Advertisment

ବିଶ୍ୱକପ୍ ଫାଇନାଲ୍: କଙ୍ଗାରୁ ବାହିନୀକୁ କିପରି ମାତ୍ ଦେବ ରୋହିତ ସେନା?

କଙ୍ଗାରୁ ଦଳକୁ ମାତ୍ ଦେବାକୁ ହେଲେ ଟିମ୍ ଇଣ୍ଡିଆର ରଣକୌଶଳ କିପରି ରହିବ, ନଜର ପକାନ୍ତୁ ଏକ ଅନୁଶୀଳନ ଉପରେ...

author-image
Debibandita Barick
ଅଦ୍ୟତନ ହୋଇଛି
India And Australia Player

India And Australia Player

ରଥ ପ୍ରସ୍ତୁତ... ରଥୀ ବି ପ୍ରସ୍ତୁତ... ମୈଦାନ ବି ଅପେକ୍ଷା କରିଛି ମୁକାବିଲାକୁ। କିଏ ହାତେଇବ ଚଳିତ ବିଶ୍ୱକପ୍ ଟାଇଟଲ୍? ଭାରତ ଦିନିକିଆ ବିଶ୍ୱକପ ତାଲିକାରେ ତୃତୀୟ ଟ୍ରଫି ଯୋଡିବ ନା ହୋମ୍ ଗ୍ରାଉଣ୍ଡ୍ ପ୍ଲେୟରଙ୍କୁ ଚକମା ଦେଇ ଷଷ୍ଠ ବିଜୟୀ ହୋଇଯିବ ଅଷ୍ଟ୍ରେଲିଆ? ଏମିତି ମାନସ ମନ୍ଥନ ମଧ୍ୟରେ ଆଉ ଗୋଟିଏ ଦିନ ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଯାଉଛି ବିଶ୍ୱକପ୍ ଫାଇଟ୍। କଙ୍ଗାରୁ ଦଳକୁ ମାତ୍ ଦେବାକୁ ହେଲେ ଟିମ୍ ଇଣ୍ଡିଆର ରଣକୌଶଳ କିପରି ରହିବ, ନଜର ପକାନ୍ତୁ ଏକ ଅନୁଶୀଳନ ଉପରେ...

Advertisment

ରୋହିତ ଶର୍ମାଙ୍କଠାରୁ ପ୍ରଥମ ଅସ୍ତ୍ର ପ୍ରୟୋଗ 
ଆଟାକିଂ ମୁଡରେ ଅଛନ୍ତି କ୍ୟାପ୍ଟେନ୍ ରୋହିତ ଶର୍ମା। ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କ ପ୍ରଦର୍ଶନ ଆଖି ଦୃଶିଆ ରହିଛି। ଆରମ୍ଭରୁ ତାଙ୍କ ଶାଣିତ ବ୍ୟାଟିଂ ପୂରା ଟିମକୁ ବୁଷ୍ଟ୍ ଯୋଗାଇଛି। କିନ୍ତୁ ଫାଇନାଲ୍ ଫାଇଟର ବିପକ୍ଷରେ ରହିଛି ଅଷ୍ଟ୍ରେଲିଆ। ଏହି ଟିମ୍ କ୍ୟାପ୍ଟେନ ରୋହିତଙ୍କୁ ଓପନିଂ ମ୍ୟାଚରେ ଖାତା ଖୋଲିବାକୁ ଦେଇ ନଥିଲା। ତଥାପି ପରେ ନିଜ ଅନ୍ଦାଜରେ ଆଗେଇ ଚାଲିଛନ୍ତି କ୍ୟାପ୍ଟେନ ରୋହିତ। ତେଣୁ ଟିମ୍ ପ୍ରଥମ ଅସ୍ତ୍ରରେ କଙ୍ଗାରୁ ଟିମ୍ ଉପରେ ଚାପ ପକାଇବ ବୋଲି ଆଶା କରାଯାଉଛି।

ସ୍ୱତନ୍ତ୍ର ଆକର୍ଷଣ ବିରାଟ କୋହଲି
ଟିମ୍ ଇଣ୍ଡିଆ ପ୍ଲେୟରଙ୍କ ଫର୍ମ କଥା ଯଦି କହିବା ତେବେ ବିରାଟ କୋହଲି ପ୍ରଥମେ ଆସିବେ। ଦିନିକିଆ ବିଶ୍ୱ କପରେ ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ବିରାଟ ଏବେ ଫୁଲ୍ ଫର୍ମରେ ଅଛନ୍ତି। ବିଶ୍ୱ କପ୍ ଯାତ୍ରାରେ ବିରାଟଙ୍କ ଖାତାରେ ତିନୋଟି ଶତକ ସହ ପାଞ୍ଚଟି ଅର୍ଦ୍ଧଶତକ ଯୋଡ଼ି ସାରିଲାଣି। 

Advertisment

କୋହଲି ଏହି ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହକାରୀ ପ୍ଲେୟର୍। ୧୦୧.୫୭ ହାରାହାରି ରନ୍ ରେଟ୍ ସହ ୧୦ଟି ମ୍ୟାଚରେ ୭୧୧ ରନ୍ ସଂଗ୍ରହ କରିଛନ୍ତି। ଯଦି ରବିବାର ଫାଇନାଲରେ କୋହଲିଙ୍କ ବ୍ୟାଟ୍ ସମାନ ଢଙ୍ଗରେ ଚାଲେ ତେବେ କଙ୍ଗାରୁ ବାହିନୀ ବିପକ୍ଷରେ କୋହଲି 'ବିରାଟ' ଅସ୍ତ୍ର ସାଜିପାରନ୍ତି। 

କୁଳଦୀପ ବନାମ ମାକ୍ସୱେଲ୍
ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବ୍ୟାଟିଂ କ୍ରିକେଟ୍ ପ୍ରେମୀଙ୍କୁ ତାଜୁବ୍ କରିଦେଇଛି। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ୨୯୨ ରନକୁ ପିଛା କରି ୯୧ ରନରେ ୭ ୱିକେଟ୍ ହରାଇ ସାରିଥିବା ବେଳେ ମ୍ୟାକ୍ସୱେଲ୍ ଯେଉଁଭଳି ଭାବେ ଟିମକୁ ଜିତାଇଥିଲେ ତାହା ଅଦ୍ୱିତୀୟ। ଏହି ମ୍ୟାଚରେ ଅପରାଜୟ ରହି ଦ୍ୱିଶତକ ହାସଲ କରିଥିଲେ ମ୍ୟାକ୍ସୱେଲ୍। କଙ୍ଗାରୁ ଟିମର ଏହି ପ୍ଲେୟର୍ ଟିମ୍ ଇଣ୍ଡିଆ ପାଇଁ ଘାତକ ସାଜିବା ପୂର୍ବରୁ ସ୍ୱତନ୍ତ୍ର ରଣକୌଶଳ ଆବଶ୍ୟକ।

ତେଣୁ ଯୁଦ୍ଧରେ ନିଶ୍ଚିତ ରୂପେ ମ୍ୟାକ୍ସୱେଲଙ୍କ ବିପକ୍ଷରେ ରହିବେ ସ୍ପିନର୍ କୁଳଦୀପ ଯାଦବ। କାରଣ ଭାରତ ବିପକ୍ଷ ଅଷ୍ଟ୍ରେଲିଆ ଲିଗ୍ ମ୍ୟାଚରେ ୧୫ ରନରେ ମ୍ୟାକ୍ସୱେଲଙ୍କୁ ବୋଲ୍ଡ କରିଥିଲେ କୁଳଦୀପ। ଏହାପରେ ତାଙ୍କୁ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ ରାଉଣ୍ଡ ରବିନ ପର୍ଯ୍ୟାୟରେ ଏବଂ ସେମିଫାଇନାଲରେ ତାବ୍ରାଇଜ ଶାମସି ମାତ୍ର ଏକ ରନରେ ପାଭିଲିଅନ୍ ପଠାଇ ଦେଇଥିଲେ। କିନ୍ତୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମ୍ୟାକ୍ସୱେଲଙ୍କ କିଛି ଜାଦୁଗରୀ ଦେଖିବାକୁ ମିଳିଥିଲା। ଫାଇନାଲ୍ ଫାଇଟରେ ମ୍ୟାକ୍ସୱେଲଙ୍କ ବ୍ୟାଟକୁ ରୋକିବା ପାଇଁ କୁଳଦୀପଙ୍କ ସ୍ପିନ୍ ଘାତକ ସାଜିପାରେ।    

ମାର୍ଶ, ୱାର୍ଣ୍ଣର ଏବଂ ହେଡଙ୍କୁ ତୁରନ୍ତ ପାଭିଲିଅନ୍ ପଠାଇବାକୁ ପଡ଼ିବ
ଟୁର୍ଣ୍ଣାମେଣ୍ଟରେ ଡେଭିଡ ୱାର୍ଣ୍ଣର ଏବଂ ତାଙ୍କ ଓପନିଂ ପାର୍ଟର୍ନର ମିଚେଲ ମାର୍ଶ ଏବଂ ଟ୍ରାଭିସ୍ ହେଡ୍ ଗେମ୍ ଚେଞ୍ଜର୍ ଭାବେ ଜଣାଶୁଣା। କାରଣ ବ୍ୟାଟିଂ ପ୍ରତି ସେମାନଙ୍କର ନିର୍ଭୀକ ଆଭିମୁଖ୍ୟ ଏବଂ ଖେଳକୁ ତ୍ୱରାନ୍ୱିତ କରିବାର କ୍ଷମତା ଅଷ୍ଟ୍ରେଲିଆକୁ ଆଣି ଫାଇନାଲରେ ପହଞ୍ଚାଇଛି। ଦଳ ପ୍ରାରମ୍ଭରେ ଦୁଇଟି ମ୍ୟାଚ୍ ହାରିବା ସତ୍ତ୍ୱେ ଲଗାତର ଆଠଟି ମ୍ୟାଚ୍ ବିଜୟୀ ହେବାରେ ଏହି ତିନି ପ୍ଲେୟରଙ୍କ ଭୂମିକା ସ୍ୱତନ୍ତ୍ର ରହିଛି। ଏମାନେ ଥରେ ସେଟ୍ ହୋଇଗଲା ପରେ ମ୍ୟାଚକୁ ବଦଳାଇ ଦେଇପାରନ୍ତି। ତେଣୁ ଏହି ତିନି ପ୍ଲେୟରଙ୍କୁ ତୁରନ୍ତ ପାଭିଲିଅନ ପଠାଇବାକୁ ହେଲେ ସ୍ୱତନ୍ତ୍ର ରଣକୌଶଳ ଆବଶ୍ୟକ।

ସର୍ବଶ୍ରେଷ୍ଠ ଶାମି
ଅକ୍ଟୋବର ୮ରେ ଯେତେବେଳେ ଭାରତ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିଲା, ସେତେବେଳେ ଚୂଡାନ୍ତ ଏକାଦଶରେ ସାମିଲ୍ ହୋଇ ନଥିଲେ ଷ୍ଟାର୍ ପେସର ତଥା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର୍ ମହମ୍ମଦ ଶାମି। କିନ୍ତୁ ସେ ଏବେ ଟିମ୍ ଇଣ୍ଡିଆର ବଡ଼ ଅସ୍ତ୍ର ସାଜିଛନ୍ତି। ଚଳିତ ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେବା ସହ ତାଙ୍କ ଘାତକ ବୋଲିଂ ଦଳ ପାଇଁ ମାଇଲଖୁଣ୍ଟ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ୍ ମ୍ୟାଚରେ ଶାମିଙ୍କ ଶାଣିତ ବୋଲିଂ ଭାରତକୁ ଫାଇନାଲରେ ପହଞ୍ଚାଇଛି। ଏହି ମ୍ୟାଚରେ ଶାମି ୭ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ। 

ବର୍ତ୍ତମାନ ସୁଦ୍ଧା ଭାରତ ୧୦ରୁ ୧୦ଟି ମ୍ୟାଚରେ ବିଜୟୀ ହୋଇସାରିଛି। ଟିମ୍ ପ୍ଲେୟରଙ୍କ ମନୋବଳ ମଧ୍ୟ ଦୃଢ ରହିଛି। ତେଣୁ ଭାରତ ତୃତୀୟ ଥର ପାଇଁ ବିଶ୍ୱକପ୍ ବିଜୟୀ ହେବ ବୋଲି ସମସ୍ତଙ୍କ ଆଶା। 

CWC 2023 World Cup ICC WC World Cup Final India Vs Aus