Advertisment

ଶୁକ୍ରବାର ପ୍ରଥମ ଟେଷ୍ଟ: ଅଧିନାୟକ ପଦକୁ ନେଇ ଏମିତି କହିଲେ ଯଶପ୍ରୀତ ବୁମ୍ରା

ବୁମ୍ରା ଦ୍ୱିତୀୟ ଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ରେ ଭାରତର ଅଧିନାୟକ ହେବାକୁ ଯାଉଛନ୍ତି। ସେ ୨୦୨୨ରେ ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଭାରତର ନେତୃତ୍ୱ ନେଇଥିଲେ।

author-image
Hemant Lenka
jasprit-bumrah

jasprit-bumrah

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌। ପର୍ଥରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ। ତାଙ୍କ ବଦଳରେ ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ପ୍ରଥମ ଟେଷ୍ଟରେ ଭାରତର କ୍ୟାପ୍ଟେନ୍ସି କରିବେ।

Advertisment

ଏଯାଏ ଭାରତକୁ ବୋଲିଂରେ ସଫଳତା ଦେଇ ଆସୁଥିବା ବୁମ୍ରା ନୂଆ ଦାୟିତ୍ୱ ପାଇଁ ବେଶ ଉତ୍ସାହିତ। ବୁମ୍ରା ଦ୍ୱିତୀୟ ଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ରେ ଭାରତର ଅଧିନାୟକ ହେବାକୁ ଯାଉଛନ୍ତି। ସେ ୨୦୨୨ରେ ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଭାରତର ନେତୃତ୍ୱ ନେଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ବହୁପ୍ରତିକ୍ଷୀତ ଟେଷ୍ଟରେ ବୁମ୍ରା କ୍ୟାପ୍ଟେନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଦିନକ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି। ସେ କ୍ୟାପ୍ଟେନ୍ସି ଦାୟିତ୍ୱକୁ ନିଜ ଢଙ୍ଗରେ ଚଳାଇବେ ବୋଲି କହିଛନ୍ତି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୁମ୍ରା କହିଛନ୍ତି, “ମୁଁ କ୍ୟାପ୍ଟେନ୍ସିକୁ ଗୋଟିଏ ପଦବୀ ଭାବେ ଦେଖୁନାହିଁ। କିନ୍ତୁ ମୁଁ ସବୁବେଳେ ଦାୟିତ୍ୱ ନେବାକୁ ଭଲ ପାଏ। ମୁଁ ପିଲାଟି ବେଳୁ ଚ୍ୟାଲେଞ୍ଜିଂ ଦାୟିତ୍ୱ ନେବାକୁ ସବୁବେଳେ ଚାହିଁ ଆସିଛି। ଆପଣ କିଛି କରିବାକୁ ଚାହୁଁଛନ୍ତି ଓ ଆପଣଙ୍କୁ ଏମିତି ଏକ ସ୍ଥିତିରେ ଛାଡ଼ି ଦିଆଯିବ। ଏହା ମୋ ପାଇଁ ଗୋଟିଏ ଚ୍ୟାଲେଞ୍ଜ।”

Advertisment

ବୁମ୍ରା ଭଲ ଭାବେ ଜାଣିଛନ୍ତି ଯେ ସେ କେବଳ ଗୋଟିଏ ଟେଷ୍ଟରେ ହିଁ ଭାରତର ନେତୃତ୍ୱ ନେବେ। ତଥାପି ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଏମିତି କିଛି କରିବାକୁ ଚାହୁଁଛନ୍ତି, ଯାହା ତାଙ୍କୁ ଭବିଷ୍ୟତରେ ସହାୟକ ହେବ। ଏ ସମ୍ପର୍କରେ ବୁମ୍ରା କହିଛନ୍ତି, “ନିଶ୍ଚିତ ଭାବେ ମୁଁ ରୋହିତଙ୍କୁ କହିପାରିବି ନାହିଁ ଯେ ମୁଁ କ୍ୟାପ୍ଟେନ୍ସି କରିଦେଉଛି। 

ସେ ଆମର ଅଧିନାୟକ। ସେ ଭଲ କାମ କରୁଛନ୍ତି। ବର୍ତ୍ତମାନ ଆମେ କେବଳ ଗୋଟିଏ ମ୍ୟାଚ୍‌ କଥା ଚିନ୍ତା କରୁଛୁ ଓ ଆସନ୍ତାକାଲି କ’ଣ ହେବ, ସେକଥା କେହି ବି ଜାଣିନାହାନ୍ତି। ପରବର୍ତ୍ତୀ ମ୍ୟାଚରେ ସବୁ କିଛି ବଦଳିବ ଓ କ୍ରିକେଟ ଏଭଳି ଢଙ୍ଗରେ ହିଁ ଚାଲିଥାଏ। ଏବେ ମୁଁ ବର୍ତ୍ତମାନରେ ରହିଛି। ମୋତେ ଗୋଟିଏ ଦାୟିତ୍ୱ ଦିଆଯାଇଛି। ମୁଁ ପୂର୍ବରୁ ଥରେ ଦାୟିତ୍ୱ ନେଇ ସାରିଛି। ମୁଁ କେମିତି କ୍ୟାପ୍ଟେନ୍ସିରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିବି, ସେକଥା ଭାବୁଛି। ଭବିଷ୍ୟତ ମୋ ହାତରେ ନାହିଁ।”

ବୁମ୍ରାଙ୍କ କହିବା କଥା ଯେ ସେ କ୍ୟାପ୍ଟେନ୍ସି ଶୈଳୀ କାହା ଠାରୁ ନକଲ କରିବେ ନାହିଁ। ସେ ନିଜ ଶୈଳୀରେ ସବୁ କିଛି କରିବେ ବୋଲି ସ୍ପଷ୍ଟ କରିଛନ୍ତି।

Jasprit Bumrah Border-Gavaskar Trophy Test Cricket Test Match