Advertisment

ଆକାଶ ମାଧୱାଲ: ଟେନିସ ବଲ୍‌ କ୍ରିକେଟରୁ ଆଇପିଏଲ ହିରୋ

ସେ ୩.୩ ଓଭର୍‌ରେ ମାତ୍ର ୫ ରନ ଦେଇ ୫ ୱିକେଟ ଦଖଲ କରିଛନ୍ତି। ଏହା ଆଇପିଏଲରେ ଗୋଟିଏ ରେକର୍ଡ।

author-image
Hemant Lenka
Akash Madhwal

Akash Madhwal

ଆଇପିଏଲର ପ୍ରଥମ ଏଲିମିନେଟର୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ହାସଲ କରିଥିବା ଦମଦାର ବିଜୟର ନାୟକ ସାଜିଛନ୍ତି ଯୁବ ଦ୍ରୁତ ବୋଲର ଆକାଶ ମଧୱାଲ। ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିମୟରେ ଖେଳା ଯାଉଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚରେ କେବଳ ଆକାଶଙ୍କ ଶୋ’ ଦେଖିବାକୁ ମିଳିଥିଲା।

Advertisment

ସେ ୩.୩ ଓଭର୍‌ରେ ମାତ୍ର ୫ ରନ ଦେଇ ୫ ୱିକେଟ ଦଖଲ କରିଛନ୍ତି। ଏହା ଆଇପିଏଲରେ ଗୋଟିଏ ରେକର୍ଡ। କାରଣ ଏହା ପୂର୍ବରୁ ଆଇପିଏଲାର କୌଣସି ନକଆଉଟ ଗେମ୍‌ରେ କେହି ବି ୫ ରନ ରନ ୫ ୱିକେଟ ଦଖଲ କରି ନଥିଲେ। ଆକାଶ ଏବେ ରେକର୍ଡ ବୁକରେ ନିଜକୁ ସାମିଲ କରିଛନ୍ତି। ଏଥିସହ ସେ ଅନୀଲ କୁମ୍ବଲେ ଓ ଯଶପ୍ରୀତ ବୁମ୍ରାଙ୍କ ୫ ୱିକେଟ କ୍ଲବରେ ବି ସ୍ଥାନ ପାଇଛନ୍ତି।

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୨ ରନ କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ୧୬.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୧୦୧ ରନ କରିବାକୁ ସକ୍ଷମ ହୋଇଥିଲା। ଆକାଶ ୫ ୱିକେଟ ନେଇଥିବା ବେଳେ କ୍ରିସ ଜୋର୍ଡାନ ଓ ପୀୟୂଷ ଚାୱଲା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ୩ ୱିକେଟ ରନ ଆଉଟରୁ ମିଳିଛି।

Advertisment

ଆକାଶ ଦମଦାର ପ୍ରଦର୍ଶନ କରିଥିବା ବେଳେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ମଧ୍ୟ ମିଳିଛି। ଏବେ ତାଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ଉତ୍ତରାଖଣ୍ଡରେ ଜନ୍ମିତ ଏହି କ୍ରିକେଟର ଜଣଙ୍କ ଟେନିସ୍‌ ବଲ କ୍ରିକେଟ ଖେଳୁଥିଲେ। ଟେନିସ ବଲ କ୍ରିକେଟରେ ଦମଦାର ବୋଲିଂ କରୁଥିବାରୁ ମୁମ୍ବାଇ ତାଙ୍କୁ ନେଟ ବୋଲର ଭାବେ ନିଜ ସହ ସାମିଲ କରିଥିଲା।

୨୦୨୨ରେ ସୂର୍ଯ୍ୟ କୁମାର ଯାଦବ ଆହତ ହେବାରୁ ତାଙ୍କୁ ସ୍କ୍ୱାଡକୁ ଅଣା ଯାଇଥିଲା। ହେଲେ ସେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇ ନଥିଲେ। ଗୋଟିଏ ସିଜିନ ସେ ଦଳ ସହ ରହିବା ପରେ ଏଥର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲରେ ଡେବ୍ୟୁ କରିଛନ୍ତି।

୨୦୧୯ରେ ଉତ୍ତରାଖଣ୍ଡ ରଣଜୀ ଟ୍ରଫି ଟିମର ତତ୍କାଳୀନ କୋଚ୍‌ ୱାସିମ ଜାଫର ଓ ବର୍ତ୍ତମାନର କୋଚ ମନୀଷ ଝା ପ୍ରଥମେ ଆକାଶଙ୍କ ଟାଲେଣ୍ଟ ବିଷୟରେ ଜାଣିବାକୁ ପାଇଥିଲେ। ସେତେବେଳେ ଆକାଶ ଟେନିସ ବଲରେ ହିଁ ବୋଲିଂ କରୁଥିଲେ। ତେବେ ଜାଫର ଓ ମନୀଷଙ୍କ ପରାମର୍ଶକ୍ରମେ ଆକାଶ ରେଡ୍‌ ବଲ୍‌ରେ ବୋଲିଂ ଆରମ୍ଭ କରିଥିଲେ।

ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ଘରୋଇ କ୍ରିକେଟରେ ସେ ଦମଦାର ପ୍ରଦର୍ଶନ କରିଥିଲେ। ଏଥିପାଇଁ ୨୦୨୩ ଘରୋଇ ସିଜିନ ପୂର୍ବରୁ ଏହି ଦ୍ରୁତ ବୋଲରଙ୍କୁ ଉତ୍ତରାଖଣ୍ଡ ସମୀତ ଓଭର ଟିମର ଅଧିନାୟକ ମଧ୍ୟ କରାଯାଇଛି। ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିବା ଆକାଶ ଏବେ କେବଳ କ୍ରିକେଟ ଉପରେ ଫୋକସ କରୁଛନ୍ତି। ଇଞ୍ଜିନିୟରିଂ କରିବା ପରେ ସେ ଚାକିରି ମଧ୍ୟ ପାଇଥିଲେ। ହେଲେ ଏହାକୁ ଛାଡ଼ି ସେ କ୍ରିକେଟକୁ ନିଜର ନିଶା ଓ ପେଶା ଭାବେ ବାଛି ନେଇଛନ୍ତି।

ଆକାଶଙ୍କ ସମ୍ପର୍କ ଭାରତୀୟ ୱିକେଟର ବ୍ୟାଟର ଋଷଭ ପନ୍ତଙ୍କ ସହ ମଧ୍ୟ ରହିଛି। ଉଭୟ ଉତ୍ତରାଖଣ୍ଡର ସମାନ ଅଞ୍ଚଳରେ ରହୁଥିଲେ। ଆକାଶ ମଧ୍ୟ ଅବତାର ସିଂହଙ୍କ ଦ୍ୱାରା ତାଲିମପ୍ରାପ୍ତ। ଶ୍ରୀ ସିଂହ ଏକଦା ପନ୍ତଙ୍କୁ ମଧ୍ୟ ତାଲିମ ଦେଉଥିଲେ।

କେବଳ ଲକ୍ଷ୍ନୌ ବିପକ୍ଷରେ ନୁହେଁ, ଏହା ପୂର୍ବରୁ ସନ ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ତାଙ୍କର ଜଲୱା ଦେଖାଇଥିଲେ। ସେ ଚାପ ସମୟରେ ଦମଦାର ବୋଲିଂ କରି ୪ ୱିକେଟ ଦଖଲ କରିଥିଲେ। ଯଶପ୍ରୀତ ବୁମ୍ରା ଓ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତିରେ ଏବେ ଆକାଶ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ମଙ୍ଗ ସମ୍ଭାଳିଛନ୍ତି।

୨୯ ବର୍ଷୀୟ ଆକାଶଙ୍କ ଜୀବନର ଗତିପଥ ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନ ଆୟୋଜନ କରିଥିବା ଟ୍ରାଏଲ ବେଳେ ବଦଳି ଥିଲା। ସେତେବେଳେ ଆକାଶଙ୍କୁ କେବଳ ୨୪ ବର୍ଷ ବୟସ ହୋଇଥିଲା। ୱାସିମ ଜାଫର ତାଙ୍କ ଟାଲେଣ୍ଟକୁ ଦେଖି ରାଜ୍ୟ ଟିମ ପାଇଁ ତାଙ୍କୁ ଚୟନ କରିଥିଲେ। କିନ୍ତୁ ସେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ତେବେ ମନୀଷ ଝା ଉତ୍ତରାଖଣ୍ଡର କୋଚ୍ ହେବା ପରେ ଆକାଶ ମଧୱାଲ ନିଜର ଚମକ ଦେଖାଇବା ଆରମ୍ଭ କରିଥିଲେ।

ଟେନିସ ବଲରେ ବୋଲିଂ କରିବା ଅଭ୍ୟାସ ଥିବାରୁ ଆକାଶ ଡ୍ୟୁଜ ବଲରେ କିଛି ଦିନ ପାଇଁ ନିଜକୁ ଅଭ୍ୟସ୍ତ କରି ପାରି ନଥିଲେ। ଏଥିସହ ସେ ଆରମ୍ଭରୁ ଅନେକ କିଛି କରିବାକୁ ଚେଷ୍ଟା କରିଥିଲେ। ସେ ଟିଭିରୁ ବିଭିନ୍ନ ବୋଲରଙ୍କୁ ଦେଖି ସେଭଳି ହେବାକୁ ଚାହୁଁଥିଲେ। ଏହା ଜାଣିପାରି ମନୀଷ ଝା ତାଙ୍କୁ ପ୍ରଥମେ ନିଜ ବୋଲିଂ ଉପରେ କେବଳ ଫୋକସ କରିବାକୁ କହିଥିଲେ।

ସେ ତାଙ୍କୁ କେବଳ ଜୋର୍‌ରେ ବୋଲିଂ କରିବାକୁ ପରାମର୍ଶ ଦେବା ସହ ରନ ଲିକ୍‌ ଉପରେ ଧ୍ୟାନ ନ ଦେବାକୁ କହିଥିଲେ। ଏଥିସହ ଯେତେ ରନ ଦେଲେ ମଧ୍ୟ ସେ ସବୁ ମ୍ୟାଚ୍‌ ରାଜ୍ୟ ପାଇଁ ଖେଳିବେ ବୋଲି ଝା ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ବିଶ୍ୱାସ ଓ ଭରସା ତାଙ୍କ ଭିତରେ ନୂଆ ସ୍ପାର୍କ ସୃଷ୍ଟି କରିଥିଲା। ସେ କ୍ରମାଗତ ଭାବେ ନିଜ ବୋଲିଂ ଉପରେ ଫୋକସ କରି ସମସ୍ତଙ୍କୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଥିଲେ।

ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆକାଶଙ୍କ ବାପା ନାହାନ୍ତି। ତାଙ୍କ ପରିବାର ମଧ୍ୟ ଆର୍ଥିକ ସ୍ତରରେ ସେତାଟା ଶକ୍ତିଶାଳୀ ନୁହନ୍ତି। ତଥାପି ସେ ଇଞ୍ଜିନିୟରିଂ ଡିଗ୍ରୀ ପରେ ଚାକିରି ପଛରେ ନ ଗୋଡ଼ାଇ କ୍ରିକେଟକୁ ନିଜର ପେଶା ଓ ନିଶା ଭାବେ ବାଛି ନେଇଥିଲେ। ଧଳା ବଲରେ ସେ ଅଧିକ ସଫଳ ପାଇଥିଲେ ହେଁ ଏଯାଏ ରେଡ୍‌ ବଲ୍‌ରେ ଆକ୍ୟୁରସୀ ହାସଲ କରି ନାହାନ୍ତି। ଏବେ ବି ତାଙ୍କୁ ଅନେକ କିଛି ଶିଖିବାର ଅଛି ବୋଲି ମନୀଷ ଝା କହିଛନ୍ତି।

Indian Cricket Team Cricket IPL