/odisha-reporter/media/media_files/2026/02/02/pakistan-2026-02-02-13-05-00.jpg)
ପାକିସ୍ତାନ କ୍ରିକେଟ ଟିମ
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ରେକର୍ଡ ବ୍ରେକିଂ ପ୍ରଦର୍ଶନ। ଶ୍ରୀଲଙ୍କା ମାଟିରେ ଭାରତର ପୂର୍ବ ରେକର୍ଡ। ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ଏକତରଫା ପ୍ରଦର୍ଶନ। ନିକଟରେ ଏସିଆ କପ ଲଜ୍ଜା। ଏଥିସହ ଅଣ୍ଡର ୧୯ ବିଶ୍ୱକପରେ ଲଜ୍ଜାଜନକ ପରାଜୟ। ଏସବୁ ଦେଖି ଟି-୨୦ ବିଶ୍ୱକପ ପୂର୍ବରୁ ଲାଙ୍ଗୁଡ ଜାକି ଦେଇଛି ପାକିସ୍ତାନ। ଟି-୨୦ ବିଶ୍ୱକପ(T20 World Cup)ରେ ପୁଣି ହାରିବା ଭୟରେ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ ବୋଲି ଆଗୁଆ କହି ଦେଇଛି।
ପାକିସ୍ତାନ ସରକାର ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଜାତୀୟ ଟିମକୁ ଅନୁମତି ଦେଇ ନଥିବା ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ରବିବାର ଘୋଷଣା କରିଛି। ବାଂଲାଦେଶର ମ୍ୟାଚ୍ ସ୍ଥାନାନ୍ତର ଦାବିକୁ ଆଇସିସି ଗ୍ରହଣ ନ କରିବାରୁ ପିସିବି ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ କରିବାକୁ ନିଷ୍ପତ୍ତି ନେଇଥିବା ସଫେଇ ଦେଇଛି। ହେଲେ ବାସ୍ତବରେ ପାକିସ୍ତାନ ନିଜର ସମ୍ମାନ ରକ୍ଷା କରିବାକୁ ଏପରି କରିଥିବା କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି। ଖୋଦ ପାକିସ୍ତାନୀ ମଧ୍ୟ ପିସିବିର ଭାରତ ବିରୋଧୀ ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି।
ପାକିସ୍ତାନ ବିଶ୍ୱକପରେ ଭାଗ ନେବାକୁ ରାଜି ଥିବା କହିଥିଲେ ହେଁ ୧୫ ତାରିଖରେ ଧାର୍ଯ୍ୟ ହୋଇଥିବା ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ ବୋଲି କହିଛି। ଏହି ନିଷ୍ପତ୍ତି କ୍ରିକେଟ ପ୍ରେମୀକୁ ନିରାଶ କରିଛି। ଆଇସିସିର ରାଜସ୍ୱ ଆଦାୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ଏହି କାରଣରୁ ଆଇସିସି ପକ୍ଷରୁ ପାକିସ୍ତାନ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି।
ପାକିସ୍ତାନର ବୟକଟ ନିଷ୍ପତ୍ତି ପରେ ଆଇସିସି ପକ୍ଷରୁ ଡକା ଯାଇଛି ବୋର୍ଡ ମିଟିଂ। ଆଜି ଦୁବାଇରେ ଏହି ବୈଠକ ବସିବ। ଏହି ବୈଠକରେ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବା କଟକଣା ଲଗାଯାଇ ପାରେ। ଏପରି କି ପାକିସ୍ତାନକୁ ଟି-୨୦ ବିଶ୍ୱକପ ଖେଳିବାକୁ ଆଇସିସି ବାରଣ କରିପାରେ।
ଏହାବାଦ ଆଇସିସିର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାକିସ୍ତାନ ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ ନ ଖେଳିପାରନ୍ତି, ପାକିସ୍ତାନ ଉପରେ ମୋଟା ଅଙ୍କର ଜୋରିମାନା ଓ ପାକିସ୍ତାନ ସୁପର ଲିଗରେ ବିଦେଶୀ ଖେଳାଳିଙ୍କ ଅଂଶ ଗ୍ରହଣ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିପାରେ।
ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଯୋଗୁ ଦୁଇ ଦେଶର ମ୍ୟାଚ୍କୁ ଆଇସିସି ବୁଝାମଣା ଅନୁସାରେ ନିରପେକ୍ଷ ଭେନ୍ୟୁ ଶ୍ରୀଲଙ୍କାରେ ଧାର୍ଯ୍ୟ କରିଥିଲା। ତଥାପି ପାକିସ୍ତାନ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ଥିବା ମ୍ୟାଚକୁ ବୟକଟ କରିବାରୁ ଆଇସିସି କ୍ଷୁବ୍ଧ ହୋଇଛି।
ଆଇସିସି ବୋର୍ଡ ସୂତ୍ରରେ କୁହାଯାଇଛି ଯେ “ପିସିବି ଏଯାଏ ନିଜର ବୟକଟ ନିଷ୍ପତ୍ତି ସମ୍ପର୍କରେ ଆଇସିସିକୁ ଅବଗତ କରିନାହିଁ। କିନ୍ତୁ ପାକିସ୍ତାନ ସରକାର ବିଧିବଦ୍ଧ ଭାବେ ୧୫ ତାରିଖ ମ୍ୟାଚ୍ ନ ଖେଳିବାକୁ ଘୋଷଣା କରିଥିବାରୁ ଆଇସିସି ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ। ଆଇସିସି ବୋର୍ଡ ମିଟିଂ ସୋମବାର ବସିବ ଓ ଏଥିରେ ପାକିସ୍ତାନ ଟି-୨୦ ବିଶ୍ୱକପ ଖେଳିବାକୁ ଅନୁମତି ପାଇବ କି ନାହିଁ, ତା’ ଉପରେ ନିଷ୍ପତ୍ତି ହେବ। ଯଦି ପାକିସ୍ତାନ ବିଶ୍ୱକପ ଖେଳିବାକୁ ଅନୁମତି ପାଇବ, ତା’ହେଲେ ପିସିବି ଉପରେ କଡ଼ା ଦଣ୍ଡାଦେଶ ଲାଗୁ କରାଯିବ।”
ପାକିସ୍ତାନ ଉପରେ କେଉଁ ସବୁ ସମ୍ଭାବ୍ୟ କଟକଣା ଲାଗୁ ହୋଇପାରେ?
ପାକିସ୍ତାନ କ୍ରିକେଟ ବୋର୍ଡ ପୂର୍ବ ଚୁକ୍ତିକୁ ଉଲ୍ଲଙ୍ଘନ କରି ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ କରିଛି। ଏଥିଯୋଗୁ ଆଇସିସି ସଦସ୍ୟ ବୋର୍ଡ ବିଭିନ୍ନ ରାଷ୍ଟ୍ରଗୁଡ଼ିକୁ ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ପାକିସ୍ତାନ ଯିବାକୁ ବାରଣ କରିପାରେ। ଯଦି ବି ସେମାନେ ଦ୍ୱିପାକ୍ଷିକ ସିରିଜ ଖେଳିବେ, ତେବେ ଏହାର ରେଜଲ୍ଟ ଆଇସିସି ରାଙ୍କିଙ୍ଗ ଉପରେ ପଡ଼ିବ ନାହିଁ। ପାକିସ୍ତାନ ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ଖେଳିଲେ ମଧ୍ୟ କୌଣସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ପାଇବ ନାହିଁ।
ପାକିସ୍ତାନକୁ ରାଜସ୍ୱ ଆଦାୟରେ ସବୁ ଠାରୁ ବଡ଼ ଝଟକା ଦେବା ମୁଡରେ ମଧ୍ୟ ଆଇସିସି ରହିଛି। ପାକିସ୍ତାନ ସୁପର ଲିଗ ଉପରେ ମଧ୍ୟ ଆଇସିସି କଟକଣା ଲଗାଇ ପାରେ। ପିଏସଏଲରେ ଅଂଶ ଗ୍ରହଣ କରିବାକୁ ଆଇସିସି ବିଭିନ୍ନ ଦେଶର ଅନ୍ତର୍ଜାତୀୟ ଖେଳାଳିଙ୍କୁ ଅନୁମତି ଦେବ ନାହିଁ। କିନ୍ତୁ ଏହି କଟକଣା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଓ ପ୍ରି ଏଜେଣ୍ଟ ଖେଳାଳିଙ୍କ ପାଇଁ ଲାଗୁ ହେବନି।
ଏହାବାଦ ଆଇସିସି ହୋଷ୍ଟ ବ୍ରଡକାଷ୍ଟର ଜିଓ-ଷ୍ଟାର ସହିବାକୁ ଥିବା କ୍ଷତିକୁ ମଧ୍ୟ ପିସିବି ଭରଣ କରିବ। ପାକିସ୍ତାନ ବୟକଟ କରିବାର ଧମକ ଦେଇଥିବାରୁ ଜିଓ ଷ୍ଟାରୁ ୨୦୦ କୋଟିରୁ ଅଧିକ କ୍ଷତି ସହିବାକୁ ପଡ଼ିବ। ଏହି ଟଙ୍କା ପିସିବି ଠାରୁ ଆଣିବାକୁ ଆଇସିସି ନିର୍ଦ୍ଦେଶ ଦେଇପାରେ। ଏଥିସହ ବାର୍ଷିକ ରାଜସ୍ୱ ମଧ୍ୟ ଆଇସିସି ପକ୍ଷରୁ ପାକିସ୍ତାନକୁ ଦିଆଯିବ ନାହିଁ।
ଯଦି ପାକିସ୍ତାନକୁ ଆଇସିସି ବିଶ୍ୱକପ ଖେଳିବାକୁ ଅନୁମତି ଦେବ ନାହିଁ, ତା’ହେଲେ ଉଗାଣ୍ଡା ଏହାର ସ୍ଥାନ ନେବ। କିନ୍ତୁ ଆଇସିସି ବୋର୍ଡ ଏହା ଉପରେ ଚୂଡ଼ାନ୍ତ ମୋହର ମାରିବ। ସାଧାଣତଃ ଭାରତ-ପାକିସ୍ତାନ ଟି-୨୦ ମ୍ୟାଚର ଚାହିଦା ଢେର ଅଧିକ ରହିଥାଏ। ଏହି ମ୍ୟାଚ୍ ପାଇଁ ୧୦ ସେକେଣ୍ଡର ବିଜ୍ଞାପନ ପାଇଁ ୨୫ ଲକ୍ଷରୁ ୪୦ ଲକ୍ଷ ଟଙ୍କା ଚାର୍ଜ କରାଯାଏ। ୧୫ ତାରିଖରେ ମ୍ୟାଚ୍ ନ ହେଲେ, ବିଜ୍ଞାପନ ରାଜସ୍ୱ କ୍ଷତି ପ୍ରାୟ ୨୦୦ କୋଟି ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
