Advertisment

ଅଶ୍ୱିନୀ କୁମାର: ସାଇକେଲ ଯାତ୍ରାରୁ ଆଇପିଏଲ, ଟସ୍‌ ବେଳେ ନାଁ ଭୁଲି ଯାଇଥିଲେ ହାର୍ଦ୍ଦିକ

ଅଶ୍ୱିନୀ କୁମାରଙ୍କୁ ଯେତେବେଳେ ମ୍ୟାଚ୍‌ ଖେଳିବାକୁ ଚୟନ କରାଯାଇଥିଲା ସେତେବେଳେ ସେ ପୂରା ନର୍ଭସ ହୋଇ ଯାଇଥିଲେ। ଏଥିପାଇଁ ସେ ଲଞ୍ଚରେ କେବଳ ଗୋଟିଏ କଦଳୀ ଖାଇଥିଲେ।

Ashwani Kumar

Ashwani Kumar

Advertisment

ଆଇପିଏଲରେ ପୁଣି ଜଣେ ଯୁବ ତାରକାଙ୍କ ଚମକ। ପ୍ରଥମେ ବିଘ୍ନେଶ ପୁଥୁର ମୁମ୍ବାଇ ପାଇଁ ଡେବ୍ୟୁ କରି ରାତାରାତି ଷ୍ଟାର ବନି ଯାଇଥିଲେ। ଏବେ ଆଉ ଜଣେ ଖେଳାଳି ମୁମ୍ବାଇ ପାଇଁ ଡେବ୍ୟୁ ମ୍ୟାଚ୍‌ରେ ରେକର୍ଡ ବ୍ରେକିଂ ପ୍ରଦର୍ଶନ କରିଛନ୍ତି। ସେହି ଯୁବ ତାରକା ଜଣଙ୍କ ହେଲେ ଅଶ୍ୱିନୀ କୁମାର। ଦିନକ ତଳେ ତାଙ୍କୁ କେହି ଜାଣି ନଥିଲେ, ହେଲେ ଏବେ ସେ ପୂରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Advertisment

ବାମହାତୀ ଦ୍ରୁତ ବୋଲର ଅଶ୍ୱିନୀ କୁମାର ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଥିଲେ। କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସେ ଡେବ୍ୟୁ ମ୍ୟାଚ୍‌ ଖେଳି ୪ ୱିକେଟ ଦଖଲ କରିଛନ୍ତି। ପଞ୍ଜାବର ମୋହାଲି ଅନ୍ତର୍ଗତ ଝାନଝେରିରେ ଜନ୍ମ ଗ୍ରହଣ କରିଥିବା ଅଶ୍ୱିନୀ କୁମାର ୩ ଓଭରରେ ୨୪ ରନ ଦେଇ ୪ ୱିକେଟ ଦଖଲ କରିବାରୁ କେକେଆର ୧୧୬ ରନରେ ଅଲଆଉଟ ହୋଇଯାଇଥିଲା। ୧୧୭ ରନର ଟାର୍ଗେଟକୁ ମୁମ୍ବାଇ ବେଶ ସହଜରରେ ୮ ୱିକେଟରେ ହାସଲ କରି ନେଇଥିଲା।

Advertisment

ଲାଗାତାର ୨ଟି ମ୍ୟାଚ୍‌ ହାରି ଚାପରେ ଥିବା ମୁମ୍ବାଇ ନିଜ ହୋମ ଗ୍ରାଉଣ୍ଡ ୱାଙ୍ଖେଡେରେ ବିଜୟ ଟ୍ରାକକୁ ଫେରିଛି। ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଶ୍ୱିନୀ କୁମାରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ମ୍ୟାନ ଅଫ ଦି ମ୍ୟାଚ୍ ହାସଲ କରିବା ପରେ ଅଶ୍ୱିନୀ କୁମାର କହିଛନ୍ତି, “ଖେଳିବାର ସୁଯୋଗ ପାଇବା ଓ ପୁରସ୍କାର ହାସଲ କରିବା ନିଶ୍ଚିତ ଭାବେ ମୋ ପାଇଁ ଗୋଟିଏ ବଡ଼ କଥା। କେବେ ହେଲେ ଏମିତି ହେବ ବୋଲି ଆଶା କରି ନଥିଲି। ମୁଁ କେବଳ ମୋ ବୋଲିଂ ଉପରେ ଧ୍ୟାନ ଦେଇଥିଲି। ଏବେ ବହୁତ ଖୁସି ଲାଗୁଛି। ମୋହଲିର ଝାନଝେରରୁ ମୁଁ ଆସିଛି। ଭଗବାନଙ୍କ କୃପା ଓ କଠିନ ପରିଶ୍ରମ ପାଇଁ ମୁଁ ଏଠାରେ ପହଞ୍ଚିଛି। ମୋ ଗାଁର ସମସ୍ତଙ୍କ ନଜର ମ୍ୟାଚ୍‌ ଉପରେ ରହିଥିଲା। ଏବେ ମୁଁ ଡେବ୍ୟୁ କରିବା ସହ ସବୁ କିଛି ଭଲ ହୋଇଛି।”

୨୩ ବର୍ଷୀୟ ଅଶ୍ୱିନୀ କୁମାର ନିଜ ଡେବ୍ୟୁ ମ୍ୟାଚ୍‌ର ପ୍ରଥମେ ବଲରେ କେକେଆର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ୱିକେଟ ଦଖଲ କରିଥିଲେ। ଏହାପରେ ରିଙ୍କୁ ସିଂହ, ମନୀଷ ପାଣ୍ଡେ ଓ ପାୱାର ହିଟର ଆନ୍ଦ୍ରେ ରସେଲଙ୍କ ୱିକେଟ ଦଖଲ କରିଥିଲେ। ଏହା ପୂର୍ବରୁ ମ୍ୟାଚ୍‌ର ଦ୍ୱିତୀୟ ଓଭରରେ ସେ ଚମତ୍କାର ଢଙ୍ଗରେ କ୍ୱିଣ୍ଟିନ ଡି’କକଙ୍କ କ୍ୟାଚ୍‌ ମଧ୍ୟ ଶର୍ଟ ଲଙ୍ଗ ଅପରେ ଧରିଥିଲେ। ମୁମ୍ବାଇ ମେଗା ଅକ୍ସନ ବେଳେ ଅଶ୍ୱିନୀ କୁମାରଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା। ଏବେ ସେ ଡେବ୍ୟୁ ମ୍ୟାଚ୍‌ରେ ରେକର୍ଡ ବୁକରେ ନିଜ ନାଁ ସ୍ଥାନିତ କରିଛନ୍ତି। ସେ ଭାରତର ପ୍ରଥମ ବୋଲର ଭାବେ ଆଇପିଏଲ ଡେବ୍ୟୁରେ ୪ ୱିକେଟ ଦଖଲ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଅଶ୍ୱିନୀ କୁମାରଙ୍କୁ ଯେତେବେଳେ ମ୍ୟାଚ୍‌ ଖେଳିବାକୁ ଚୟନ କରାଯାଇଥିଲା ସେତେବେଳେ ସେ ପୂରା ନର୍ଭସ ହୋଇ ଯାଇଥିଲେ। ଏଥିପାଇଁ ସେ ଲଞ୍ଚରେ କେବଳ ଗୋଟିଏ କଦଳୀ ଖାଇଥିଲେ। ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିବାରୁ ସେ ପୂରା ଚାପରେ ଥିଲେ। ହେଲେ ପ୍ରଥମ ବଲରେ ହିଁ ସେ କମାଲ କରିଥିଲେ।

ନିଜ ସ୍ପେଲର ପ୍ରଥମ ବଲରେ ସେ ରାହାଣେଙ୍କୁ ଡିପ ପଏଣ୍ଟ ଅଞ୍ଚଳରେ କ୍ୟାଚ୍‌ ଆଉଟ କରାଇଥିଲେ। ଦ୍ୱିତୀୟ ଓଭରରେ ରିଙ୍କୁ ସିଂହ ସମାନ ସ୍ଥାନରେ କ୍ୟାଚ୍‌ ଆଉଟ ପ୍ୟାଭିଲିୟନ ଫେରିଥିଲେ। ୩ଟି ବଲରେ ପରେ ମନୀଷ ପାଣ୍ଡେଙ୍କୁ ସେ ଚମତ୍କାର ଢଙ୍ଗରେ ବୋଲ୍ଡ କରିଥିଲେ। ନିଜର ତୃତୀୟ ଓଭରରେ ରସେଲଙ୍କୁ ସେ ବୋଲ୍ଡ କରି ୪ର୍ଥ ୱିକେଟ ନେଇଥିଲେ।

ଅଶ୍ୱିନୀ କୁମାରଙ୍କ ଭଳି ଖେଳାଳିଙ୍କୁ ଠାବ କରିବାର ସବୁ ଶ୍ରେୟ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ସ୍କାଉଟ ଟିମକୁ ଦେଇଛନ୍ତି। ସେ କହିଛନ୍ତି, “ଆମେ ଆଶା କରିଥିଲୁ ଯେ ଅଶ୍ୱିନୀ ଏହି ପିଚ୍‌କୁ ଆସିବେ ଓ ତାଙ୍କ ଷ୍ଟାଇଲରେ ବୋଲିଂ କରିବେ। ସବୁ ଶ୍ରେୟ ଦଳର ସ୍କାଉଟ୍ସ ପାଖକୁ ଯାଉଛି। କାରଣ ସେମାନେ ଅଶ୍ୱିନୀଙ୍କୁ ଠାବ କରିଥିଲେ। ସେମାନେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଉଛନ୍ତି ଓ ଯୁବ ପ୍ରତିଭା ମାନଙ୍କୁ ଖୋଜି ବାହାର କରୁଛନ୍ତି। ଆମେ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲୁ। ଏହି ମ୍ୟାଚ୍‌ରେ ଅଶ୍ୱିନୀ କୁମାରଙ୍କ ପାଖରେ ଥିବା ପ୍ରତିଭା ସାମ୍ନାକୁ ଆସିଥିଲା।”

ସୋମବାର ସନ୍ଧ୍ୟା ଅଶ୍ୱିନୀ କୁମାରଙ୍କ ପାଇଁ ବେଶ ନାଟକୀୟ ଢଙ୍ଗରେ ଆରମ୍ଭ ହୋଇଥିଲା। କାରଣ ଟସ୍‌ ବେଳେ ଅଧିନାୟକ ପାଣ୍ଡ୍ୟା ତାଙ୍କ ନାଁ ଏକ ପ୍ରକାରର ଭୁଲି ଯାଇଥିଲେ। ଟସ୍‌ ବେଳେ ରବି ଶାସ୍ତ୍ରୀ ତାଙ୍କୁ ଦଳର ଚୂଡ଼ାନ୍ତ ଏକାଦଶ ସମ୍ପର୍କରେ ପଚାରିଥିଲେ। ଏହି ସମୟରେ ପାଣ୍ଡ୍ୟା କହିଥିଲେ, “ୱିଲ ଜ୍ୟାକ୍ସ କମ ବ୍ୟାକ କରିଛନ୍ତି ଓ ଆମ ସହ ଜଣେ ଡେବ୍ୟୁଟାଣ୍ଟ ରହିଛନ୍ତି। ତାଙ୍କ ନାଁ କ’ଣ.. ଅଶ୍ୱିନୀ।” ପାଣ୍ଡ୍ୟା ଟସ୍‌ ବେଳେ ଅଶ୍ୱିନୀ କୁମାରଙ୍କ ନାଁ ଭୁଲି ଯାଇଥିବାରୁ ସେ ସ୍ମିତ ହାସ୍ୟ ମଧ୍ୟ ଦେଇଥିଲେ। ଟସ୍‌ ବେଳେ ପାଣ୍ଡ୍ୟା ସିନା ତାଙ୍କ ନାଁ ଭୁଲି ଯାଇଥିଲେ, ହେଲେ ମ୍ୟାଚ୍‌ ପରେ ଏବେ ଘରେ ଘରେ ଅଶ୍ୱିନୀ କୁମାର ପରିଚୟ ହାସଲ କରି ପାରିଛନ୍ତି।

ଆଇପିଏଲ ଇତିହାସର ୬ଷ୍ଠ ବୋଲର ଭାବେ ଅଶ୍ୱିନୀ କୁମାର ଡେବ୍ୟୁ ମ୍ୟାଚ୍‌ରେ ୪ କିମ୍ବା ତା’ ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି। ଏହି ତାଲିକାରେ ଅଶ୍ୱିନୀ କୁମାରଙ୍କ ବ୍ୟତୀତ ଅଲଜାରି ଯୋଶେଫ(୧୨/୬), ଆଣ୍ଡ୍ର୍ୟୁ ଟାଏ(୧୭/୫), ଶୋଏବ ଅଖତର(୧୧/୪), କେ କୁପର(୨୬/୪) ଓ ଡାଭିଡ ୱାଇଜ(୩୩/୪) ରହିଛନ୍ତି।

ସାଇକେଲ ଯାତ୍ରାରୁ ଆଇପିଏଲ

କେକେଆର ବିପକ୍ଷରେ ଅଶ୍ୱିନୀ କୁମାର ଗୋଟିଏ ପରେ ଗୋଟିଏ ୱିକେଟ ନେଉଥିବା ବେଳେ ତାଙ୍କ ବାପା ହରକେଶ କୁମାରଙ୍କ ନଜର ବାରମ୍ବାର ଘର କୋଣରେ ପଡ଼ିଥିବା ଗୋଟିଏ ସାଇକେଲ ଉପରକୁ ଯାଉଥିଲା। ଏହାର କାରଣ ହେଲା ଅଶ୍ୱିନୀ କୁମାରଙ୍କ ଉଥାନ ପଛରେ ସାଇକେଲର ଭୂମିକା ଯଥୋଷ୍ଟ ରହିଛି। ଏହି ସାଇକେଲରେ ଅଶ୍ୱିନୀ କୁମାର ନିଜ ଗାଁ ଝାନଝେରି ଠାରୁ ୧୧ କିମି ଦୂର ଆଇଏସ ବିନ୍ଦ୍ରା ପିସିଏ ଷ୍ଟାଡିୟମକୁ ସବୁ ଦିନ ଯାତ୍ରା କରନ୍ତି। ସାଇକେଲରୁ ଅଶ୍ୱିନୀଙ୍କ କ୍ରିକେଟ ଯାତ୍ରା ଆରମ୍ଭ ହୋଇଥିଲା। ଏବେ ସେ ଆଇପିଏଲରେ ପହଞ୍ଚି ସାରିଛନ୍ତି। ପୁଅର ଏପରି ସଫଳତାରେ ଖୁସି ବାପା ହରକେଶ କୁମାର, ମା’ ମୀନା ରାଣୀ ଓ ବଡ଼ ପୁଅ ଶିବ ରାଣା କାନ୍ଦି ପକାଇଛନ୍ତି। ଗାଁରେ ହରକେଶଙ୍କ ନାଁରେ ମାତ୍ର ଦେଢ଼ ଏକର ଜମି ରହିଛି। ଏହି ଜମିକୁ ବ୍ୟବହାର କରି ହରକେଶ ରୋଜଗାର କରନ୍ତି ଓ ପରିବାର ଚଳାନ୍ତି।

ashwaniସାଇକେଲ ସହ ଅଶ୍ୱିନୀ କୁମାରଙ୍କ ପରିବାର

ପୁଅର ସଂଘର୍ଷର କାହାଣୀ ସମ୍ପର୍କରେ ସୂଚନା ଦେଇ ବାପା ହରକେଶ କହିଛନ୍ତି, “ବର୍ଷା ହେଉ କି ଖରା, ଅଶ୍ୱିନୀ କେବେ ହେଲେ ବି ମୋହାଲିରେ ଥିବା ପିସିଏକୁ ଯିବା ବନ୍ଦ କରେ ନାହିଁ। ସେ ସବୁବେଳେ ସାଇକେଲ ନେଇ ପିସିଏ ଯାଏ। ବେଳେ ଲିଫ୍ଟ ମାଗି କିମ୍ବା ଶେୟାର ଅଟୋରେ ଖେଳିବାକୁ ଯାଇଥାଏ। ସେ ମୋ ଠାରୁ ଅଟୋ ଭଡ଼ା ପାଇଁ ୩୦ ଟଙ୍କା ନେଉଥିଲା। ଯେଉଁ ଦିନ ସେ ୩୦ ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କିଣା ହେଲା ସେତେବେଳେ ଆମର ସବୁ କଷ୍ଟ ଉଭେଇ ଯାଇଥିଲା। ପ୍ରତିଦିନ ସେ ରାତି ୧୦ଟାରେ ଟ୍ରେନିଂ ସାରି ଘରକୁ ଫେରୁଥିଲା ଓ ପରଦିନ ଭୋର ୫ ଟାରୁ ଉଠି ପରିଶ୍ରମ କରୁଥିଲା। ଏବେ ସେହି ସବୁ ପରିଶ୍ରମର ଫଳ ତା’କୁ ମିଳିଛି।”

ଗାଁରେ ଥିବା ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲରୁ ଅଶ୍ୱିନୀ କୁମାରଙ୍କ କ୍ରିକେଟ ଖେଳ ଆରମ୍ଭ ହୋଇଥିଲା। ୨୦୧୪ରେ ଅଶ୍ୱିନୀ କୁମାର ସାଙ୍ଗ ଅମନ ଠାକୁରଙ୍କ ସହ ମିଶି ପ୍ରଥମ ଥର ସ୍କୁଲ ଗ୍ରାଉଣ୍ଡରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ପିସିଏ ଏକାଡେମୀରେ ଅଶ୍ୱିନୀ କୁମାର ଭାରତ ପାଇଁ ଡେବ୍ୟୁ କରି ସାରିଥିବା ଅଭିଷେକ ଶର୍ମା, ରମଣଦୀପ ସିଂହ ଓ ଅର୍ଶଦୀପ ସିଂହଙ୍କ ସହ ଖେଳିଥିଲେ। ୨୦୧୯ରେ ସେ ରଣଜୀରେ ପଞ୍ଜାବ ପାଇଁ ଡେବ୍ୟୁ କରିଥିଲେ।

ସ୍କୁଲ ପଡ଼ିଆରେ ବୋଲିଂ କରିବା ସମୟରେ ସେ ପଡ଼ୋଶୀ ଗାଁକୁ ମଧ୍ୟ ଲୋକାଲ ମ୍ୟାଚ୍‌ ଖେଳିବାକୁ ଯାଆନ୍ତି। କ୍ରିକେଟ ଖଳିବାକୁ ଆବଶ୍ୟକ ବଲ ଓ ସ୍କାଇକ୍ସ ଅଶ୍ୱିନୀ କୁମାରଙ୍କ ପାଖରେ ନଥିଲେ। ତାଙ୍କ ବନ୍ଧୁମାନେ ଏସବୁ କିଣିବାରେ ତାଙ୍କୁ ସହଯୋଗ କରନ୍ତି। ଏବେ ସମସ୍ତଙ୍କ ପରିଶ୍ରମ ଓ ଅବଦାନ ଯୋଗୁ ଅଶ୍ୱିନୀ କୁମାର ଆଇପିଏଲ ଭଳି ବଡ଼ ମଞ୍ଚରେ ପହଞ୍ଚି ପାରିଛନ୍ତି।

ମୋହାଲି କ୍ରିକେଟ ଆସୋସିଏସନ କୋଚ୍‌ ହରବିନ୍ଦର ବୈଦୱାନ ୨୦୧୬ରେ ପିସିଏ ଷ୍ଟାଡିୟମ ନିକଟରେ ଥିବା ଏମସିଏ ଗ୍ରାଉଣ୍ଡରେ ଅଶ୍ୱିନୀ କୁମାରଙ୍କୁ ପ୍ରଥମଥର ଦେଖିଥିଲେ। ଗ୍ରାଉଣ୍ଡରେ ୨୦୦ ଜଣ ଖେଳୁଥିବା ବେଳେ ଅଶ୍ୱିନୀ କୁମାର ନିଜ ବୋଲିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିପାରୁ ଥିଲେ। ଇଣ୍ଟ୍ରା-ଡିଷ୍ଟ୍ରିକର ଗୋଟିଏ ମ୍ୟାଚ୍‌ର ଶେଷ ଓଭରରେ ଅଶ୍ୱିନୀ କୁମାର ୨୦ ରନ ଦେଇଥିଲେ। ଏଥିରେ ସେ ଭାଙ୍ଗି ପଡ଼ି ନଥିଲେ, ବରଂ ସେହି ଦିନ ସନ୍ଧ୍ୟାରେ ସେ ନେଟ୍ସକୁ ଆସିବା ସହ ବୋଲିଂ କରିଥିଲେ। ନିଜ ବୋଲିଂକୁ ଆହୁରି ଶାଣିତ କରିବାକୁ ଚେଷ୍ଟା କରିଥିଲେ। 

ପିସିଏ ଏକାଡେମୀରେ ଅଶ୍ୱିନୀ କୁମାର କୋଚ ଦୀନେଶ, ସୁମିତ ଓହରି ଓ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭିଆରଭି ସିଂହଙ୍କ ଅଧୀନରେ ତାଲିମ ନେଇଥିଲେ। ୨୦୨୩ରେ ଶେର-ଇ ପଞ୍ଜାବ ଟି-୨୦ କପ ଜିତିଥିବା ବିଆରଭି ବ୍ଲାଷ୍ଟର୍ସ ଟିମରେ ମଧ୍ୟ ଅଶ୍ୱିନୀ କୁମାର ରହିଥିଲେ। ଶେର-ଇ-ପଞ୍ଜାବ କପର ୨ଟି ସଂସ୍କରଣରେ ୧୩ଟି ୱିକେଟ ନେଇଥିଲେ।

Ashwaniଅଶ୍ୱିନୀ କୁମାରଙ୍କ ରଣଜୀ ପରିଚୟପତ୍ର

ଅଶ୍ୱିନୀ କୁମାର ଚେନ୍ନାଇ ସୁପର କିଙ୍ଗସ, କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପାଇଁ ଟ୍ରାଏଲ ଦେଇଥିଲେ। କିନ୍ତୁ ତାଙ୍କୁ କୌଣସି ଦଳ ନିଜ ସହ ସାମିଲ କରି ନଥିଲେ। ଏହାପୂର୍ବରୁ ୨୦୨୦ରେ ଅଶ୍ୱିନୀ କୁମାର ଟେନିସ ଏଲବୋର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ ଗୋଟିଏ ବର୍ଷରୁ ଅଧିକ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ପଡ଼ିଥିଲା।

ଅଶ୍ୱିନୀ କୁମାରଙ୍କ ବଡ଼ ଭାଇ ଶିବ ରାଣା କହିଛନ୍ତି, “ବିଭିନ୍ନ ଆଇପିଏଲ ଟିମର ଟ୍ରାଏଲରେ ସେ ନଜର ଆସିଥିଲା। କିନ୍ତୁ ସେ ସବୁବେଳେ ଯଶପ୍ରୀତ ବୁମ୍ରା ଓ ମିଚେଲ ଷ୍ଟାର୍କଙ୍କ ଭଳି ହେବାକୁ ଚାହୁଁଥିଲା। ସାଙ୍ଗମାନେ ଟଙ୍କା ସଂଗ୍ରହ କରି ତା’ ପାଇଁ ବଲ କିଣୁଥିଲେ। ସେ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୩୦ ଲକ୍ଷରେ କିଣା ହେଲା ସେତେବେଳେ ସେ ଗାଁ ନିକଟରେ ଥିବା ଏକାଡେମୀରେ କିଟ୍ସ ଓ ବଲ ବାଣ୍ଟି ଥିଲା।”

IPL Mumbai Indians IPL 2025 Ashwani Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe