Advertisment

କେରଳ କ୍ରିକେଟ ଲିଗ୍‌ରୁ ଆଇପିଏଲ: ଚର୍ଚ୍ଚାରେ ଅଟୋ ଚାଳକଙ୍କ ପୁଅ ବିଘ୍ନେଶ ପୁଥୁର

ବିଘ୍ନେଶ ପୁଥୁର ଏଯାଏ କେରଳ ପାଇଁ ରଣଜୀ ଟ୍ରଫି କିମ୍ବା ଅନ୍ୟ କୌଣସି ସିନିୟର ବର୍ଗରେ ଖେଳି ନାହାନ୍ତି। କିନ୍ତୁ ସେ ଆଇପିଏଲ ଭଳି ବଡ଼ ମଞ୍ଚରେ ନିଜର ପ୍ରଭାବ ଛାଡ଼ିବାକୁ ସକ୍ଷମ ହୋଇଛନ୍ତି।

ଅଦ୍ୟତନ ହୋଇଛି
Putur

Putur

Advertisment

ରବିବାର ଚେପକରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ରେ ୪ ଜଣ ନୂଆ ଖେଳାଳି ଡେବ୍ୟୁ କରିଥିଲେ। କିନ୍ତୁ ଖୁବ କମ ପରିଚିତ ବିଘ୍ନେଶ ପୁଥୁର ନିଜର ଯାଦୁ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି। ୨୩ ବର୍ଷୀୟ ଚାଇନାମ୍ୟାନ ବୋଲର ପୁଥୁର ହେଉଛନ୍ତି ଜଣେ ଅଟୋ ଚାଳକଙ୍କ ପୁଅ। ତାଙ୍କ ଘର କେରଳର ମାଲାପୁରମ ଅଞ୍ଚଳରେ। ମୁମ୍ବାଇର ସ୍କାଉଟିଂ ଟିମ ତାଙ୍କୁ କେରଳ କ୍ରିକେଟ ଲିଗରେ ଚିହ୍ନଟ କରିଥିଲା। 

Advertisment

ଘରୋଇ କ୍ରିକେଟ ଓ ସିନିୟର ଲେଭଲରେ ଆଦୌ ଖେଳି ନଥିବା ପୁଥୁର ଆଇପିଏଲରେ ସିଧା ଡେବ୍ୟୁ କରିଛନ୍ତି। ଚେନ୍ନାଇ ଭଳି ଶକ୍ତିଶାଳୀ ଟିମ ବିପକ୍ଷରେ ସେ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଖେଳାଳି ଭାବେ ଚୂଡ଼ାନ୍ତ ଏକାଦଶକୁ ଆସିଥିଲେ। ରୋହିତ ଶର୍ମାଙ୍କ ବଦଳରେ ସେ ଇମ୍ପାକ୍ଟ ଖେଳାଳି ଭାବେ ମୈଦାନକୁ ଓହ୍ଲାଇ ୪ ଓଭରରେ ୩୨ ରନ ଦେଇ ୩ ୱିକେଟ ଦଖଲ କରିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ବ୍ଲ୍ୟୁ ଓ ଗୋଲ୍ଡ ଜର୍ସି ସହ ପୁଥୁରଙ୍କ ଯାତ୍ରା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କୁ ପ୍ରାଞ୍ଚାଇଜ ୩୦ ଲକ୍ଷ ଟଙ୍କାରେ କିଣିଥିଲା। ପ୍ରାଞ୍ଚାଇଜର ଟ୍ରାଏଲ୍ସରେ ସେ ଚମକ ଦେଖାଇ ସ୍କ୍ୱାଡକୁ ଆସିଥିଲେ। ପୁଥୁର ନିଜର ଆକ୍ୟୁରେସୀ, ନିୟମିତ ଟର୍ଣ୍ଣ ଓ ଚାପ ସମୟରେ ମୁଣ୍ଡ ଥଣ୍ଡା ରଖିବାର କୌଶଳ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ସିନିୟର ଲେଭଲରେ ଅଧିକ କ୍ରିକେଟ ଖେଳି ନଥିବା ଅନଭିଜ୍ଞ ପୁଥୁରଙ୍କ ଦକ୍ଷତା ବୃଦ୍ଧିରେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। 

Advertisment

ଜାନୁଆରୀ ମାସରେ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ ପାଇଁ ଏମଆଇ କେପ ଟାଉନ ଦକ୍ଷିଣ ଆଫ୍ରିକାରେ ଏକାଠି ହୋଇଥିଲା। ଏହି ସମୟରେ ପୁଥୁରଙ୍କୁ ନେଟ ବୋଲର ଭାବେ ସେଠାକୁ ପଠାଯାଇଥିଲା। ସେଠାରେ ସେ ନିଜ ଦକ୍ଷତା ଉପରେ କାମ କରିଥିଲେ। ରାଶିଦ ଖାନଙ୍କ ଠାରୁ ବୋଲିଂ ଟିପ୍ସ ନେଇଥିଲେ। ବଡ଼ ବଡ଼ ଖେଳାଳିଙ୍କୁ ସହ ସମୟ କାଟି ସେ ଆହୁରି ବଳିଷ୍ଠତା ହାସଲ କରିଥିଲେ। ଆଇପିଏଲ ପୂର୍ବରୁ ପୁଥୁର ରିଲାନ୍ସ ଟିମ ପାଇଁ ଡିୱାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସର ନେଟ୍ସ ଓ ଅଭ୍ୟାସ ସେସନ୍ସରେ ପୁଥୁର କମାଲ କରିବାରୁ ମୁଖ୍ୟ କୋଚ ମହେଲା ଜୟବର୍ଦ୍ଧନେଙ୍କ ନେତୃତ୍ୱାଧୀନ ମ୍ୟାନଜେମଣ୍ଟ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ଦେଇଥିଲା। ରୋହିତ ଶର୍ମା ଓ ସୂର୍ଯ୍ୟ କୁମାରଦ ଯାଦବ ମଧ୍ୟ ପୁଥୁରଙ୍କୁ ଖେଳାଇବା ସପକ୍ଷରେ ମତ ରଖିଥିଲେ। ଏମଆଇ ବୋଲିଂ କୋଚ୍‌ ପାରସ ମହାମ୍ବ୍ରେକହିଛନ୍ତି, “ରୋହିତ, ସୂର୍ଯ୍ୟ ଓ ତିଲକ ବର୍ମାଙ୍କ ଭଳି ଖେଳାଳିମାନେ ପୁଥୁରଙ୍କୁ ନେଟ୍ସରେ ସାମ୍ନା କରିଥିଲେ। ତାଙ୍କୁ ଆକଳନ କରିବା ବ୍ୟାଟରଙ୍କ ପକ୍ଷରେ ଆଦୌ ସହଜ ହୋଇ ନଥିଲା। ତେଣୁ ଆମେ ତାଙ୍କୁ ମ୍ୟାଚରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲୁ। ଏହା ମଧ୍ୟ ବେଶ ଲାଭ ଦେଇଛି। ଆମେ ଗୋଟିଏ ଭଲ ନିଷ୍ପତ୍ତି ନେଇଥିଲୁ।”

ମହାମ୍ବ୍ରେ ମୁମ୍ବାଇ ଇଣ୍ଡିଆନ୍ସର ସ୍କାଉଟିଂ ଟିମକୁ ମଧ୍ୟ ପ୍ରଶଂସା କରିଛନ୍ତି। କାରଣ ସ୍କାଉଟିଂ ଟିମ ହିଁ ପୁଥୁରଙ୍କୁ କେରଳ କ୍ରିକେଟ ଲିଗ ବେଳେ ଚିହ୍ନଟ କରିଥିଲା। ପୁଥୁର ଚେନ୍ନାଇ ପିକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ ହେଁ ମୁମ୍ବାଇ ମ୍ୟାଚ୍‌ ହାରି ଯାଇଛି। ତଥାପି ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଖେଳାଳି ପୁଥୁରଙ୍କ ବୋଲିଂରେ ପ୍ରଭାବିତ ହୋଇଛନ୍ତି। ମ୍ୟାଚ୍‌ ପରେ ଧୋନି ନିଜେ ପୁଥୁରଙ୍କ ସହ କଥା ହୋଇ ତାଙ୍କ ବୋଲିଂକୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି।

ବିଘ୍ନେଶ ପୁଥୁର ପ୍ରଥମେ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ୱିକେଟ ନେଇଥିଲେ। ଏହାପରେ ଶିବମ ଦୁବେ ଓ ଦୀପକ ହୁଦା ତାଙ୍କ ଶିକାର ବନିଥିଲେ। ଏହି ୩ ଗୁରୁତ୍ୱପୂର୍ଣ୍ଣ ୱିକେଟ ସହ ସେ ମାତ୍ର ୩୨ ରନ ଦେଇଛନ୍ତି। କେରଳ କ୍ରିକେଟ ଲିଗରେ ପୁଥୁର ଅଲଫୁଝା ରିପ୍ପଲେସ ପକ୍ଷରୁ ଖେଳୁଥିଲେ। ଏହି ସମୟରେ ସେ ଦମଦାର ପ୍ରଦର୍ଶନ କରିବାକୁ ତାଙ୍କ ଉପରେ ଏମଆଇ ସ୍କାଉଟର ନଜର ପଡ଼ିଥିଲା।

ଏହାପରେ ମୁମ୍ବାଇ ପ୍ରାଞ୍ଚାଇଜ ତାଙ୍କୁ ଟ୍ରାଏଲ୍ସ ପାଇଁ ଡାକିଥିଲା। ଟ୍ରାଏଲ ବେଳେ ତାଙ୍କ ପ୍ରଦର୍ଶନକୁ ଜୟବର୍ଦ୍ଧନେ, ଆଇପିଏଲ ସୁପର ଷ୍ଟାର କାଏରନ ପୋଲାର୍ଡ ଓ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବେଶ ଭଲ ଭାବେ ନୀରିକ୍ଷଣ କରିଥିଲେ। ଗୋଟିଏ ଅଭ୍ୟାସ ସେସନ୍ସ ପରେ ପାଣ୍ତ୍ୟା ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଅକ୍ସନ ବେଳେ ଯେତେବେଳେ ତାଙ୍କ ନାଁ ସାମ୍ନାକୁ ଆସିଥିଲା ସେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ନେବାକୁ ଆଗ୍ରହ ଦେଖାଇଥିଲା ଓ ୩୦ ଲକ୍ଷରେ କିଣି ନିଜ ସହ ସାମିଲ କରିଥିଲା। ଆଇପିଏଲରେ ମୁମ୍ବାଇ ତାଙ୍କୁ କିଣିବା ମାତ୍ରେ ପୂରା ସହରରେ ଖୁସିର ଲହର ଖେଳି ଯାଇଥିଲା।

ବିଘ୍ନେଶ ହେଉଛନ୍ତି ଅଟୋ ଚାଳକ ସୁନୀଲ କୁମାରଙ୍କ ପୁଅ। ତାଙ୍କ ମା’ କେପି ବିନ୍ଦୁ। ପେରିନଥାଲମାନାର ଗୋଟିଏ ଘରୋଇ ବସ ଷ୍ଟାଣ୍ଡ ନିକଟରେ ତାଙ୍କ ପରିବାର ଲୋକ ରୁହନ୍ତି। ପିଟିଏମ ସରକାରୀ କଲେଜରୁ ଭିଗ୍ନେଶ ପୁଥୁର ଇଂରାଜୀରେ ଏମଏ କରିଛନ୍ତି। ଆଇପିଏଲ ଭଳି କ୍ରିକେଟରେ ବଡ଼ ମଞ୍ଚରେ ପହଞ୍ଚିବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ପେରିନଥାଲମାନାରେ ସେ କୋଚ ବିଜୟନଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ କରୁଥିଲେ। ସେଠାରୁ ତାଲିମ ପାଇଁ ସେ ଧୀରେଧୀରେ ସଫଳତାର ସିଡ଼ି ଚଢ଼ିବା ଆରମ୍ଭ କରିଥିଲେ।

କେରଳକୁ ସେ ଅଣ୍ଡର ୧୪, ଅଣ୍ଡର ୧୯ ଓ ଅଣ୍ଡର ୨୩ ବର୍ଗରେ ପ୍ରତିନିଧିତ୍ୱ କରିଛନ୍ତି। ତେବେ କେରଳ କ୍ରିକେଟ ଲିଗ୍‌ରେ ସେ ଅଲଫୁଝା ରିପ୍ପଲେସ ପାଇଁ ଖେଳିବା ପରେ ତାଙ୍କ ଭାଗ୍ୟ ବଦଳିଥିଲା। ବିଘ୍ନେଶ ପୁଥୁର ଏଯାଏ କେରଳ ପାଇଁ ରଣଜୀ ଟ୍ରଫି କିମ୍ବା ଅନ୍ୟ କୌଣସି ସିନିୟର ବର୍ଗରେ ଖେଳି ନାହାନ୍ତି। କିନ୍ତୁ ସେ ଆଇପିଏଲ ଭଳି ବଡ଼ ମଞ୍ଚରେ ନିଜର ପ୍ରଭାବ ଛାଡ଼ିବାକୁ ସକ୍ଷମ ହୋଇଛନ୍ତି।

IPL IPL 2025 Vigensh Puthur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe