/odisha-reporter/media/media_files/2026/01/12/badoni-2026-01-12-14-40-08.jpg)
ବଦୋନି ଓ ସୁନ୍ଦର
ରବିବାର ଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି ଅଲରାଉଣ୍ଡର ୱାଶିଂଟନ ସୁନ୍ଦର। ପ୍ରଥମ ଦିନିକିଆରେ ୱାଶିଂଟନ ଖେଳିଥିଲେ ହେଁ ଆହତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଥିଯୋଗୁ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବାକି ୨ଟି ଯାକ ଦିନିକିଆରୁ ବାଦ ପଡ଼ିଥିବା ବିସିସିଆଇ(Bcci) ସୂଚନା ଦେଇଛି।
ମ୍ୟାଚ ବେଳେ ୱାଶିଂଟନ(Washington Sundar) ବାମପଟ ନିମ୍ନ ରିବରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବୋଲିଂ ବେଳେ ତାଙ୍କୁ ଆହତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ସମସ୍ୟାର ସ୍କାନ କରାଯିବ ଓ ବିସିସିଆଇର ମେଡିକାଲ ଟିମ ଆହତ ସମ୍ପର୍କରେ ବିଶେଷଜ୍ଞ ଟିମର ପରାମର୍ଶ ନେବେ। ତେଣୁ ସୁନ୍ଦର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ନଜର ଆସିବେ ନାହିଁ ବୋଲି ବିସିସିଆଇ କହିଛି।
ସୁନ୍ଦର ଦିନିକିଆ ସିରିଜରୁ ବାଦ ପଡ଼ିଥିବା ବେଳେ ଆୟୁଷ ବଦୋନିଙ୍କୁ ତାଙ୍କ ବଦଳ ଖେଳାଳି ଭାବେ ସ୍କ୍ୱାଡରେ ସାମିଲ କରାଯାଇଛି। ପ୍ରଥମ ଥର ପାଇଁ ଏହି ଯୁବ କ୍ରିକେଟରଙ୍କୁ ଭାରତୀୟ ସିନିୟର ଟିମରେ ସାମିଲ କରାଯାଇଛି। ସେ ବୁଧବାର ଆରମ୍ଭ ହେଉଥିବା ଦ୍ୱିତୀୟ ଦିନିକିଆ ବେଳକୁ ରାଜକୋଟରେ ଭାରତୀୟ ଟିମ ସହ ସାମିଲ ହେବେ ବୋଲି ବିସିସିଆଇ ସୂଚନା ଦେଇଛି।
ବିଜୟ ହଜାରେ ଟ୍ରଫିରେ ବଦୋନି ଦମଦାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ଭାରତୀୟ ଟିମରୁ ଡାକରା ମିଳିଛି। ଦିଲ୍ଲୀ ପାଇଁ ବିଜୟ ହଜାରେ ଟ୍ରଫି ଖେଳୁଥିବା ବଦୋନି ଏବେ ଟିମ ସହ ବେଙ୍ଗାଲୁରୁରେ ରହିଛନ୍ତି। ହେଲେ ତାଙ୍କୁ ଦିଲ୍ଲୀ ଟିମ ଛାଡ଼ି ରାଜକୋଟ ଯିବାକୁ ପଡ଼ିବ। ଏଥିସହ ଜାନୁଆରୀ ୧୪ ତାରିଖ ଦ୍ୱିତୀୟ ଦିନିକିଆ ପୂର୍ବରୁ ସେ ଭାରତୀୟ ଟିମରେ ସାମିଲ ହେବେ।
୨୬ ବର୍ଷୀୟ ବଦୋନି ଘରୋଇ କ୍ରିକେଟର ଜଣେ ଚର୍ଚ୍ଚିତ ଚେହେରା। ନିୟମିତ ଭାବେ ଭାରତୀୟ ଏ ଟିମରେ ସୁଯୋଗ ପାଇଚାଲିଛନ୍ତି। ନିକଟରେ ଭାରତ ଏ ଓ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଶେଷ ହୋଇଥିବା ଦିନିକିଆ ସିରିଜରେ ବଦୋନି ନଜର ଆସିଥିଲେ।
୨୭ଟି ଲିଷ୍ଟ ଏ ମ୍ୟାଚ୍ ଖେଳିଥିବା ବଦୋନି ୩୬ ବ୍ୟାଟିଂ ହାରରେ ୬୯୩ ରନ କରିଛନ୍ତି। ସେହିପରି ବୋଲିଂରେ ୧୮ଟି ୱିକେଟ ତାଙ୍କ ନାଁରେ ରହିଛି। ଏହି ପ୍ରଦର୍ଶନକୁ ଆଧାର କରି ତାଙ୍କୁ ପ୍ରଥମଥର ଭାରତୀୟ ଟିମରେ ସାମିଲ କରାଯାଇଛି।
ରବିବାର ପ୍ରଥମ ଦିନିକିଆକୁ ବିଚାରକୁ ନେଲେ ଭାରତ ଏହାକୁ ୪ ୱିକେଟରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୦୦ ରନ କରିଥିଲା। ଏହାକୁ ଭାରତୀୟ ଟିମ ୬ ୱିକେଟ ହରାଇ ୬ ବଲ ପୂର୍ବରୁ ହାସଲ କରି ନେଇଛି। ଏଥିସହ ୩ଟିକିଆ ଦିନିକିଆ ସିରିଜରେ ଦଳ ୧-୦ରେ ଆଗୁଆ ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
