/odisha-reporter/media/post_attachments/uploadimage/library/16_9/16_9_0/IPL_1680239279.jpg)
IPL
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆଜିଠାରୁ ଆରମ୍ଭ ହେବ ଆଇପିଏଲ ୨୦୨୩ର ସଂସ୍କରଣ। ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଓପନିଂ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଗୁଜରାଟ ଟାଇଟନ୍ସକୁ ଭେଟିବ। ସନ୍ଧ୍ୟା ୭.୩୦ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଏହାପୂର୍ବରୁ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ଓପନିଂ ସେରେମନି। ଏଥିରେ ରଶ୍ମିକା ମନ୍ଧାନା, ତମନ୍ନା ଭାଟିଆ ଓ ଅରଜିତ ସିଂହ ନିଜର କଳା ପ୍ରଦର୍ଶନ କରିବେ।
ତେବେ ଆଇପିଏଲର ପ୍ରଥମ ମ୍ୟାଚ୍ରେ ଅଧିନାୟକ ଧୋନି ଖେଳିବେ କି ନାହିଁ, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଗୋଇଠି ଜନିତ ସମସ୍ୟାରେ ଧୋନି ପଡ଼ିଥିବାରୁ ଗୁରୁବାର ଅଭ୍ୟାସ କରି ନାହାନ୍ତି। ଏହାପୂର୍ବରୁ କିନ୍ତୁ ସେ ନେଟ୍ସରେ ବେଶ ଝାଳ ବୁହାଇଥିଲେ। ହେଲେ ଗୁରୁବାର ସେ ଅଭ୍ୟାସ ନ କରିବା ଚେନ୍ନାଇ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ପକାଇଛି। ଧୋନି ଆହତ ହୋଇଥିବାରୁ ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ଦଳର ସିଇଓ ଏହାକୁ ଖଣ୍ଡନ କରିବା ସହ କ୍ୟାପ୍ଟେନ କୁଲ ୧୦୦% ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି।
ଗତବର୍ଷ ଚେନ୍ନାଇ ଟିମରେ ବହୁତ ଡ୍ରାମା ଦେଖିବାକୁ ମିଳିଥିଲା। ଆଇପିଏଲ ଠିକ ଆରମ୍ଭ ହେବା ପୂର୍ବରୁ ଧୋନି ତାଙ୍କ ଅଧିନାୟକ ପଦ ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଥିଲେ। ଜାଡେଜାଙ୍କ ନେତୃତ୍ୱରେ ଦଳ କ୍ରମାଗତ ହାରି ଚାଲିଥିଲା। ଟୁର୍ଣ୍ଣାମେଣ୍ଟ ଅଧାରୁ ଜାଡେଜା ହଠାତ୍ ଅସୁସ୍ଥ ହୋଇଥିବା ଖବର ଆସିଥିଲା। ସେ ଟିମରୁ ବାଦ ପଡ଼ିବାରୁ ଧୋନି ପୁଣି କ୍ୟାପ୍ଟେନ୍ସି ସମ୍ଭାଳିଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଚେନ୍ନାଇ ୨୦୨୨ରେ ମୋଟ ୧୪ଟି ମ୍ୟାଚ୍ ଖେଳିବା ସହ କେବଳ ୪ଟିରେ ଜିତିବାକୁ ସକ୍ଷମ ହୋଇଥିଲା। ଦଳକୁ ୧୦ଟି ମ୍ୟାଚ୍ ହାରିବାକୁ ପଡ଼ିଥିଲା।
ଚଳିତ ବର୍ଷ ଦଳ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି କୁହାଯାଉଛି ଯେ ଚଳିତ ଆଇପିଏଲ ପରେ ଧୋନି ଅବସର ନେବେ। ତେଣୁ ୪ଥର ଟ୍ରଫି ଜିତିଥିବା ଚେନ୍ନାଇ ଧୋନିଙ୍କୁ ବିଜୟ ସହ ବିଦାୟ ଜଣାଇବାକୁ ଲକ୍ଷ୍ୟ ରଖିଛି। ଏଥର ଚେନ୍ନାଇ ଜର୍ସିରେ ଇଂଲିଶ ଅଲରାଉଣ୍ତର ବେନ ଷ୍ଟୋକ୍ସଙ୍କୁ ଦେଖିବାକୁ ମିଳିବ। ତାଙ୍କୁ ୧୬.୨୫ କୋଟି ଟଙ୍କାରେ ଦଳ କିଣିଛି। ସେ ଦଳ ପାଇଁ ଏକ୍ସ ପ୍ୟାକ୍ଟର ହେବେ ବୋଲି କୁହାଯାଉଛି।
ସେହିପରି ଆହତ କାରଣରୁ ଗତବର୍ଷ ଖେଳି ନଥିବା ଦୀପକ ଚହର କମବ୍ୟାକ କରିଛନ୍ତି। ଦଳର ଡେଭୋନ କନୱେ, ଋତୁରାଜ ଗାଏକ୍ୱାଡ, ଅମ୍ବାତି ରାୟୁଡୁ ଓ ମୋଇନ ଅଲୀଙ୍କ ଭଳି ଖେଳାଳି ଅଛନ୍ତି। ଡ୍ୱେନ ବ୍ରାଭୋ ଅବସର ନେଇ ସାରିଥିବାରୁ ତାଙ୍କ ସ୍ଥାନରେ ବେନ ଷ୍ଟୋକ୍ସ ଖେଳିବେ।
ଦ୍ରୁତ ବୋଲର ମୁକେଶ ଚୌଧୁରୀଙ୍କ ବଦଳରେ ଦୀପକ ଚହରଙ୍କ କମବ୍ୟାକ ହେବ। ତେବେ ଓଡ଼ିଆ ତାରକା ଶୁଭ୍ରାଂଶୁ ସେନାପତି ଗତବର୍ଷ ଠାରୁ ଚେନ୍ନାଇ ସହ ରହିଛନ୍ତି। ହେଲେ ସେ ଡେବ୍ୟୁ କରିବାକୁ ସକ୍ଷମ ହୋଇ ନାହାନ୍ତି। ଚଳିତ ବର୍ଷ ତାଙ୍କୁ ମଧ୍ୟ ସୁଯୋଗ ମିଳିବାର ସମ୍ଭାବନା ରହିଛି। ହେଲେ ସେ କେଉଁ ସ୍ଥାନରେ ଓ କାହା ବଦଳରେ ସୁଯୋଗ ପାଇବେ, ତାହା ସବୁଠାରୁ ବଡ଼ ପ୍ରଶ୍ନ।
ସମ୍ଭାବ୍ୟ ଏକାଦଶ: ଡେଭୋନ କନୱେ, ଋତୁରାଜ ଗାଏକ୍ୱାଡ, ବେନ ଷ୍ଟୋକ୍ସ, ଅମ୍ବାତି ରାୟୁଡୁ, ଶିବମ ଦୁବେ, ମୋଇନ ଅଲୀ, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା, ଦୀପକ ଚହର, ମହୀଶ ତିକଶାନା ଓ ସିମରଜୀତ ସିଂହ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
