Advertisment

କାହିଁକି ଗୋଟିଏ ମ୍ୟାଚ୍‌ରୁ ବ୍ୟାନ ହୋଇପାରନ୍ତି ଶୁବମନ ଗିଲ?

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଘରୋଇ ଟିମ ଗୁଜାଟ ୩୮ରେ ହାଇଦ୍ରାବାଦକୁ ହରାଇ ଦେଇଛି। ଏଥିସହ ଦୁଇ ପଏଣ୍ଟ ପାଇ ପ୍ଲେ ଅଫ ଖେଳିବା ସୁଯୋଗକୁ ଆହୁରି ମଜବୁତ କରିଛି।

author-image
Hemant Lenka
Gill

Gill

ଆଇପିଏଲ ୨୦୨୫ର ମ୍ୟାଚ୍‌ ନମ୍ବର ୫୧ରେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ ଅନେକ କିଛି ବିବାଦୀୟ ଘଟଣାର ମୁଖସାଖୀ ପାଲଟିଛି। ‌ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଘରୋଇ ଟିମ ଗୁଜାଟ ୩୮ରେ ହାଇଦ୍ରାବାଦକୁ ହରାଇ ଦେଇଛି। ଏଥିସହ ଦୁଇ ପଏଣ୍ଟ ପାଇ ପ୍ଲେ ଅଫ ଖେଳିବା ସୁଯୋଗକୁ ଆହୁରି ମଜବୁତ କରିଛି।

Advertisment

କିନ୍ତୁ ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଗିଲଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା। ସବୁବେଳେ ଶାନ୍ତ ରହୁଥିବା ଗିଲ ଗତକାଲି ମ୍ୟାଚ୍‌ ବେଳେ ଅମ୍ପାୟାରଙ୍କ ସହ ଦୁଇ ଥର ଜୋରଦାର ଯୁକ୍ତିତର୍କ କରିଥିଲେ। ଏପରି ଯୁକ୍ତିତର୍କ ତାଙ୍କୁ ମହଙ୍ଗା ମଧ୍ୟ ପଡ଼ିପାରେ। ଗୁଜରାଟ ତା’ର ପରବର୍ତ୍ତୀ ମ୍ୟାଚ୍‌ ମେ’ ୬ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳିବ। କିନ୍ତୁ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବା ଗିଲଙ୍କୁ ଏହାପୂର୍ବରୁ ବଡ଼ ଦଣ୍ଡ ମିଳିବାର ଯଥେଷ୍ଟ ଆଶଙ୍କା ରହିଛି।

ଗିଲ ଦଣ୍ଡିତ ହେବେ କି?

ଅମ୍ପାୟାରଙ୍କ ସହ ଦୁଇ ଥର ଯୁକ୍ତିତର୍କ କରିଥିବାରୁ ଗିଲ ସମ୍ଭବତଃ ଆଇପିଏଲ ଆଚରଣ ବିଧି ଧାରା ୨.୮କୁ ଉଲ୍ଲଙ୍ଘନ କରିଛନ୍ତି। ଏହା ଅମ୍ପାୟାରଙ୍କ ନିଷ୍ପତ୍ତି ସହ ଏକମତ ହେଉ ନଥିବା ନିୟମ ସହ ଜଡ଼ିତ। ଧାରା ୨.୮ରେ ଏହି ସବୁ ସର୍ତ୍ତ ରହିଛି-

Advertisment

୧- ଅମ୍ପାୟାରଙ୍କ ନିଷ୍ପତ୍ତିରେ ଏକମତ ନ ହୋଇ ଅତ୍ୟଧିକ ଆକ୍ରମଣାତ୍ମ ଓ ନିରାଶା ଭାବ ପ୍ରଦର୍ଶନ କରିବା

୨- ଜାଣିଶୁଣି ଖେଳ ଆରମ୍ଭ କରିବାରେ ବିଳମ୍ବ କରିବା କିମ୍ବା ୱିକେଟ ଛାଡ଼ିବାରେ ବିଳମ୍ବ କରିବା

୩- ମୁଣ୍ଡକୁ ଆପତ୍ତିଜନକ ଭାବେ ହଲାଇବା

୪- ଏଲବିଡବ୍ଲ୍ୟୁ ଦେବା ବେଳେ ବ୍ୟାଟରେ ଧାରରେ ବାଜିଛି ବୋଲି ଦେଖାଇବା କିମ୍ବା ସେଇ ଆଡ଼କୁ ଇଙ୍ଗିତ କରିବା

୫- ୱିକେଟ ପଛରେ କ୍ୟାଚ ବେଳେ ପ୍ୟାଡକୁ ଦେଖାଇବା କିମ୍ବା ବଲ କାନ୍ଧରେ ବାଜିଛି ବୋଲି ପ୍ରଦର୍ଶନ କରିବା

୬- ଅମ୍ପାୟାରଙ୍କ ଠାରୁ ଟୋପି ଛଡ଼ାଇ ନେବା ଭଳି ଆଚରଣ ପ୍ରଦର୍ଶନ କରିବା

୭- ଟିଭି ବା ତୃତୀୟ ଅମ୍ପାୟାର ଉପରେ ନିଷ୍ପତ୍ତିର ବିଚାର କରିବା ପାଇଁ ଚାପ ସୃଷ୍ଟି କରିବା(ଡିଆରଏସ୍‌ ଶେଷ ହେବା ପରେ)

୮- ଅମ୍ପାୟାରଙ୍କ ନିଷ୍ପତ୍ତିରେ ଏକମତ ନ ହୋଇ ତାଙ୍କ ସହ ଯୁକ୍ତିତର୍କ କରିବା

ଗିଲଙ୍କ ଘଟଣାରେ ପ୍ରଥମ ଓ ଶେଷ ସର୍ତ୍ତ ଲାଗୁ ହେଉଛି। ତେଣୁ ସେ ଦଣ୍ଡିତ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଗିଲଙ୍କୁ କେଉଁ ପ୍ରକାରର ଦଣ୍ଡ ମିଳିପାରେ?

୧- ଲେଭ ୧ ଅପରାଧ ପାଇଁ- ଚେତାବନୀ କିମ୍ବା ମ୍ୟାଚ୍‌ ଫି’ର ୨୫% କାଟ କରାଯାଇ ପାରେ। ସେହିପରି ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ମିଳିବ। ନଚେତ ୨୬ରୁ ୫୦% ଫାଇନ ଓ ଦୁଇଟି ଡିମେରିଟ ପଏଣ୍ଟ ମିଳିପାରେ।

୨- ଲେଭଲ ୨ ଅପରାଧ ପାଇଁ- ଗୋଟିଏ ନିଲମ୍ବିତ ପଏଣ୍ଟ କିମ୍ବା ୫୦ରୁ ୧୦୦% ଫାଇନ ଓ ୩ଟି ଡିମେରିଟ ପଏଣ୍ଟ। ନଚେତ ୨ଟି ନିଲମ୍ବିତ ପଏଣ୍ଟ ଓ ୪ଟି ଡିମେରିଟ ପଏଣ୍ଟ ମଧ୍ୟ ଦିଆଯାଇ ପାରେ।

ମ୍ୟାଚ୍‌ ବେଳେ ଗୁଜରାଟ ଇନିଂସର ୧୩ତମ ଓଭରର ଶେଷ ବଲରେ ଯୁକ୍ତିତର୍କ ଦେଖାଯାଇଥିଲା। ଗିଲ ୩୮ ବଲରେ ୭୬ ରନ କରି ରନ ଆଉଟ ହୋଇଥିଲେ। ରନ ଆଉଟ ସ୍ପଷ୍ଟ ଭାବେ ଜଣା ପଡ଼ୁ ନଥିବାରୁ ଅମ୍ପାୟାର ବେଶ କିଛି କ୍ଲିପ ଦେଖିବା ପରେ ବିଳମ୍ବରେ ନିଷ୍ପତ୍ତି ନେଇଥିଲେ। ବଲ ୱିକେଟରେ ବାଜିଛି ନା ୱିକେଟ କିପର ହେନରିଚ କ୍ଲାସେନଙ୍କ ଗ୍ଲୋବ୍ସ ବାଜି ବେଲ ବାହରିଛି, ତା’କୁ ଯାଞ୍ଚ କରାଯାଇଥିଲା। ଭଲ ଭାବେ କ୍ଲିପକୁ ଦେଖି ତୃତୀୟ ଅମ୍ପାୟାର ଗିଲଙ୍କୁ ଆଉଟ ଦେଇଥିଲେ। ଆଉଟ ହେବା ପରେ ଡଗ ଆଉଟକୁ ଯାଉଥିବା ଗିଲ ବାଉଣ୍ଡରୀ ବାହାରେ ଥିବା ୪ର୍ଥ ଅମ୍ପାୟାରଙ୍କ ସହ ବେଶ ଯୁକ୍ତିତର୍କ କରିଥିଲେ।

ଅମ୍ପାୟାରଙ୍କ ସହ ଗିଲଙ୍କ ଦ୍ୱିତୀୟ ଯୁକ୍ତିତର୍କ ହାଇଦ୍ରାବାଦର ବ୍ୟାଟିଂ ବେଳେ ଘଟିଥିଲା। ହାଇଦ୍ରାବାଦର ବ୍ୟାଟର ଅଭିଷେକ ଶର୍ମାଙ୍କ ଗୋଡ଼ରେ ଗୋଟିଏ ଫୁଲ ବଲ ବାଜିବାରୁ ଗିଲ ଡିଆରଏସ ନେଇଥିଲେ। ହେଲେ ତୃତୀୟ ଅମ୍ପାୟାର ଇମ୍ପାକ୍ଟ ଅମ୍ପାୟର୍ସ କଲ ଭାବେ ବିବେଚନା କରି ଅଭିଷେକଙ୍କୁ ନଟଆଉଟ ଘୋଷଣା କରିଥିଲେ। ଏଥିରେ ଗିଲ ଏକମତ ନ ହୋଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ।

ରିପ୍ଲେ ବେଳେ ବଲ କେଉଁଠି ପିଚ୍‌ ହୋଇଥିଲା, ତା’କୁ ଦେଖାଯାଇ ନଥିଲା। କେବଳ ଇମ୍ପାକ୍ଟ ଓ ୱିକେଟ୍ସରେ ବଲ ବାଜୁଥିବା ପ୍ରଦର୍ଶିତ କରାଯାଇଥିଲା। ଇମ୍ପାକ୍ଟ ଅମ୍ପାୟାରଙ୍କ କଲ ହେବାରୁ ଅଭିଷେକ ନଟଆଉଟ ବିବେଚିତ ହୋଇଥିଲେ। କିନ୍ତୁ ଗିଲ ଏଥିରେ ଏକମତ ନ ହୋଇ ଫିଲ୍ଡ ଅମ୍ପାୟାରଙ୍କ ସହ ବେଶ କିଛି ସମୟ ଯୁକ୍ତିତର୍କ କରିଥିଲେ।

ଅଭିଷେକ ଏଥିରେ ହସ୍ତକ୍ଷେପ କରି ଗିଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ତଥାପି ଗିଲ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। କିଛି ସମୟ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ଓ ହାଇଦ୍ରାବାଦ ୨୨୫ ରନର ଟାର୍ଗେଟକୁ ପିଛା କରିଥିଲା। କିନ୍ତୁ ହାଇଦ୍ରାବାଦ ୩୮ ରନରେ ଗୁଜରାଟ ଠାରୁ ଶେଷରେ ହାରିଛି।

IPL Shubman Gill IPL 2025