/odisha-reporter/media/media_files/2026/02/23/sky-2026-02-23-13-55-35.jpg)
ସୂର୍ଯ୍ୟ କୁମାର ଯାଦବ
ଟି-୨୦ ବିଶ୍ୱକପ(T20 World Cup)ରେ ଭାରତର ବିଜୟ ରଥ ସୁପର ୮ ଆରମ୍ଭରୁ ଅଟକି ଯାଇଛି। ଭାରତ ନିଜର ସୁପର ୮ର ପ୍ରଥମ ମୁକାବିଲା କେବଳ ହାରିନାହିଁ, ବରଂ ଦକ୍ଷିଣ ଆଫ୍ରିକା ନିକଟରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଛି। ଗୋଟିଏ ବର୍ଷ ଧରି ଟି-୨୦ କ୍ରିକେଟରେ ଭାରତ ରାଜ କରୁଥିଲା। କିନ୍ତୁ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୭୬ ରନରେ ହାରିଛି।
ଏହି ବିରାଟ ପରାଜୟ ପରେ ଭାରତର ସେମି ଫାଇନାଲ ରାସ୍ତା କଣ୍ଟକିତ ହୋଇ ଯାଇଛି। ଦଳ ନିଜର ବାକି ୨ଟି ଯାକ ମ୍ୟାଚ୍ ଜିତିଲେ ମଧ୍ୟ ସେମିରେ ପ୍ରବେଶ କରିବାର ଗ୍ୟାରେଣ୍ଟୀ ମଧ୍ୟ ନାହିଁ। ଦଳର ନେଟ ରନ ରେଟ ବା ପରାଜୟର ବ୍ୟବଧାନ ଏତେ ଖରାପ ହୋଇ ଯାଇଛି ଯେ କେବଳ କୌଣସି ଚମତ୍କାର ହିଁ ଭାରତକୁ ଚଳିତ ଟି-୨୦ ବିଶ୍ୱକପର ସେମି ଟିକେଟ ଦେଇପାରିବ।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୭ ରନ କରିଥିଲା। ଡାଭିଡ ମିଲର ୬୩ ଓ ଡେୱାଲ୍ଡ ବ୍ରେଭିସ ଦ୍ରୁତ ୪୫ ରନର ଇନିଂସ ଖେଳିଥିଲେ। ଭାରତ ପାଇଁ ଯଶପ୍ରୀତ ବୁମ୍ରା ୪ ଓଭରରେ ମାତ୍ର ୧୫ ରନ ଦେଇ ୩ ୱିକେଟ ନେଇଥିଲେ। ୧୮୮ ରନର ପିଛା କରୁଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେବଳ ୧୧୧ ରନ କରିବାକୁ ସକ୍ଷମ ହୋଇଥିଲା। ମାର୍କୋ ୟାନସେନ ୪ ୱିକେଟ ନେଇଥିଲେ।
ପ୍ରଥମ ମ୍ୟାଚ୍ରେ ଭାରତ ହାରିଥିବାରୁ ଦଳକୁ ଏବେ ବାକି ଥିବା ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍କୁ ପ୍ରଥମେ ଜିତିବାକୁ ପଡ଼ିବ। ଦୁଇଟି ମ୍ୟାଚ୍ ଜିତିଲେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ଭାରତକୁ ନିର୍ଭର କରିବାକୁ ପଡ଼ିବ। ସେହିପରି ନେଟ ରନ ରେଟକୁ ମଧ୍ୟ ଦଳକୁ ସୁଧାରିବାକୁ ପଡ଼ିବ।
ଭାରତ ଯଦି ତା’ର ବାକି ଦୁଇଟି ଯାକ ମ୍ୟାଚ୍ ଜିତିବ, ତା’ହେଲେ ଦଳର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିବ। ଏପରି ସ୍ଥିତିରେ ଗ୍ରୁପରେ ଥିବା ବାକି ୩ଟି ଟିମରୁ ୨ଟି ଟିମ ଯଦି ୪ ପଏଣ୍ଟ ହାସଲ ନ କରିପାରିବେ, ତା’ହେଲେ ଭାରତ ବେଶ ସହଜରରେ ସେମି ଫାଇନାଲକୁ ପ୍ରବେଶ କରିଯିବ। ଏଥିପାଇଁ ଦଳକୁ ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର କରିବାକୁ ପଡ଼ିବ।
ଭାରତ ଚାହିଁବ ଯେ ଦକ୍ଷିଣ ଆଫ୍ରିକା ଗ୍ରୁପ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଜିତୁ। ଏପରି ହେଲେ ଦକ୍ଷିଣ ଆଫ୍ରିକା ୬ ପଏଣ୍ଟ ପାଇ ଗ୍ରୁପ ଏରୁ ପ୍ରଥମ ସ୍ଥାନ ସହ ସେମି ଫାଇନାଲକୁ ଚାଲିଯିବ। ଏହାପରେ ରହିବେ ଭାରତ, ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ।
ଆଜି ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ ମ୍ୟାଚ୍ ରହିଛି। ଧରି ନିଅନ୍ତୁ ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ଜିତବ। ପରବର୍ତ୍ତୀ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜର ମୁକାବିଲା ଦକ୍ଷିଣ ଆଫ୍ରିକା ଓ ସୁପର ୮ରେ ଦଳ ଶେଷ ମ୍ୟାଚ୍ ଭାରତ ବିପକ୍ଷରେ ଖେଳିବ। ଏହି ଦୁଇଟି ଯାକ ମ୍ୟାଚ୍ ୱେଷ୍ଟଇଣ୍ଡିଜ ହାରୁ ବୋଲି ଭାରତ ଚାହିଁବ। ଏପରି ହେଲେ ୱେଷ୍ଟଇଣ୍ଡିଜ କେବଳ ୨ ପଏଣ୍ଟ ପାଇବ।
ଭାରତ ୪ ପଏଣ୍ଟ ସହ ସେମିରେ ପ୍ରବେଶ କରିବ। ଯଦି ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ମ୍ୟାଚ୍ରେ ଇଣ୍ଡିଜ ଠାରୁ ହାରିଯିବ ଓ ଇଣ୍ଡିଜ ଟିମ ଜିମ୍ବାୱେକୁ ହରାଇ ଦେବ, ତା’ହେଲେ ଭାରତର ଭାଗ୍ୟ ନେଟ ରନ ରେଟ ଉପରେ ନିର୍ଭର କରିବ। ନେଟ ରନ ରେଟ ଆଧାରରେ ଭାରତ ଆଗକୁ ବଢ଼ିବା ବେଶ ମୁସ୍କିଲ।
ଯଦି ଆଜି ଖେଳା ଯିବାକୁ ଥିବା ଇଣ୍ଡିଜ ବିପକ୍ଷ ମ୍ୟାଚ୍କୁ ଜିମ୍ବାୱେ ଜିତି ନେବ, ତା’ହେଲେ ବି ଭାରତକୁ ସେତେଟା ଫରକ ପଡ଼ିବ ନାହିଁ। ଧରି ନିଅନ୍ତୁ ଆଜିର ମ୍ୟାଚ୍ରେ ଜିମ୍ବାୱେ ଜିତବ। ପରବର୍ତ୍ତୀ ମ୍ୟାଚ୍ରେ ଜିମ୍ବାୱେର ମୁକାବିଲା ଭାରତ ଓ ଦକ୍ଷିଣ ଆଫ୍ରିକା ସହ ହେବ। ଏହି ଦୁଇଟି ଯାକ ମ୍ୟାଚ୍ ଜିମ୍ବାୱେ ହାରୁ ବୋଲି ଭାରତ ଚାହିଁବ। ଏପରି ହେଲେ ଜିମ୍ବାୱେ କେବଳ ୨ ପଏଣ୍ଟ ପାଇବ। ଭାରତ ୪ ପଏଣ୍ଟ ସହ ସେମିରେ ପ୍ରବେଶ କରିବ।
ଦକ୍ଷିଣ ଆଫ୍ରିକା ଯଦି ତା’ର ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍ ହାରିଯିବ ଓ ଭାରତ ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍ ଜିତି ନେବ ଓ ଇଣ୍ଡିଜ ମଧ୍ୟ ଦୁଟି ମ୍ୟାଚ୍ ଜିତିବ ତା’ହେଲେ ଗ୍ରୁପ ପର୍ଯ୍ୟାୟର ରୋମାଞ୍ଚ ଆହୁରି ବଢ଼ିବ। ଭାରତ ୪ ପଏଣ୍ଟ ସହ ଶୀର୍ଷରେ ରହିବାକୁ ଥିବା ବେଳେ ଇଣ୍ଡିଜ ଟିମ ମଧ୍ୟ ୪ ପଏଣ୍ଟ ପାଇବ।
ଏପରି ସ୍ଥିତିରେ ଭାରତ ଓ ଇଣ୍ଡିଜ ସେମିକୁ ଯିବେ। ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକାକୁ ସୁପର ୮ରୁ ବିଦାୟ ନେବାକୁ ପଡ଼ିବ। ସମାନ ନିୟମ ଜିମ୍ବାୱେ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଜିମ୍ବାୱେ ୨ଟି ମ୍ୟାଚ ଜିତିଲେ ସେମି ଫାଇନାଲ ଦୌଡ଼ରେ ରହିପାରିବ।
ସୁପର ୮ରେ ବାକି ଥିବା ମ୍ୟାଚ୍
ଫେବୃଆରୀ ୨୩- ଇଣ୍ଡିଜ ବନାମ ଜିମ୍ବାୱେ(ମୁମ୍ବାଇ)
ଫେବୃଆରୀ ୨୬- ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ(ଅହମଦାବାଦ)
ଫେବୃଆରୀ ୨୬- ଭାରତ ବନାମ ଜିମ୍ବାୱେ(ଚେନ୍ନାଇ)
ମାର୍ଚ୍ଚ ୧ – ଦକ୍ଷିଣ ଆଫ୍ରିକା ବନାମ ଜିମ୍ବାୱେ (ଦିଲ୍ଲୀ)
ମାର୍ଚ୍ଚ ୧- ଭାରତ ବନାମ ୱେଷ୍ଟଇଣ୍ଡିଜ (କୋଲକାତା)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
