/odisha-reporter/media/media_files/2026/02/26/pakistan-2026-02-26-16-53-10.jpg)
ପାକିସ୍ତାନ କ୍ରିକେଟ ଟିମ
ଚଳିତ ଟି-୨୦ ବିଶ୍ୱକପ(T20 World Cup)ର ସେମି ଫାଇନାଲ ରେସରୁ ପ୍ରଥମ ଦଳ ଭାବେ କୋ-ହୋଷ୍ଟ ଶ୍ରୀଲଙ୍କା ବାଦ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ ଠାରୁ ଦଳ ୬୧ ରନରେ ହାରିବା ପରେ ବିଶ୍ୱକପ ସ୍ୱପ୍ନ ଚୂରମାର ହୋଇଯାଇଛି। ଶ୍ରୀଲଙ୍କା ହାରିବା ପରେ ପାକିସ୍ତାନର ସେମି ଫାଇନାଲ ଭାଗ୍ୟ ଏବେ ସୁତା ଖିଅରେ ଝୁଲିବା ଆରମ୍ଭ କରିଛି। ପାକିସ୍ତାନ ଏଯାଏ ସୁପର ୮ରେ ଗୋଟିଏ ମ୍ୟାଚ୍ ହାରିଥିବା ବେଳେ ଗୋଟିଏ ବର୍ଷା ଯୋଗୁ ବାତିଲ ହୋଇଛି। ତେଣୁ ପାକିସ୍ତାନ କେମିତି ସେମି ଫାଇନାଲକୁ ଯାଇ ପାରିବ, ଆସନ୍ତୁ ଜାଣିବା।
ଶ୍ରୀଲଙ୍କା ବିପକ୍ଷରେ ୬୧ ରନ ବିଜୟ ପରେ ନ୍ୟୁଜିଲ୍ୟାଣ୍ଡର ନେଟ ରନ ରେଟ + 3.050 ହୋଇଯାଇଛି। ଗ୍ରୁପ ୨ରୁ ନ୍ୟୁଜିଲ୍ୟାଣ୍ଡ ଏହି ରନ ରେଟ ଆଧାରରେ ସେମି ଫାଇନାଲ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଗ୍ରୁପ ୨ରୁ ଇଂଲଣ୍ଡ ସେମି ଫାଇନାଲକୁ ଯାଇ ସାରିଥିବା ବେଳେ ଏବେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରୁ ଗୋଟିଏ ଦଳ ଆଗକୁ ଯିବ।
ପଏଣ୍ଟ ତାଲିକାରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟରେ ଓ ପାକିସ୍ତାନ ତୃତୀୟରେ ରହିଛି। ପାକିସ୍ତାନ ନିଜର ଶେଷ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ସେମି ଫାଇନାଲ ରେସରେ ରହିବାକୁ ହେଲେ ପାକିସ୍ତାନକୁ ଶେଷ ମ୍ୟାଚ୍ ଯେମିତି ହେଲେ ଜିତିବାକୁ ପଡ଼ିବ। ଜିତିଲେ ମଧ୍ୟ ପାକିସ୍ତାନ ଶତ ପ୍ରତିଶତ ସେମି ଟିକେଟ ପାଇବାର ଗ୍ୟାରେଣ୍ଟୀ ନାହିଁ।
କ’ଣ ପାକିସ୍ତାନ ସେମିକୁ ଯାଇ ପାରିବ?
ପାକିସ୍ତାନ ଏବେ ବିଯୁକ୍ତ ୦.୪୬୧ ରନ ରେଟ ସହ ତୃତୀୟ ସ୍ଥାନରେ ଅଛି। ତେଣୁ ଏହାକୁ ସୁଧାରିବା ପାଇଁ ପାକିସ୍ତାନକୁ ୭୦ରୁ ଅଧିକ ରନ ବ୍ୟବଧାନରେ ଶ୍ରୀଲଙ୍କାକୁ ହରାଇବାକୁ ହେବ। ଏଥିସହ ପାକିସ୍ତାନ ଚାହିଁବ ଯେ ନ୍ୟୁଜିଲ୍ୟାଣ୍ଡ ନିଜର ଶେଷ ମ୍ୟାଚ୍ ଇଂଲଣ୍ଡ ଠାରୁ ହାରି ଯାଉ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଇଂଲଣ୍ଡର ବିଜୟ ବ୍ୟବଧାନ ହିଁ ପାକିସ୍ତାନର ସେମି ଭାଗ୍ୟ ନିର୍ଦ୍ଦାରଣ କରିବ।
ଯଦି ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯିବ, ତା’ହେଲେ ପାକିସ୍ତାନ ସ୍ୱପ୍ନ ମଧ୍ୟ ଧୂଳି ସାତ ହେବ। ନ୍ୟୁଜିଲ୍ୟାଣ୍ଡ ଗ୍ରୁପ ୨ରୁ ସେମି ଫାଇନାଲ ଯିବ। ଯଦି ଇଂଲଣ୍ଡ ୨୦ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇବ, ତା’ହେଲେ ସେମି ଫାଇନାଲ ଯୋଗ୍ୟତା ଅର୍ଜନ ପାଇଁ ପାକିସ୍ତାନକୁ ୫୦ ରନରେ ଶ୍ରୀଲଙ୍କାକୁ ହରାଇବାକୁ ପଡ଼ିବ। ଏହା କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ।
ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଯଦି ୨୦୦ ରନ କରୁଛି, ତା’ହେଲେ ପାକିସ୍ତାନକୁ ୧୫ରୁ କମ ଓଭରରେ ଏହାକୁ ଚେଜ କରିବାକୁ ପଡ଼ି। ଯଦି ଶ୍ରୀଲଙ୍କା ୧୫୦ ପାଖାପାଖି ରହୁଛି, ତା’ହେଲେ ପାକିସ୍ତାନକୁ ୧୪ରୁ କମ ଓଭରରେ ବିଜୟ ଲକ୍ଷ୍ୟ ପୂରଣ କରିବାକୁ ହେବ।
ଏସବୁ ଭିତରେ ପାକିସ୍ତାନ ପାଇଁ ଗୋଟିଏ ଭଲ ଖବର ରହିଛି। ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ୨୭ ତାରିଖରେ ମ୍ୟାଚ୍ ଖେଳିବେ। ପାକିସ୍ତାନ ଶେଷ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ୨୮ ତାରିଖରେ ଖେଳିବ।
ଯଦି ଇଂଲଣ୍ଡ ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେଉଛି, ତା’ହେଲେ ପାକିସ୍ତାନ ପାଖରେ ପରବର୍ତ୍ତୀ ମ୍ୟାଚ୍ କେତେ ଓଭର କିମ୍ବା କେତେ ରନରେ ଶ୍ରୀଲଙ୍କାକୁ ହରାଇଲେ ସେମି ଟିକେଟ ମିଳିବ, ତା’ର ତଥ୍ୟ ପହଞ୍ଚିଯିବ।
ଏହାକୁ ନଜରରେ ରଖି ପାକିସ୍ତାନ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରିପାରିବ। ଯଦି ନ୍ୟୁଜିଲ୍ୟାଣ୍ଡ ଶୁକ୍ରବାର ଇଂଲଣ୍ଡକୁ ହରାଇ ଦେଉଛି, ତା’ହେଲେ ପାକିସ୍ତାନ ମଧ୍ୟ ଶ୍ରୀଲଙ୍କା ଭଳି ସୁପର ୮ରୁ ବିଦାୟ ନେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
