ନିରାଶ ଭାରତୀୟ ବ୍ୟାଟର
ଭାରତୀୟ ମହିଳା କ୍ରିକେଟ ଟିମର ବିଶ୍ୱକପ ଅଭିଯାନ ଖରାପରୁ ବିପର୍ଯ୍ୟୟ ସ୍ଥିତିରେ ପହଞ୍ଚି ଯାଇଛି। ରବିବାର ଇଂଲଣ୍ଡ ବିପକ୍ଷ ନିଶ୍ଚିତ ବିଜୟକୁ ଦଳ ହାତ ଛଡ଼ା କରିଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଇଂଲଣ୍ଡ ୪ ରନରେ ମ୍ୟାଚ୍ ଜିତି ସେମି ଫାଇନାଲରେ ପ୍ରବେଶ କରିଛି। ଏହାକୁ ମିଶାଇ ଭାରତୀୟ ମହିଳା କ୍ରିକେଟ ଟିମ ଦିନିକିଆ ବିଶ୍ୱକପରେ ହ୍ୟାଟ୍ରିକ ପରାଜୟ ବରଣ କରିଛି। ଇଂଲଣ୍ଡ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଠାରୁ ହାରିଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡକୁ ଭାରତ ୨୮୮/୮ରେ ଅଟକାଇ ଦେଇଥିଲା। ଇଂଲଣ୍ଡ ପାଇଁ ହେଥର ନାଇଟ ୧୦୯ ରନର ଇନିଂସ ଖେଳିଥିବା ବେଳେ ଆମୀ ଜୋନ୍ସ ଅର୍ଦ୍ଧଶତକ ହାସଲ କରିଥିଲା। ଭାରତ(Women Cricket) ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୪ଟି ଓ ଶ୍ରୀ ଚରଣୀ ୨ଟି ସଫଳତା ପାଇଥିଲେ।
୨୮୯ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ଆରମ୍ଭରୁ ପ୍ରତିକା ରାୱଲ ଓ ହରଲୀନ ଦେୱଲଙ୍କୁ ହରାଇଥିଲା। କିନ୍ତୁ ଅଧିନାୟକ ହରମନପ୍ରୀତ କୌର ଓ ଉପ ଅଧିନାୟକ ସ୍ମୃତି ମନ୍ଧାନା ଶତକୀୟ ଭାଗିଦାରୀ କରି ଇଂଲଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲା। କିନ୍ତୁ ପ୍ରଥମେ କୌର ୭୦ ଓ ମନ୍ଧାନା ୮୮ ରନରେ ଆଉଟ ହେବା ପରେ ଭାରତର ଚେଜ ଲାଇନଚ୍ୟୁତ ହୋଇଥିଲା। ଦୀପ୍ତି ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ମ୍ୟାଚ୍ ଜିତାଇବାକୁ ସକ୍ଷମ ହୋଇ ନଥିଲେ। ଭାରତ ଶେଷରେ ୪ ରନ ପଛରେ ରହି ଯାଇଥିଲା।
ମ୍ୟାଚ୍ ପରେ ଅଧିନାୟକ କୌର ସ୍ପଷ୍ଟ ଭାବେ ମନ୍ଧାନାଙ୍କ ଆଉଟ ମ୍ୟାଚ୍ର ଟର୍ଣ୍ଣିଂ ପଏଣ୍ଟ ଥିଲା ବୋଲି ସ୍ୱୀକାର କରିଛନ୍ତି। କିନ୍ତୁ ଭାରତ ଅକ୍ଟୋବର ୨୩ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବାଉନ୍ସ ବ୍ୟାକ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି।
ଇଂଲଣ୍ଡ ଠାରୁ ପରାସ୍ତ ହେବା ପରେ ମଧ୍ୟ ଭାରତୀୟ ମହିଳା କ୍ରିକେଟ ଟିମ(Indian Women Cricket Team)ର ବିଶ୍ୱକପ ଅଭିଯାନ ଶେଷ ହୋଇନାହିଁ। ଏବେ ବି ସେମି ଫାଇନାଲରେ ପହଞ୍ଚିବାର ସୁଯୋଗ ଦଳ ପାଖରେ ରହିଛି। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ସେମିରେ ନିଜ ନିଜର ସ୍ଥାନ ପକ୍କା କରି ନେଇଛନ୍ତି। ଏବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରୁ ଗୋଟିଏ ଦଳ ସେମିକୁ ଯିବେ।
କେମିତି ସେମିରେ ପହଞ୍ଚିବ ଭାରତ?
୧- ଭାରତ ପାଖରେ ଆଉଟି ଦୁଇଟି ମ୍ୟାଚ୍ ରହିଛି। ଅକ୍ଟୋବର ୨୩ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ସେହିପରି ଶେଷ ମ୍ୟାଚ୍ରେ ବାଂଲାଦେଶ ସହ ଲଢ଼େଇ କରିବ। ଯଦି ଭାରତ ତା’ର ଶେଷ ଦୁଇଟି ଯାକ ମ୍ୟାଚ ଜିତି ନେବ, ତା’ହେଲେ ସେମିକୁ ଯିବା ପାଇଁ ହରମନପ୍ରୀତ କୌରଙ୍କ ଦଳକୁ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଭାରତ ସିଧା ସଳଖ ସେମି ଟିକେଟ ହାତେଇ।
୨- ଯଦି ଭାରତ ଦୁଇଟିରୁ ଗୋଟିଏ ମ୍ୟାଚ୍ ଜିତିବ, ତା’ହେଲେ ଅନ୍ୟ ଟିମଗୁଡ଼ିକର ରେଜଲ୍ଟ ଉପରେ ନିର୍ଭର କରିବାକୁ ପଡ଼ିବ। ଭାରତ ତଳେ ଏବେ ନ୍ୟୁଜିଲ୍ୟାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନ ରହିଛନ୍ତି। ଗୋଟିଏ ମ୍ୟାଚ୍ ଜିତିଲେ ଦଳ ଚାହିଁବେ ଯେ ନ୍ୟୁଜିଲ୍ୟାଣ୍ତ, ତା’ର ବାକି ଦୁଇଟି ଯାକ ମ୍ୟାଚ୍ ହାରୁ।
ସେହିପରି ଦଳକୁ ବିଭିନ୍ନ ରନରେଟ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ। ଭାରତ ଭଳି ନ୍ୟୁଜିଲ୍ୟାଣ୍ଡ ପାଖରେ ମଧ୍ୟ ଦୁଇଟି ମ୍ୟାଚ୍ ରହିଛି। ଦଳ ଭାରତ ଓ ଅଷ୍ଟ୍ରେଲିଆକୁ ଭେଟିବ।
୩- ଭାରତ ଯଦି ବାକି ରହିଥିବା ଦୁଇଟି ଯାକ ମ୍ୟାଚ୍ ହାରିବ, ତା’ହେଲେ କୌରଙ୍କ ଟିମର ବିଶ୍ୱକପ ଜିତିବା ସ୍ୱପ୍ନ ଅଧାରେ ରହିଯିବ। ଅର୍ଥାତ ପରାଜୟ ପରେ ଦଳ ବିଶ୍ୱକପରୁ ବିଦାୟ ନେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/20/india-2025-10-20-10-33-46.jpg)