/odisha-reporter/media/post_attachments/uploadimage/library/16_9/16_9_0/Pant_1743819665.jpg)
Pant
ଆଇପିଏଲ ଟିମ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍କୁ ୧୨ ରନରେ ଜିତି ନେଇଛି। ଚଳିତ ସିଜିନରେ ଦଳର ଏହା ୪ର୍ଥ ମ୍ୟାଚ୍ରୁ ୨ ବିଜୟ। ସେହିପରି ନିଜର ହୋମ ଗ୍ରାଉଣ୍ଡ ଲକ୍ଷ୍ନୌରେ ଏହା ପ୍ରଥମ ବିଜୟ। ଲକ୍ଷ୍ନୌ ମ୍ୟାଚ୍ ଜିତିଥିଲେ ହେଁ ଦଳର ଅଧିନାୟକ ତଥା ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ଋଷଭ ପନ୍ତ କୌଣସି ପ୍ରକାରର ପ୍ରଭାବ ଦେଖାଇ ପାରି ନାହାନ୍ତି। ଚଳିତ ଆଇପିଏଲରେ ପନ୍ତଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ପନ୍ତ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳିଥିବା ବେଳେ ତାଙ୍କ ବ୍ୟାଟରୁ କେବଳ ୧୯ ରନ ବାହାରିଛି। ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ୨ ରନ କରି ପାଭିଲିୟନ ଫେରିଥିଲେ।
ପନ୍ତ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍ରେ ଶୂନରେ ଆଉଟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୧୫, ତୃତୀୟ ମ୍ୟାଚ୍ରେ ୨ ଓ ୪ର୍ଥ ମ୍ୟାଚ୍ରେ କେବଳ ୨ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ଆଭରେଜ ୪.୭୫ ଥିବା ବେଳେ ଷ୍ଟ୍ରାଇକ ରେଟ ୫୯.୩୭। ଏପରି ପରିସଂଖ୍ୟକ ପନ୍ତଙ୍କ ଦକ୍ଷତା ଠାରୁ ଯଥେଷ୍ଟ ନିମ୍ନମାନର। କାରଣ ପନ୍ତ ଜଣେ ବିସ୍ଫୋରକ ବ୍ୟାଟର ଭାବେ ପରିଚିତ। ଖାସ ଏହି କାରଣ ପାଇଁ ତାଙ୍କୁ ଲକ୍ଷ୍ନୌ ରେକର୍ଡ ୨୭ କୋଟି ଟଙ୍କାରେ କିଣିଥିଲା। ହେଲେ ପନ୍ତ ୪ଟି ଯାକ ମ୍ୟାଚ୍ରେ ସମସ୍ତଙ୍କୁ ନିରାଶ କରିଛନ୍ତି। ତାଙ୍କ କ୍ୟାପ୍ଟେନ୍ସି ମଧ୍ୟ ବେଶ ସାଧାରଣ ରହିଛି। ଚଳିତ ସଂସ୍କରଣରେ ଲକ୍ଷ୍ନୌ ତା’ର ପ୍ରଥମ ମ୍ୟାଚ୍ରେ ୨୦୦ରୁ ଅଧିକ ରନ କରି ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରିଥିଲା। ପନ୍ତ ଏକାଧିକ କ୍ୟାଚ ଓ ଷ୍ଟମ୍ପିଂ ମିସ କରିଥିଲେ। ସେହିପରି ଟିମର ନେତୃତ୍ୱ ଠିକ ଭାବେ ନେଇ ପାରି ନଥିଲେ।
ପନ୍ତ ଚଳିତ ଆଇପିଏଲରେ କ୍ରମାଗତ ଖରାପ ପ୍ରଦର୍ଶନ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା ହେବାକୁ ପଡ଼ୁଛି। ସେହିପରି ଅନେକ କ୍ରିକେଟ ପଣ୍ଡିତ ମତ ରଖିଛନ୍ତି ଯେ ପନ୍ତଙ୍କ ଖରାପ ପ୍ରଦର୍ଶନ ପଛରେ କ୍ୟାପ୍ଟେନ୍ସିର ଚାପ ରହୁଛି। ସେମାନଙ୍କ କହିବା କଥା ଯେ ପନ୍ତ ରେକର୍ଡ ଟଙ୍କାରେ ଚଳିତ ଆଇପିଏଲରେ ନୂଆ ପ୍ରାଞ୍ଚାଇଜ ପକ୍ଷରୁ ଖେଳୁଛନ୍ତି। ନୂଆ ପ୍ରାଞ୍ଚାଇଜ ତାଙ୍କୁ ରେକର୍ଡ ଟଙ୍କାରେ କିଣିଥିବାରୁ ତାଙ୍କ ଠାରୁ ସମସ୍ତେ ବହୁତ କିଛି ଆଶା କରୁଛନ୍ତି। ସେହିପରି ସେ ଦଳର କମାଣ ମଧ୍ୟ ସମ୍ଭାଳିଛନ୍ତି। ଯେହେତୁ ସେ ଦାମୀ ଖେଳାଳି ଓ ଦଳର ଅଧିନାୟକ, ତେଣୁ ତାଙ୍କ ଉପରେ ଅତିରିକ୍ତ ଚାପ ରହୁଛି। ଏହାର ପ୍ରଭାବ ତାଙ୍କ ବ୍ୟାଟିଂ ଉପରେ ମଧ୍ୟ ପଡ଼ିଛି।
ପନ୍ତ ବଡ଼ ଓ ନୂଆ ନୂଆ ଶଟ ଖେଳିବାରେ ମାହିରି। କିନ୍ତୁ ଲକ୍ଷ୍ନୌ ପକ୍ଷରୁ ଖେଳିବା ସମୟରେ ସେ ବେଶ ସତର୍କତା ଅବଲମ୍ବନ କରୁଛନ୍ତି। ତାଙ୍କ ବ୍ୟାଟରୁ ପନ୍ତଙ୍କ ଟ୍ରେଡ ମାର୍କ ଭାବେ ପରିଚିତ କୌଣସି ଶଟ ଦେଖିବାକୁ ମିଳୁନାହିଁ। ସେ ଟିମକୁ ସମ୍ଭାଳିବାକୁ ଚେଷ୍ଟା କରି ଖୋଲା ଶଟ ଖେଳିବାକୁ ଭୟ କରୁଛନ୍ତି। ଏଥିପାଇଁ ତାଙ୍କୁ ସଅଳ ଆଉଟ ହେବାକୁ ପଡ଼ୁଛି। ସେ ଅଧିକ କିଛି ଚିନ୍ତା କରି ବ୍ୟାଟିଂ କରିବା ତାଙ୍କୁ ମହଙ୍ଗା ପଡ଼ୁଛି।
୪ଟି ମ୍ୟାଚ୍ରେ ୧୯ ରନ କରିଥିବା ପନ୍ତଙ୍କୁ ଅବଶ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସର ମାଲିକ ସଞ୍ଜୀବ ଗୋଏଙ୍କା ସମର୍ଥନ କରିଛନ୍ତି। କିନ୍ତୁ ପ୍ରଶଂସକମାନେ ତାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ପନ୍ତଙ୍କ କ୍ୟାପ୍ଟେନ୍ସି ଦାୟିତ୍ୱରୁ ମୁକ୍ତ କଲେ, ସେ ନିଶ୍ଚିତ ଦଳ ପାଇଁ ବଡ଼ ସମ୍ପଦ ହୋଇ ଉଭା ହେବେ ବୋଲି କୁହାଯାଉଛି।
ଯଦି ପନ୍ତ ଅଧିନାୟକ ପଦ ଛାଡ଼ିବେ କିମ୍ବା ତାଙ୍କୁ କ୍ୟାପ୍ଟେନ୍ସି ପଦରୁ ହଟା ଯିବ, ତା’ହେଲେ ଦଳର କମାଣ କିଏ ସମ୍ଭାଳିବେ? ଲକ୍ଷ୍ନୌ ସୁପର ଜାଏଣ୍ଟସରେ ଏମିତି ୩ ଖେଳାଳି ରହିଛନ୍ତି, ଯେଉଁମାନେ କ୍ୟାପ୍ଟେନ୍ସି କରିବାର ଅଭିଜ୍ଞତା ରଖିଛନ୍ତି।
୧- ଏଡେନ୍ ମାର୍କରମ: ଲକ୍ଷ୍ନୌର ଅଧିନାୟକ ହେବା ପାଇଁ ଏଡେନ୍ ମାର୍କରମ ସବୁଠାରୁ ଆଗରେ ରହିଛି। ସେ ୨୦୨୪ରେ ଦକ୍ଷିଣ ଆଫ୍ରିକାକୁ ଟି-୨୦ ବିଶ୍ୱକପର ଫାଇନାଲରେ ପହଞ୍ଚାଇଥିଲେ। କ୍ରିକେଟର ବିଭିନ୍ନ ଫର୍ମାଟରେ ଖେଳିବାର ଅଭିଜ୍ଞତା ତାଙ୍କ ପାଖରେ ଅଛି। ୨୦୧୪ରେ ମାର୍କରମଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାର ଅଣ୍ଡର ୧୯ ଟିମ ବିଶ୍ୱକପ୍ ଜିତି ଥିଲା। ସେ ୨୦୨୩ ଓ ୨୦୨୪ରେ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ୍କୁ SA20 ଟାଇଟଲ୍ ମଧ୍ୟ ଦେଇଥିଲେ। ୨୦୨୫ରେ ତାଙ୍କ କ୍ୟାପ୍ଟେନ୍ସିରେ ଦଳ SA20ର ଫାଇନାଲରେ ପହଞ୍ଚିଥିଲା। ୨୦୨୩ରେ ସେ ସନ ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ରହିଥିଲେ। କିନ୍ତୁ ସେ କିମ୍ବା ତାଙ୍କ ଦଳ କିଛି ଖାସ କରିପାରି ନଥିଲା। ୨୦୨୩ରେ ହାଇଦ୍ରାବାଦ ମାର୍କରମଙ୍କ ନେତୃତ୍ୱରେ ୧୩ଟି ମ୍ୟାଚରୁ ମାତ୍ର ୪ଟିରେ ଜିତିପାରିଥିଲେ। କିନ୍ତୁ ଅନ୍ତର୍ଜାତୀୟ ଟି-୨୦ରେ ତାଙ୍କର କ୍ୟାପ୍ଟେନ୍ସି ରେକର୍ଡ ଭଲ।
୨- ମିଚେଲ ମାର୍ଶ: ଅଷ୍ଟ୍ରେଲିଆର ଟି-୨୦ ଅଧିନାୟକ ଭାବେ କାମ କରୁଛନ୍ତି ମିଚେଲ ମାର୍ଶ। ୨୦୨୩ ମସିହାରେ ମାର୍ଶ ଅଷ୍ଟ୍ରେଲିଆ ଟି-୨୦ ଟିମର ନେତୃତ୍ୱ ଦାୟିତ୍ୱ ପାଇଥିଲେ। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ କ୍ରିକେଟର ଏହି ଛୋଟ ଫର୍ମାଟରେ ଦମଦାର ପ୍ରଦର୍ଶନ କରି ଚାଲିଛି। ୨୦୧୦ରେ ଅଷ୍ଟ୍ରେଲିଆ ମାର୍ଶଙ୍କ ନେତୃତ୍ୱରେ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେ BBLରେ ପର୍ଥ ସ୍କର୍ଚର୍ସର କମାଣ ସମ୍ଭାଳିଛନ୍ତି। ତାଙ୍କୁ ଆଇପିଏଲର ମେଗା ଅକ୍ସନରେ ଲକ୍ଷ୍ନୌ ୩.୪ କୋଟିରେ କିଣିଛି। ସେ ମଧ୍ୟ ଚଳିତ ଆଇପିଏଲରେ ୪ଟି ମ୍ୟାଚ୍ରେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ସେ ୬୦ ରନର ଇନିଂସ ଖେଳିଥିଲେ। ଋଷଭ ପନ୍ତଙ୍କ ସ୍ଥାନରେ ୩୩ ବର୍ଷୀୟ ମାର୍ଶ ଦଳ ପାଇଁ ଜଣେ ଭଲ ଅଧିନାୟକ ପ୍ରମାଣିତ ହୋଇପାରିବେ।
୩- ନିକୋଲସ ପୂରନ: ନିକୋଲସ ପୂରନଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୧ କୋଟି ଟଙ୍କା ଦେଇ ଅକ୍ସନ ପୂର୍ବରୁ ରିଟେନ କରିଥିଲା। ୨୦୨୪ରେ ସେ କେଏଲ ରାହୁଲଙ୍କ ଅନୁପସ୍ଥିତିରେ ଲକ୍ଷ୍ନୌ ଟିମର ନେତୃତ୍ୱ ନେଇଥିଲେ। ସେ ୱେଷ୍ଟଇଣ୍ଡିଜ୍ ଟିମର ଅଧିନାୟକ ଭାବେ ମଧ୍ୟ କାମ କରି ସାରିଛନ୍ତି। ୨୦୨୪ରେ ସେ ୪୯୯ ରନ କରିଥିଲେ।
୨୦୨୪ରେ ଟି-୨୦ ଫର୍ମାଟରେ ତାଙ୍କ ବ୍ୟାଟରୁ ସର୍ବାଧିକ ରନ୍ ବାହାରିଥିଲେ। ସେ ପୂରା ବର୍ଷରେ ୬୮ ମ୍ୟାଚ୍ ଖେଳି ୨୨୫୧ ରନ୍ କରିଥିଲେ। ୨୦୨୫ ଆଇପିଏଲରେ ମଧ୍ୟ ପୂରନ ଭଲ ଫର୍ମରେ ଅଛନ୍ତି। ସେ ଚାରୋଟି ମ୍ୟାଚ୍ରେ ୨୦୧ ରନ୍ କରି ଅରେଞ୍ଜ କ୍ୟାପ୍ ନିଜ ପାଖରେ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
