାରିବା ପରେ ମାର୍ମାହତ ହୋଇଥିବା ବିରାଟ ଏବେ ପରିବାର ସହ ଲଣ୍ଡନରେ ଛୁଟି କାଟୁଛନ୍ତି।

author-image
Hemant Lenka
Virat

Virat

ଭାରତର ଷ୍ଟାର ବ୍ୟାଟର ତଥା ରନ ମେସିନ ବିରାଟ କୋହଲି ସୀମିତ ଓଭର କ୍ରିକେଟରୁ ବ୍ରେକ ଚାହାନ୍ତି। ୨୦୨୩ ବିଶ୍ୱକପର ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିଜେତା ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କିମ୍ବା ଟି-୨୦ ସିରିଜରେ ନଜର ଆସିବେ ନାହିଁ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ଟିକିଆ ଟେଷ୍ଟ ସିରିଜ ବେଳକୁ ସେ ଭାରତୀୟ ଟିମ ପାଇଁ ଉପଲବ୍ଧ ହେବେ ବୋଲି ଜଣାପଡ଼ିଛି।

Advertisment

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିରାଟ କୋହଲି ଏବେ ସୀମିତ ଓଭର କ୍ରିକେଟରୁ ବିଶ୍ରାମ ଚାହୁଁଥିବା ବିସିସିଆଇକୁ ଅବଗତ କରାଇଛନ୍ତି। ବିଶେଷ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ଧଳା ବଲ ସିରିଜ ସେ ଖେଳିବାକୁ ଚାହୁଁ ନାହାନ୍ତି। କିନ୍ତୁ ସେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ରହିଛନ୍ତି। ବିସିସିଆଇ ବିରାଟଙ୍କ କଥାକୁ ଗ୍ରହଣ କରିବା ସହ ତାଙ୍କୁ ସୀମିତ ଓଭର ସିରିଜରେ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।

ଭାରତର ଦକ୍ଷିଣ ଆଫ୍ରିକା ଟୁର ଡିସେମ୍ବର ୧୦ ତାରିଖରୁ ୩ଟି ଟି-୨୦ ସିରିଜରୁ ଆରମ୍ଭ ହେବ। ଏହାପରେ ଦୁଇ ଦଳ ୩ଟି ଦିନିକିଆ ମ୍ୟାଚ ଖେଳିବେ। ବକ୍ସିଂ ଡେ ଟେଷ୍ଟ ଓ ନ୍ୟୁୟର ଟେଷ୍ଟ ସହ ଭାରତର ଦକ୍ଷିଣ ଆଫ୍ରିକା ଟୁର ଶେଷ ହେବ।

Advertisment

ବିସିସିଆଇ ସୂତ୍ରରେ କୁହାଯାଇଛି ଯେ ବିରାଟ କୋହଲି ଧଳା ବଲ କ୍ରିକେଟରୁ ବିଶ୍ରାମ ଚାହୁଁଥିବା ବିସିସିଆଇ ଓ ଚୟନକର୍ତ୍ତାଙ୍କୁ ଜଣାଇଛନ୍ତି। ସେ କେବେ ଠାରୁ ସୀମିତ ଓଭର କ୍ରିକେଟ ଖେଳିବେ, ସେକଥା ମଧ୍ୟ ବିସିସିଆଇକୁ ପରବର୍ତ୍ତୀ ଅବସ୍ଥାରେ ଜଣାଇବେ।

ବର୍ତ୍ତମାନ ସମୟରେ ସେ କେବଳ ରେଡ୍‌ ବଲ କ୍ରିକେଟ ଖେଳିବେ ବୋଲି ବିସିସିଆଇକୁ କହିଛନ୍ତି। ଏହାର ଅର୍ଥ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟିକିଆ ଟେଷ୍ଟ ସିରିଜରେ ଉପଲବ୍ଧ ହେବେ ବୋଲି ଏହି ସୂତ୍ରରେ କୁହାଯାଇଛି।

ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ବିରାଟ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ଶତକ ରେକର୍ଡ ଅତିକ୍ରମ କରିଥିଲେ। ଏବେ ବିରାଟ ବିଶ୍ୱର ଏକ ନମ୍ବର ବ୍ୟାଟର ଯିଏ ଦିନିକିଆ ଶତକରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ବିଶ୍ୱକପର ୧୧ଟି ଇନିଂସରେ ସେ ୭୬୫ ରନ କରିବା ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଜିତିଥିଲେ। ବିଶ୍ୱକପ ଫାଇନାଲରେ ହାରିବା ପରେ ମାର୍ମାହତ ହୋଇଥିବା ବିରାଟ ଏବେ ପରିବାର ସହ ଲଣ୍ଡନରେ ଛୁଟି କାଟୁଛନ୍ତି।

ଅନ୍ୟପକ୍ଷରେ ଦିନିକିଆ ଓ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ‌ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜକୁ ଫେରିବେ କି ନାହିଁ ସେକଥା ଜଣାପଡ଼ିନି। ବିରାଟଙ୍କ ଭଳି ରୋହିତ ମଧ୍ୟ ବ୍ରିଟେନରେ ପରିବାର ଲୋକଙ୍କ ସହ ରହିଛନ୍ତି। ରୋହିତ ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ବିସିସିଆଇ ସମ୍ପାଦକ ଜୟ ଶାହ ଖୁବଶୀଘ୍ର ଟିମ ସମ୍ପର୍କରେ କଥା ହେବେ। ଏହାପରେ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜ ଖେଳିବେ କି ନାହିଁ, ତା’ର ନିଷ୍ପତ୍ତି ହେବ।

Indian Cricket Team Virat Kohli Cricket