ପିଚ
ଆସନ୍ତାକାଲି ଚଳିତ ଟି-୨୦ ବିଶ୍ୱକପ(T20 World Cup) ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ହିଷ୍ଟ୍ରୀ ରିପିଟ ଓ ହିଷ୍ଟ୍ରୀ ଡିଫିଟ ନାରାରେ ଭାରତ ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡ ସହ ଟ୍ରଫି ପାଇଁ ଟକ୍କର କରିବ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍। ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି।
ତେବେ କେଉଁ ପ୍ରକାରର ପିଚ୍ରେ ଖେଳାଯିବ ଫାଇନାଲ ମ୍ୟାଚ୍? ବ୍ୟାଟର ନା ବୋଲରଙ୍କୁ ସୁହାଇବ ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ? ଏସବୁ ଭିତରେ ପକ୍ଷରୁ କେଉଁ ପ୍ରକାରର ପିଚ୍ରେ ମ୍ୟାଚ୍ ଖେଳାଯିବ, ତା’ର ତଥ୍ୟ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମର ମିଶ୍ରିତ ମାଟିରେ ପ୍ରସ୍ତୁତ ପିଚରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ଖେଳିବେ। ମୁମ୍ବାଇର ୱାଙ୍ଖଡେରେ ଯେଉଁ ଭଳି ପିଚ୍ ଭାରତକୁ ମିଳିଥିଲା ପ୍ରାୟତଃ ଫାଇନାଲରେ ସେହିଭଳି ପିଚ ମିଳିବ। ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ ବେଶ ହାଇସ୍କୋରିଂ ରହିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନ କରିଥିବା ବେଳେ ମାତ୍ର ୭ ରନରେ ଜିତିବାକୁ ସକ୍ଷମ ହୋଇଥିଲା। ବ୍ୟାଟରଙ୍କ ପାଇଁ ସେହି ମ୍ୟାଚ୍ ସ୍ୱର୍ଗ ସାବ୍ୟସ୍ତ ହୋଇଥିଲା।
ରିପୋର୍ଟରେ କୁହାଯାଇଛି ଯେ ଅହମଦାବାଦର ପିଚ୍ ମଧ୍ୟ ବ୍ୟାଟରଙ୍କୁ ସୁହାଇବ। ବୋଲରମାନଙ୍କୁ ବହୁତ କମ ଫାଇଦା ପିଚରୁ ମିଳିବ। ପଡ଼ିଆର ମଝିରେ ପ୍ରସ୍ତୁତ ପିଚ ହିଁ ଫାଇନାଲ ପାଇଁ ବ୍ୟବହାର କରାଯିବ। ଏହି ପିଚ୍କୁ ଉଭୟ କଳା ଓ ନାଲି ମାଟିର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି। ଫଳରେ ବୋଲରଙ୍କୁ ଭଲ ବାଉନ୍ସ ମିଳିବ ଓ ବ୍ୟାଟକୁ ବଲ ଭଲ ଭାବେ ଆସିବ। ତେଣୁ ଏହି ପିଚ୍ରେ ୨୦୦ରୁ ଅଧିକ ରନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
୨୦୨୬ ଟି-୨୦ ବିଶ୍ୱକପରେ ଏହି ପିଚ୍ରେ କେବଳ ଗୋଟିଏ ମ୍ୟାଚ୍ ଖେଳାଯାଇଛି। ଦକ୍ଷିଣ ଆଫ୍ରିକା ଓ କାନାଡା ଏହି ପିଚରେ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ୨୧୩ ରନ କରି ଏଠାରେ କାନାଡାକୁ ହରାଇଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡ ଗୋଟିଏ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିଥିବା ବେଳେ ଭାରତ ୨ଟି ମ୍ୟାଚ୍ ଖେଳିଛି। ସୁପର ୮ର ପ୍ରଥମ ମୁକାବିଲା ଭାରତ ଏଠାରେ ଖେଳିଥିଲେ ହେଁ ୭୬ ରନରେ ହାରିଥିଲା।
ପିଚ୍କୁ ଉଭୟ କଳା ଓ ନାଲି ମାଟିରେ ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। କିନ୍ତୁ କଳା ଅପେକ୍ଷା ନାଲି ମାଟିକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଛି। ନାଲି ମାଟିର ଅଧିକ ବ୍ୟବହାର କରାଯାଇଥିବାରୁ ଏହା ବ୍ୟାଟରଙ୍କୁ ସୁହାଇବାର ଯଥେଷ୍ଟ ସମ୍ଭାବନା ରହିଛି। ନାଲି ମାଟି ଅଧିକ ବ୍ୟବହାର କରାଯିବାର କାରଣ ମଧ୍ୟ ଯଥେଷ୍ଟ ରହିଛି।
୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ସେତେବଳେ ପିଚ ପ୍ରସ୍ତୁତରେ କଳା ମାଟିକୁ ଅଧିକ ବ୍ୟବହାର କରାଯାଇଥିଲା। ହେଲେ ଭାରତ ହାରିଥିଲା। ଚଳିତ ବର୍ଷ ଟି-୨୦ ବିଶ୍ୱକପର ପ୍ରଥମ ସୁପର ୮ରେ ମଧ୍ୟ କଳା ମାଟିକୁ ଅଧିକ ବ୍ୟବହାର କରି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ପିଚ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଭାରତ ୭୦ରୁ ଅଧିକ ରନରେ ହାରିଲା। ଏହାକୁ ନେଇ ମ୍ୟାନେଜମେଣ୍ଟ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଫାଇନାଲର ପିଚ୍ ପୂର୍ବ ଦୁଇ ଥର ଅପେକ୍ଷା ଭିନ୍ନ ରହିବ ବୋଲି କୁହାଯାଉଛି।
ଗୋଟିଏ ସୂତ୍ରରେ କୁହାଯାଇଛି ଯେ ଭାରତୀୟ ଟିମକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମିଶ୍ରତ ମାଟିର ପିଚ ଦିଆଯିବ। ଉକ୍ତ ପିଚ ସଂପୂର୍ଣ୍ଣ ଭାବେ ଖେଳୁଆଡ଼ ପିଚ୍ ଭାବେ ଉଭୟ ବୋଲର ଓ ବ୍ୟାଟରଙ୍କୁ ଫାଇଦା ଦେବ। ଅଧିକ ନାଲି ମାଟିର ପିଚ ଅର୍ଥ ବ୍ୟାଟରଙ୍କୁ ସାମାନ୍ୟ ଅଧିକ ଫାଇଦା ମିଳିପାରେ ବୋଲି ଏହି ସୂତ୍ରରେ କୁହାଯାଇଛି।
ଭାରତର ଅନ୍ୟ ଷ୍ଟାଡିୟମଗୁଡ଼ିକ ତୁଳନାରେ ମୋଟେରା ବା ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ ସାମାନ୍ୟ ଭିନ୍ନ। ଏହାରେ ୩ ପ୍ରକାରର ପିଚ ରହିଛି। ନାଲି ମାଟି, କଲା ମାଟି ଓ ଆଉ ଗୋଟିଏ ହାଇବ୍ରିଡ ବା ମିଶ୍ରିତ ମାଟିର ପିଚ୍। ପ୍ରତିଟି ପିଚ୍ ନିଜର ସ୍ୱତନ୍ତ୍ରତା ମ୍ୟାଚରେ ଦେଖାଇଥାଏ।
କଳା ମାଟି ପିଚ ସାଧାଣତଃ ଧିମା ଓ ଗ୍ରିପ କରିବାରେ ସହାୟତା କରିଥାଏ। ଫଳରେ ଲାଇନ ବାହାରେ ଶଟ ଖେଳିବା କଲା ମାଟି ପିଚରେ ବେଶ କଷ୍ଟ। ନାଲି ମାଟି ପିଚ୍ ବାଉନ୍ସ ଦେଇଥାଏ। ଏଭଳି ପିଚ୍ ବ୍ୟାଟରଙ୍କୁ ଶଟ ଖେଳିବାରେ ସହାୟତା କରିଥାଏ। ତେଣୁ କ୍ୟୁରୋଟର ବେଶ ସତର୍କତାର ସହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଫାଇନାଲ ପାଇଁ ପିଚ୍ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ମିକ୍ସଡ ମାଟିରେ ପ୍ରସ୍ତୁତ ପିଚରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି।
ତଥାପି ଏଯାଏ କେଉଁ ପିଚରେ ମ୍ୟାଚ୍ ଖେଳାଯିବ, ସେକଥା ସ୍ପଷ୍ଟ ହୋଇନାହିଁ। ଆଜି ରାତି ସୁଦ୍ଧା ଏନେଇ ସମସ୍ତଙ୍କୁ ଅବଗତ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/07/pitch-2026-03-07-13-24-42.jpg)