Advertisment

ରୋହିତ, ରାହାଣେ ଓ ଦୁବେଙ୍କୁ ଆଉଟ କରି ଚର୍ଚ୍ଚାରେ ୬ ଫୁଟ ୪ ଇଞ୍ଚର ବୋଲର ଉମର ମୀର

ଆଜି ୩୧ ବର୍ଷୀୟ ଉମର ନିଜର ବୋଲିଂ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ନିଜ ପେସ୍‌ ଓ ବାଉନ୍ସ ମାଧ୍ୟମରେ ସେ ନିୟମିତ ଭାବେ ମୁମ୍ବାଇର ବ୍ୟାଟରମାନଙ୍କୁ ଘାଇଲା କରି ଚାଲିଥିଲେ।

author-image
Hemant Lenka
Umar Mir

Umar Mir

ଚର୍ଚ୍ଚା ଦ୍ରୁତ ବୋଲର ଉମର ନାଜିର ମୀର। ଜମ୍ମୁ-କଶ୍ମୀର ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଉମର ଆଜି ମୁମ୍ବାଇ ବିପକ୍ଷରେ ଦମଦାର ବୋଲିଂ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ଆଜି ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ ଓ ଶିବମ ଦୁବେଙ୍କ ଭଳି ଷ୍ଟାର ବ୍ୟାଟରଙ୍କୁ ନିଜ ଘାତକ ବୋଲିଂରେ ଚକମା ଦେଇ ପ୍ୟାଭିଲିୟନ ପଠାଇଛନ୍ତି। ଉମର ମୁମ୍ବାଇର ଅନ୍ୟତମ ଷ୍ଟାର ହାର୍ଦ୍ଦିକ ତାମୋରେଙ୍କ ୱିକେଟ ବି ନେଇଛନ୍ତି।

Advertisment

ଆଜି ୩୧ ବର୍ଷୀୟ ଉମର ନିଜର ବୋଲିଂ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ନିଜ ପେସ୍‌ ଓ ବାଉନ୍ସ ମାଧ୍ୟମରେ ସେ ନିୟମିତ ଭାବେ ମୁମ୍ବାଇର ବ୍ୟାଟରମାନଙ୍କୁ ଘାଇଲା କରି ଚାଲିଥିଲେ। ସେ ୧୧ ଓଭର ବୋଲିଂ କରି ୪୧ ରନ ଦେବା ସହ ୪ଟି ୱିକେଟ ଦଖଲ କରିଛନ୍ତି। ଏଥିଯୋଗୁ ଷ୍ଟାର ଖଚିତ ମୁମ୍ବାଇ ତା’ର ପ୍ରଥମ ଇନିଂସରେ ମାତ୍ର ୧୨୦ ରନ କରି ଅଲଆଉଟ ହୋଇଯାଇଛି। ୬ ଫୁଟ ୪ ଇଞ୍ଚ ଉଚ୍ଚତାର ମୀରଙ୍କ ପେସ୍‌ ବୋଲିଂ ଦେଖି ସମସ୍ତେ ପ୍ରଭାବିତ ହୋଇଛନ୍ତି।

ଉମର ନାଜିର ପ୍ରଥମେ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମା(୩)ଙ୍କୁ ଶର୍ଟ ପିଚ୍‌ ବଲରେ ଆଉଟ କରିଥିଲେ। ରୋହିତ ତାଙ୍କ ପେସ୍‌ ଓ ବାଉନ୍ସକୁ ଆଦୌ ବୁଝି ପାରି ନଥିଲେ। ଏହାପରେ ୧୨ ରନ କରିଥିବା ରାହାଣେଙ୍କୁ ମୀର କ୍ଲିନବୋଲ୍ଡ କରି ଦେଇଥିଲେ। ୧୪ତମ ଓଭରର ଦ୍ୱିତୀୟ ବଲରେ ହାର୍ଦ୍ଦିକ ଓ ୫ମ ବଲରେ ଶିବମ ଦୁବେଙ୍କୁ ଖାତା ଖୋଲିବା ପୂର୍ବରୁ ମୀର ପ୍ୟାଭିଲିୟନ ପଠାଇ ଦେଇଥିଲେ।

Advertisment

ଜମ୍ମୁ-କଶ୍ମୀର ପାଇଁ ମୀର ଦୀର୍ଘଦିନ ହେଲା କ୍ରିକେଟ ଖେଳୁଥିଲେ ହେଁ କେବେ ହେଲେ ଚର୍ଚ୍ଚାକୁ ଆସି ନଥିଲେ। କିନ୍ତୁ ଆଜି ମୁମ୍ବାଇ ବିପକ୍ଷ ରଣଜୀ ମ୍ୟାଚ୍‌ରେ ସେ ଘାତକ ବୋଲିଂ କରିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ମୀର ୨୦୧୩ରେ ଜମ୍ମୁ-କଶ୍ମରୀ ପାଇଁ ଡେବ୍ୟୁ କରିଥିଲେ। ସେବେଠାରୁ ଇତି ମଧ୍ୟରେ ସେ ୫୭ଟି ମ୍ୟାଚ୍‌ ଖେଳି ୧୩୮ଟି ୱିକେଟ ନେଇଛନ୍ତି। ଲିଷ୍ଟ ଏ କ୍ରିକେଟରେ ତାଙ୍କ ୱିକେଟ ସଂଖ୍ୟା ୫୪ ଥିବା ବେଳେ ଟି-୨୦ ଫର୍ମାଟରେ ମୀର ୩୨ଟି ୱିକେଟ ନେଇଛନ୍ତି।

ଜମ୍ମୁ-କଶ୍ମୀରର ପୁଲୱାମାରେ ଜନ୍ମ ଗ୍ରହଣ କରିଥିବା ମୀରଙ୍କ ଉଚ୍ଚତେ ୬ ଫୁଟ ୪ ଇଞ୍ଚ। ୨୦୧୮-୧୯ରେ ତାଙ୍କୁ ଦେଓଧର ଟ୍ରଫି ପାଇଁ ଘୋଷଣା ହୋଇଥିବା ଇଣ୍ଡିଆ ସି ସ୍କ୍ୱାଡରେ ରଖାଯାଇଥିଲା। ଉମର ନଜିର ମୀର ଜମ୍ମୁ-କଶ୍ମୀର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ୫ଥର ପାଇଁ ୪ଟି ୱିକେଟ ନେଇଛନ୍ତି।

ଚଳିତ ରଣଜୀ ଟ୍ରଫିରେ ଏଯାଏ ୩ଟି ମ୍ୟାଚ୍‌ର ୫ଟି ଇନିଂସରେ ବୋଲିଂ କରିଥିବା ମୀର ୯.୯୩ ହାରରେ ୧୫ଟି ୱିକେଟ ନେଇଛନ୍ତି। ତାଙ୍କ ବୋଲିଂ ଇକୋନୋମୀ ୨.୯୩ ରହିଛି। ସେହିପରି ଗତବର୍ଷ ସର୍ଭିସେସ ବିପକ୍ଷରେ ସେ ୫୩ ରନରେ ୬ଟି ୱିକେଟ ମଧ୍ୟ ଦଖଲ କରିଥିଲେ। ଏହା ତାଙ୍କ ରଣଜୀ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। 

ଉମର ନାଜିର ମୀରଙ୍କ ଲିଷ୍ଟ ଏ ଓ ଟି-୨୦ ସଂଖ୍ୟା

ନଜିର ୨୦୧୩ ମସିହା ଡିସେମ୍ବର ମାସରେ ଆସାମ ବିପକ୍ଷ ମ୍ୟାଚ୍‌ରେ ଜମ୍ମୁ-କଶ୍ମୀର ପାଇଁ ଡେବ୍ୟୁ କରିଥିଲେ। ନାଲି ବଲରେ ସେ ଏଯାଏ ୫୭ଟି ମ୍ୟାଚ ଖେଳିଥିବା ବେଳେ ୨୯.୧୨ ହାରରେ ୧୩୮ଟି ୱିକେଟ ପାଇଛନ୍ତି। ତାଙ୍କ ନାଁରେ ୬ ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ରହିଛି। ଏହା ବ୍ୟତୀତ ସେ ୩୬ଟି ଲିଷ୍ଟ ଏ କ୍ରିକେଟରେ ୨୮.୮୩ ହାରରେ ୫୪ଟି ୱିକେଟ ନେଇଛନ୍ତି। ଏହି ଫର୍ମାଟରେ ମୀର ଗୋଟିଏ ଥର ୫ଟି ୱିକେଟ ବି ନେଇଥିଲେ।

ଟି-୨୦ ଫର୍ମାରେ ୩୧ ବର୍ଷୀୟ ମୀର ୧୯.୪୦ ହାରରେ ୨୪ଟି ଇନିଂସରେ ୩୨ଟି ୱିକେଟ ପାଇଛନ୍ତି। ସେ ୭.୧୬ ହାରରେ ରନ ଦେଇ ଗୋଟିଏ ଥର ୫ଟି ୱିକେଟ ଦଖଲ କରିଥିଲେ। ଟି-୨୦ରେ ମୀର ପଞ୍ଜାବ ବିପକ୍ଷ ଗୋଟିଏ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ ମାତ୍ର ୧୫ ରନ ଦେଇ ୪ ୱିକେଟ ଦଖଲ କରିଥିଲେ। ଏହି ପ୍ରଦର୍ଶନ ବଳରେ ଜମ୍ମୁ-କଶ୍ମୀର ୨୦୧୭ ଅନ୍ତଃରାଜ୍ୟ ଟି-୨୦ ଟୁର୍ଣ୍ଣାମେଣ୍ଟରେ ୧୨୭ ରନକୁ ପଞ୍ଜାବ ବିପକ୍ଷରେ ଡିଫେଣ୍ଡ କରି ବିଜୟୀ ହୋଇଥିଲା।

ଦମଦାର ପ୍ରଦର୍ଶନ ସତ୍ତ୍ୱେ ମୀରଙ୍କୁ ଆଜି ଯାଏ ଆଇପିଏଲରେ ସୁଯୋଗ ମିଳିନାହିଁ। ତଥାପି ସେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନେଟ୍ସ ବୋଲର ଭାବେ ନିଜ ଜଲୱା ଦେଖାଇ ସାରିଛନ୍ତି।

Jammu Kashmir Ranji Trophy Umar Mir