Advertisment

ପୃଥ୍ୱୀ ଶ’ଙ୍କୁ ଆକ୍ରମଣ କରିଥିବା ଯୁବତୀ ଗିରଫ

ଏହି ମାମଲାରେ ଆହୁରି ୭ ଜଣ ଅଭିଯୁକ୍ତ ରହିଥିବା ବେଳେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

author-image
Jitendra Garnayak
Sapna Gill

Sapna Gill

ମୁମ୍ବାଇରେ କ୍ରିକେଟର ପୃଥ୍ୱୀ ଶ’ଙ୍କୁ ଆକ୍ରମଣ କରିଥିବା ଯୁବତୀଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ସ୍ୱପ୍ନା ଗିଲ୍‌। ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ। ଏହି ମାମଲାରେ ଆହୁରି ୭ ଜଣ ଅଭିଯୁକ୍ତ ରହିଥିବା ବେଳେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପୃଥ୍ୱୀ ଶ’ଙ୍କ ବିରୋଧରେ ସ୍ୱପ୍ନା ଗିଲ୍‌ ପାଲଟା ଅଭିଯୋଗ ଆଣିଥିଲେ ବି ଥାନାରେ କୌଣସି ଏତଲା ଦେଇ ନାହାନ୍ତି।

Advertisment

ଗତକାଲି ରାତିରେ ପୃଥ୍ୱୀ ଶ’ ଓ ତାଙ୍କର ଜଣେ ବନ୍ଧୁ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲକୁ ଖାଇବାକୁ ଯାଇଥିଲେ। ସେତେବେଳେ ସେଠାରେ ଉପସ୍ଥିତ ସ୍ୱପ୍ନା ଗିଲ୍ ଓ ତାଙ୍କର କିଛି ସାଙ୍ଗ ପୃଥ୍ୱୀ ଶ’ଙ୍କ ସହିତ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ଶ’ ସେମାନଙ୍କ ସହ ସେଲ୍‌ଫି ନେଇଥିଲେ। ତେବେ ଅଧିକ ଫଟୋ ଉଠାଇବାକୁ ଚାହିଁବାରୁ ଶ’ ସେମାନଙ୍କୁ ମନା କରିଥିଲେ। କିନ୍ତୁ ସ୍ୱପ୍ନା ଗିଲ୍ ଓ ତାଙ୍କର ସାଙ୍ଗମାନେ ଶ’ଙ୍କୁ ଛାଡ଼ି ନଥିଲେ। ଫଳରେ ବାଧ୍ୟହୋଇ ଶ’ ତାଙ୍କ ବନ୍ଧୁ ଆଣିଷ ସୁରେନ୍ଦ୍ର ଯାଦବ ଓ ହୋଟେଲ୍ ମ୍ୟାନେଜରଙ୍କୁ ଡାକିଥିଲେ। ସ୍ୱପ୍ନା ଗିଲ୍ ଓ ତାଙ୍କ ସାଙ୍ଗମାନଙ୍କୁ ହୋଟେଲ୍ ମ୍ୟାନେଜର ସେଠାରୁ ତଡ଼ି ଦେଇଥିଲେ। ଏହା ପରେ ରାଗ ରଖି ସ୍ୱପ୍ନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ।

ଶ’ ଓ ତାଙ୍କ ବନ୍ଧୁ ରାତ୍ର ଭୋଜନ କରି ହୋଟେଲ୍‌ରୁ କାର୍‌ରେ ବାହାରିବା ପରେ ସ୍ୱପ୍ନା ଗିଲ୍ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ପିଛା କରିଥିଲେ। ଶ’ ଓ ତାଙ୍କ ବନ୍ଧୁଙ୍କୁ ବାଟରେ ଅଟକାଇ ସେମାନେ ଆକ୍ରମଣ କରିଥିଲେ। ସେମାନଙ୍କ ହାତରେ ବେସ୍‌ବଲ୍ ଷ୍ଟିକ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ରହିଥିଲା। ସ୍ୱପ୍ନା ଗିଲ୍ ବେସ୍‌ବଲ୍ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ’ଙ୍କ ବନ୍ଧୁଙ୍କ କାରରେ ପ୍ରହରାର କରିଥିଲେ। ଫଳରେ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିଲା।

Advertisment

ଓସିୱାରା ଥାନା ପୁଲିସ୍ ସ୍ୱପ୍ନା ଗିଲ୍‌ଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ସନ୍ଧ୍ୟାରେ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଗିରଫ କରାଯାଇପାରେ ବୋଲି କୁହାଯାଉଛି।

ପୃଥ୍ୱୀ ଶ’ ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ବୋଲି ସ୍ୱପ୍ନା ଅଭିଯୋଗ କରିଥିଲେ ମଧ୍ୟ ସେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି। ସେହିଭଳି ଅନ୍ୟକୌଣସି ଅଭିଯୁକ୍ତ ଥାନାରେ ପାଲଟା ଏତଲା କରି ନାହାନ୍ତି।

Mumbai Cricket Prithvi Shaw