England
ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ଆଶେସ ସିରିଜର ୫ମ ତଥା ଶେଷ ମ୍ୟାଚ୍ର ତୃତୀୟ ଦିନ ଗୋଟିଏ ଅଜବ ଘଟଣାରୁ ଆରମ୍ଭ ହୋଇଛି। ଆଜି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡର ସମସ୍ତ ଖେଳାଳି ଭୁଲ ନାଁ ଥିବା ଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ।
ଭେଟରାନ ବୋଲର ଜେମ୍ସ ଆଣ୍ଡରସନ ସାଥୀ ଖେଳାଳି ଷ୍ଟୁଆର୍ଟ ବ୍ରଡଙ୍କ ନାଁ ଥିବା ଜର୍ସି ପିନ୍ଧିଥିବା ବେଳେ ଜନ୍ନି ବେୟାରଷ୍ଟୋ ଅଧିନାୟକ ବେନ ଷ୍ଟୋକ୍ସଙ୍କ ଜର୍ସି ପିନ୍ଧିଥିଲେ। ସେହିପରି ମୋଇନ ଅଲୀ ଦ୍ରୁତ ବୋଲର କ୍ରିସ ୱକ୍ସ, ଜୋ ରୁଟଙ୍କ ଜର୍ସି ମାର୍କ ଉଡ୍ ଏବଂ ଏମିତି ସବୁ ଖେଳାଳି ଅଲଗା ଅଲଗା ନାଁ ରହିଥିବା ସାଥୀ ଖେଳାଳିଙ୍କ ଜର୍ସି ପିନ୍ଧି ସମସ୍ତଙ୍କ ସାମ୍ନାକୁ ଆସିଥିଲେ। ଏହା ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ। ସମସ୍ତେ ଦ୍ୱନ୍ଦ୍ୱରେ ବି ପଡ଼ିଥିଲେ।
କିନ୍ତୁ ଏହା ପଛର କାରଣ ଜାଣିବା ପରେ ସମସ୍ତ ଦର୍ଶକ ତାଳି ମାରି ଇଂଲଣ୍ଡ ଖେଳାଳିଙ୍କ ଏପରି କାମକୁ ସ୍ୱାଗତ କରିଥିଲେ। ଇଂଲଣ୍ଡ ଖେଳାଳିମାନେ ଡେମେନଟିଆ ରୋଗରେ ପଡ଼ୁଥିବା ଲୋକଙ୍କ ସମ୍ମାନାର୍ଥେ ଏପରି କରିଥିଲେ।
ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସ୍ମରଣ ଶକ୍ତି ଚାଲି ଯାଏ। ସେମାନେ କାହାକୁ ଠିକ ଭାବେ ଚିହ୍ନି ପାରନ୍ତି ନାହିଁ। ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ଇଂଲଣ୍ଡର ଖେଳାଳିମାନେ ଆଜି ମ୍ୟାଚ୍ ପୂର୍ବରୁ ଭୁଲ ନାଁ ଥିବା ଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ।
ଇଂଲଣ୍ଡର ସହାୟକ କୋଚ୍ ମାର୍କ ଟ୍ରେସକୋଥିକ ଏପରି ନିଷ୍ପତ୍ତି ଇସିବି ଓ ଆଲଜହେଇମେର ସୋସାଇଟି ନେଇଥିବା କହିଛନ୍ତି। ସେ କହିଛନ୍ତି, “ଆମେ ଆଲଜହେଇମେର ସୋସାଇଟିକୁ ସମର୍ଥନ କରୁଛୁ। ଏହି ବିଷୟଟି ଆମ ହୃଦୟ ସହ ଜଡ଼ିତ। ଏହା ଏକ ଭୟଙ୍କର ରୋଗ। ଆମେ ଏଠାରେ ଲୋକଙ୍କୁ ସଚେତନ ଓ ରୋଗ ସମ୍ପର୍କରେ ଶିକ୍ଷିତ କରିବାକୁ ଚେଷ୍ଟା କରିଛୁ।
ସେହିପରି ଆର୍ଥିକ ଅନୁଦାନର ପରିମାଣ ବୃଦ୍ଧି କରିବାକୁ ଚାହିଁଛୁ। ଯେତେ ଅଧିକ ଟଙ୍କା ଓ ସଚେତନତା ସୃଷ୍ଟି ହୋଇପାରିବ, ସେତେ ଅଧିକ ଗବେଷଣା ହୋଇପାରିବ। ଆମେ ଦେଖିବାକୁ ପାଉଛୁ ଯେ ନୂଆ ଚିକିତ୍ସା ପଦ୍ଧତି ଓ ଔଷଧ ସବୁ ମାର୍କେଟକୁ ଆସିଲାଣି। ଏହାର ବଡ଼ ପ୍ରଭାବ ରୋଗ ନିରାକରଣରେ ପଡ଼ିପାରେ। ଆଶା ଅଛି ଯେ ଆଜିର ଛୋଟି ପ୍ରୟାସ ଲୋକଙ୍କୁ ରୋଗ ସମ୍ପର୍କରେ ବୁଝିବାରେ ସହାୟକ ହେବ।”
ଟ୍ରେସକୋଥିକ ହେଉଛନ୍ତି ଇଂଲଣ୍ତ ଟିମର ପୂର୍ବତନ ଓପନର। ତାଙ୍କ ବାପା ମାର୍ଟିନ ମଧ୍ୟ ଡେମେନଟିଆ ରୋଗରେ ପୀଡ଼ିତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/England_1690640713.jpg)