ପାକିସ୍ତାନ ବିପକ୍ଷରେ ବିଶ୍ୱ ରେକର୍ଡ କରିଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଲରାଉଣ୍ଡର ମହମ୍ମଦ ଆବ୍ବାସ। ସେ ଦିନିକିଆ ଡେବ୍ୟୁରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ଡେବ୍ୟୁରେ ତାଙ୍କ ବ୍ୟାଟରୁ ବାହାରିଛି ଦ୍ରୁତତମ ଦିନିକିଆ ଅର୍ଦ୍ଧଶତକ। ମହମ୍ମଦ ଆବ୍ବାସଙ୍କ ଜନ୍ମ ଲାହୋରରେ ହୋଇଥିଲା। ଏବେ କିନ୍ତୁ ସେ ନ୍ୟୁଜିଲ୍ୟାଣ୍ଡର ନାଗରିକ। ନ୍ୟୁଜିଲ୍ୟାଣ୍ଡ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଆବ୍ବାସ ନିଜ ଜନ୍ମିତ ଦେଶ ପାକିସ୍ତାନ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଛନ୍ତି।
ଡେବ୍ୟୁ ମ୍ୟାଚ୍ରେ ସେ ୫୨ ରନର ଇନିଂସ ଖେଳି ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଦିନିକିଆରେ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେବେ ଆଜିର ମ୍ୟାଚ୍ରେ ଆବ୍ବାସ ୨୪ ବଲରେ ୫୦ ରନ ପୂରଣ କରିବା କ୍ଷଣି ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲେ। ଏହା ପୂର୍ବରୁ ଏହି ରେକର୍ଡ ଭାରତର କୃନାଲ ପାଣ୍ଡ୍ୟାଙ୍କ ନାଁରେ ରହିଥିଲା।
ସେ ତାଙ୍କ ଡେବ୍ୟୁ ଦିନିକିଆରେ ମାତ୍ର ୨୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲା। ୨୦୨୧ରେ ଇଂଲଣ୍ଡ ବିପକ୍ଷ ଡେବ୍ୟୁରେ କୃନାଲ ପାଣ୍ଡ୍ୟା ଏପରି ରେକର୍ଡ କରିଥିଲେ। କିନ୍ତୁ ଆଜି ତାଙ୍କ ରେକର୍ଡକୁ ୨୧ ବର୍ଷୀୟ ଆବ୍ବାସ ଅତିକ୍ରମ କରି ଯାଇଛନ୍ତି। ଏବେ ସେ ବିଶ୍ୱର ଦ୍ରୁତତମ ବ୍ୟାଟର ଭାବେ ଦିନିକିଆ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କରିଛନ୍ତି।
ମହମ୍ମଦ ଆବ୍ବାସ କିଏ?
୨୦୦୩ ମସିହା ନଭେମ୍ବର ମାସରେ ପାକିସ୍ତାନର ଲାହୋରରେ ଜନ୍ମ ଗ୍ରହଣ କରିଥିଲେ ଆବ୍ବାସ। କ୍ରିକେଟ ତାଙ୍କ ରକ୍ତରେ ରହିଥିଲା। କାରଣ ତାଙ୍କ ବାପା ଆଝାର ଆବ୍ବାସ ୯୦ ଦଶକରେ ପାକିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳୁଥିଲେ। ସିନିୟର ଆବ୍ବାସ ପାକିସ୍ତାନ ପାଇଁ ୪୫ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ୍ ଖେଳିଛନ୍ତି। ସେ ଜଣେ ମିଡିୟମ ପେସର ଭାବେ ପରିଚିତ ଥିଲେ।
୩ ବର୍ଷ ବୟସରୁ ହିଁ ମହମ୍ମଦ ଆବ୍ବାସ କ୍ରିକେଟ ପ୍ରତି ଆକୃଷ୍ଟ ହୋଇଥିଲା। ହେଲେ ସେତେବେଳେକୁ ଆଝାର ଓ ତାଙ୍କ ପରିବାର ନ୍ୟୁଜିଲ୍ୟାଣ୍ଡ ଚାଲି ଆସିଥିଲେ। ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଆଝାର ନିଜର କ୍ରିକେଟ କ୍ୟାରିୟର ଆଗକୁ ନେବାକୁ ଚେଷ୍ଟା କରିଥିଲା। ସେ ୱେଲିଙ୍ଗଟନ ଓ ଅକଲ୍ୟାଣ୍ତ ପାଇଁ ମ୍ୟାଚ୍ ଖେଳିଛନ୍ତି। ଏବେ ଆଝାର ୱେଲିଙ୍ଗଟନ ଫାୟାରବାର୍ଡସର ଆସିସଷ୍ଟାଣ୍ଟ କୋଚ ଭାବେ କାମ କରୁଛନ୍ତି।
ଆଝାରଙ୍କ ରାସ୍ତାରେ ତାଙ୍କ ପୁଅ ମହମ୍ମଦ ପିଲାଟି ବେଳୁ ଚାଲିବା ଆରମ୍ଭ କରିଥିଲେ। ନିଜର ପ୍ରଦର୍ଶନ ବଳରେ ନ୍ୟୁଜିଲ୍ୟାଣ୍ଡର ଘରୋଇ କ୍ରିକେଟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ। ବାପାଙ୍କ ଭଳି ସେ ମଧ୍ୟ ଅକଲ୍ୟାଣ୍ଡ ଓ ୱେଲିଙ୍ଗଟନ ପାଇଁ ଖେଳିଥିଲେ। ୱେଲିଙ୍ଗଟନ ପାଇଁ ମାତ୍ର ୨୧ଟି ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୩୦୦ରୁ ଅଧିକ ରନ କରିଥିଲେ। ତାଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ହେଉଛି ୧୩୦। ସେ ୧୨ଟି ୱିକେଟ ମଧ୍ୟ ନେଇଛନ୍ତି। ଆବ୍ବାସଙ୍କ ଦ୍ରୁତ ଉତ୍ଥାନ ତାଙ୍କୁ ନ୍ୟୁଜିଲ୍ୟାଣ୍ଡର ଜାତୀୟ ଟିମରେ ସୁଯୋଗ ମିଳିବାରେ ସହାୟକ ହୋଇଛି। ସେ ପାକିସ୍ତାନ ବିପକ୍ଷ ଡେବ୍ୟୁ ଦିନିକିଆରେ ମଧ୍ୟ ରେକର୍ଡ ଅର୍ଦ୍ଧଶତକ ସହ ନିଜର ବଳିଷ୍ଠତା ଦେଖାଇ ପାରିଛନ୍ତି।
ମହମ୍ମଦଙ୍କ ବାପା ଆଝାର ଆବ୍ବାସ କହିଛନ୍ତି, “ସବୁବେଳେ ଆମକୁ ସବୁ ସ୍ଥାନରେ ଖେଳିବାକୁ ମିଳିଯାଉଥିଲା। ସେଠାରେ କେମିତି କ୍ରିକେଟ ଖେଳାଯିବ, ତା’କୁ ମୁଁ ନିଶ୍ଚିତ କରୁଥିଲି। ସବୁବେଳେ ଆମେ ଏକାଠି ଖେଳୁଥିଲୁ।” କିନ୍ତୁ ଆଜିର ଦିନରେ ଉଭୟ ଏକାଠି ଖେଳି ନାହାନ୍ତି। କାରଣ ୨୧ ବର୍ଷୀୟ ଜୁନିୟର ଆବ୍ବାସଙ୍କୁ ଏମିତି ଏକ କଲ ମିଳିଥିଲା, ଯାହାକୁ ସେ କେବେ ହେଲେ ଆଶା କରି ନଥିଲେ। ତାଙ୍କୁ ଫୋନ କରିଥିବା ବ୍ୟକ୍ତି ଥିଲେ ନ୍ୟୁଜିଲ୍ୟାଣ୍ଡ ଜାତୀୟ ଟିମର ମୁଖ୍ୟ କୋଚ ଗ୍ୟାରି ଷ୍ଟେଡ। ଶେଷ ଦୁଇଟି ଲିଷ୍ଟ ଏ ଇନିଂସରେ ଜୁନିୟର ଆବ୍ବାସ ୧୦୪ ଓ ୫୦ ରନ କରିଥିଲେ। ଏଥିପାଇଁ ତାଙ୍କୁ ଗ୍ୟାରୀ ଫୋଦ କରି ଜାତୀୟ ଟିମ ସ୍କ୍ୱାଡରେ ସେ ରହିଥିବା ଜଣାଇଥିଲେ। ଆଜି ସେ ନିଜ ଜନ୍ମିତ ଦେଶ ବିପକ୍ଷରେ ଡେବ୍ୟୁ କରିଛନ୍ତି।
ସ୍କୁଲ ଓ ଜିଲ୍ଲା ସ୍ତରୀୟ କ୍ରିକେଟ ଖେଳିବା ସମୟରେ ମହମ୍ମଦ ଆବ୍ବାସ ବୋଲିଂ ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କ ବାପା ପୁଅ ପାଖରେ ଥିବା ଦକ୍ଷତା ସମ୍ପର୍କରେ ସୂଚନା ପାଇଥିଲେ। ଏହାର କିଛି ମାସ ମଧ୍ୟରେ ଗୋଟିଏ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ସେ ୭ଟି ଶତକ ମାରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହି ସମୟରେ ସେ ଦଳ ପାଇଁ ଓପନିଂ ବୋଲିଂ କରୁଥିଲେ। ତାଙ୍କ ବ୍ୟାଟରୁ ମଧ୍ୟ ରନ ବାହାରୁ ଥିଲା। ଏହା ଦେଖି ତାଙ୍କୁ ଆଝାର ଆବ୍ବାସ ଅଲରାଉଣ୍ଡର ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରିଥିଲେ। ଆବ୍ବାସଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ଆଝାର ତାଙ୍କୁ ଟ୍ରେନଂ ଦେଇଥିଲେ।
The moment 21-year-old Muhammad Abbas registered the fastest-ever fifty on ODI debut! Follow LIVE and free in NZ on TVNZ + & DUKE 📺 and @SportNationNZ 📻 Live scoring | https://t.co/CvmR1mQN5I #NZvPAK #CricketNation pic.twitter.com/6KtLNYbLIh
— BLACKCAPS (@BLACKCAPS) March 29, 2025
ତେବେ ମହମ୍ମଦ କେବଳ କ୍ରିକେଟ ଉପରେ ଫୋକସ କରୁ ନଥିଲେ। କାରଣ କ୍ରିକେଟରେ ଭବିଷ୍ୟତକୁ ନେଇ ସେ ନିଶ୍ଚିତ ହୋଇ ପାରୁ ନଥିଲେ। ଏଥିପାଇଁ ମହମ୍ମଦ ଫୁଟବଲ ମଧ୍ୟ ଖେଳୁଥିଲେ। ଏକାଧିକ କ୍ଲବ ଓ ସ୍କୁଲ ସ୍ତରୀୟ ଫୁଟବଲ ମ୍ୟାଚ୍ ମଧ୍ୟ ସେ ଖେଳିଛନ୍ତି।
୧୬ ବର୍ଷ ବୟସରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ତାଙ୍କୁ ସ୍ୱତନ୍ତ୍ର ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମରେ ସାମିଲ କରିଥିଲା। ଏହାର କିଛି ବର୍ଷ ପରେ କ୍ରିକେଟ ୱେଲିଙ୍ଗଟନ ତାଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ସୁଯୋଗ ଦେଇଥିଲା। ବାପା ୱେଲିଙ୍ଗଟନର ଅତିରିକ୍ତ କୋଚ ଥିବାରୁ ସେ ମଧ୍ୟ ପୁଅର କ୍ରିକେଟ ଯାତ୍ରାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏବେ ସେ ନ୍ୟୁଜିଲ୍ୟାଣ୍ଡ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଛନ୍ତି। ସେ ଆଗାମୀ ଦିନରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଗୋଟିଏ ବଡ଼ ସମ୍ପଦ ହେବାର ଆଶା ରହିଛି।
ଆଜିର ମ୍ୟାଚ୍ କଥା ବିଚାରକୁ ନେଲେ ଟସ୍ ହାରି ନାପିୟରରେ ବ୍ୟାଟିଂ କରୁଥିବା ଘରୋଇ ନ୍ୟୁଜିଲ୍ୟାଣ୍ଡ ମାର୍କ ଚାମ୍ପମାନଙ୍କ ୧୩୨, ଡାରେଲ ମିଚେଲଙ୍କ ୭୬ ଓ ମହମ୍ମଦ ଆବ୍ବାସଙ୍କ ବିସ୍ଫୋରକ ୫୨ ରନ ବଳରେ ୯ ୱିକେଟ ହରାଇ ୩୪୪ ରନ କରିଥିଲା।
ମହମ୍ମଦ ରିଜୱାନଙ୍କ ପାକିସ୍ତାନ ଲଢ଼େଇ କରିଥିଲେ ହେଁ ୪୪.୧ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୭୧ ରନ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦିନିକିଆକୁ ୭୩ ରନରେ ଜିତି ୩ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ବ୍ୟାଟିଂରେ ରେକର୍ଡ ଅର୍ଦ୍ଧଶତକ ହାସଲ କରିଥିବା ଆବ୍ବାସ ବୋଲିଂରେ ମଧ୍ୟ ଗୋଟିଏ ୱିକେଟ ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।