/odisha-reporter/media/post_attachments/uploadimage/library/16_9/16_9_0/Shai_Hope_1690688118.jpg)
Shai Hope
କେନସିଙ୍ଗଟନ ଓଭାଲରେ ଶନିବାର ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜଠାରୁ ୬ ୱିକେଟରେ ପରାସ୍ତ ହୋଇଛି ଭାରତ। ଏହା ସହିତ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳା ୧-୧ ସ୍ଥିତିକୁ ଚାଲିଯାଇଛି। ପ୍ରଥମ ମ୍ୟାଚ୍ଟି ଭାରତ ଜିତିଥିଲା।
ଗତକାଲି ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ୱେଷ୍ଟଇଣ୍ଡିଜ। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଏହି ମ୍ୟାଚ୍ ଖେଳି ନଥିବା ବେଳେ ସେମାନଙ୍କ ସ୍ଥାନରେ ସଞ୍ଜୁ ସାମସନ ଓ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଥିଲା।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଏହି ମ୍ୟାଚ୍ ଖେଳିଥିବା ବେଳେ ୪୦.୫ ଓଭରରେ ୧୮୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ୱିକେଟ କିପର ଇଶାନ କିଷନ ଓ ଶୁବମନ ଗିଲ ଓପନିଂ କରିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୯୦ ରନ୍ର ପାର୍ଟନରଶିପ୍ ହୋଇଥିଲା। ତେବେ ଦଳୀୟ ସ୍କୋର ୯୦ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଥିଲେ ଶୁବମନ ଗିଲ। ସେ ୩୪ ରନ୍ (୪୯ ବଲ୍, ୫ ଚୌକା) କରିଥିଲେ।
ଏହା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଦଳ ଅଳ୍ପ ଅଳ୍ପ ବ୍ୟବଧାନରେ ୱିକେଟ ହରାଇଥିଲା। କୌଣସି ଖେଳାଳି ବଡ଼ ସ୍କୋର କରି ପାରି ନଥିଲେ। ୧୭.୩ ଓଭରରେ ଇଶାନ କିଷନ (୫୫ ରନ୍) ଆଉଟ୍ ହୋଇଥିବା ବେଳେ ୧୯.୨ ଓଭରରେ ଅକ୍ଷର ପଟେଲ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୭ ରନ୍ କରି ୨୩.୬ ଓଭରରେ ଆଉଟ୍ ହୋଇଥିଲେ। ତା’ ପର ଓଭରରେ ଆଉଟ ହୋଇଥିଲେ ସାଞ୍ଜୁ ସାମସନ। ସେ ମାତ୍ର ୯ ରନ୍ କରିଥିଲେ।
୨୫ ଓଭର ଶେଷ ପୂର୍ବରୁ ଦଳ ୫ଟି ୱିକେଟ ହରାଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଡ଼େଜା ପାରିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। ସେମାନଙ୍କ ମଧ୍ୟରେ ୩୩ ରନ୍ର ଭାଗିଦାରୀ ହୋଇଥିଲା। ତେବେ ୩୧.୩ ଓଭରରେ ଆଉଟ୍ ହୋଇଥିଲେ ରବୀନ୍ଦ୍ର ଜାଡ଼େଜା। ସେ ୧୦ ରନ୍ (୨୧ ବଲ୍) କରି ଆଉଟ୍ ହୋଇଥିଲେ। ତା’ ପର ଓଭରରେ ଆଉଟ୍ ହୋଇଥିଲେ ସୂର୍ଯ୍ୟ କୁମାର ଯାଦବ। ସେ ୨୫ଟି ବଲ୍ରୁ ୩ଟି ଚୌକା ସାହାଯ୍ୟରେ ୨୪ ରନ୍ କରିଥିଲେ।
୩୭.୨ ଓଭରରେ ଅଲଜାରୀ ଜୋଶେଫଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିଲେ ଶାର୍ଦ୍ଦୁଲ ଠାକୁର। ସେ ୨୨ଟି ବଲ୍ରୁ ୧୬ ରନ୍ କରିଥିଲେ। କୁଲଦୀପ ଯାଦବ ୮ ରନ୍ କରି ନଟ୍ ଆଉଟ୍ ରହିଥିବା ବେଳେ ଉମରାନ ମଲ୍ଲିକ ଖାତା ଖୋଲି ପାରି ନଥିଲେ। ସେ ୩୭.୪ ଓଭରରେ ଆଉଟ୍ ହୋଇଥିବା ବେଳେ ୪୦.୫ ଓଭରରେ ଆଉଟ୍ ହୋଇଥିଲେ ମୁକେଶ କୁମାର। ସେ ୭ଟି ବଲରୁ ୬ ରନ୍ କରିଥିଲେ। ଦଳ ୧୮୧ରେ ଅଲ୍ ଆଉଟ ହୋଇଯାଇଥିଲା।
ୱେଷ୍ଟଇଣ୍ଡିଜ ପକ୍ଷରୁ ଗୁଡ଼କେଶ ମୋତି ଓ ରୋମାରିଓ ସେଫର୍ଡ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଅଲଜାରୀ ଜୋଶେଫ ୨ଟି ଏବଂ ୟାନିକ କାରିଆ ଓ ଜାୟଡେନ ସିଲ୍ସ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
ଅନ୍ୟପକ୍ଷରେ ୧୮୨ ରନ୍ର ବିଜୟ ଲକ୍ଷ୍ୟକୁ ୩୬.୪ ଓଭରରେ ହାସଲ କରି ନେଇଥିଲେ ୱେଷ୍ଟଇଣ୍ଡିଜ। ଦଳ ପକ୍ଷରୁ ଓପନର ବ୍ରେଣ୍ଡନ କିଙ୍ଗ ୧୫ ରନ୍ କରିଥିବା ବେଳେ କାୟେଲ ମେୟର୍ସ ୩୬ ରନ୍ କରିଥିଲେ। ଆଲିକ ଆଥାଞ୍ଜି ୬ ଓ ଶିମରନ ହେଟମେୟର ୯ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଅଧିନାୟକ ଶାଇ ହୋପ୍ ଓ କିସି କାର୍ଟିଙ୍କ ଯୋଡ଼ିଙ୍କୁ ଭାଙ୍ଗି ପାରି ନଥିଲେ ଭାରତୀୟ ବୋଲର। ସେମାନେ ଅପରାଜିତ ରହି ମ୍ୟାଚ୍କୁ ଜିତାଇ ଦେଇଥିଲେ। ଶାଇ ହୋପ ୬୩ (୮୦ ବଲ୍, ୨ ଚୌକା, ୨ ଛକା) ଓ କିସି ୪୮ (୬୫ ବଲ୍, ୪ ଚୌକା) ରନ୍ କରିଥିଲେ। ସେମାନଙ୍କ ମଧ୍ୟରେ ୯୧ ରନ୍ର ଭାଗିଦାରୀ ହୋଇଥିଲା। ଶାଇ ହୋପଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।
ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
