WTC
ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ନିଜ ନିଜ ଟେଷ୍ଟ ମ୍ୟାଚ୍ରେ ଦମଦାର ଓ ପ୍ରଭାବୀ ବିଜୟ ହାସଲ କରିଛନ୍ତି। ଦୁଇ ଦଳର ବିଜୟ ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC)୨୦୨୫-୨୭ ପଏଣ୍ଟ ଟେବୁଲରେ ଅଦଳବଦଳ ଦେଖିବାକୁ ମିଳିଛି।
ଅଷ୍ଟ୍ରେଲିଆ ଘରୋଇ ଟିମ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜକୁ ୩-୦ରେ ମୂଳପୋଛ କରିଛି। ତୃତୀୟ ଟେଷ୍ଟକୁ ଦଳ ୧୭୬ ରନରେ ଜିତିବା ପରେ ସିରିଜ କ୍ଲିନ ସୁଇପ କରିବାକୁ ସକ୍ଷମ ହୋଇଛି। ତୃତୀୟ ଟେଷ୍ଟ ପିଙ୍କ ବଲ ବିଶିଷ୍ଟ ହୋଇଥିବା ବେଳେ ଏହା ୩ ଦିନ ଭିତରେ ଶେଷ ହୋଇ ଯାଇଛି।
କାରଣ ୨୦୪ ରନର ପିଛା କରୁଥିବା ୱେଷ୍ଟଇଣ୍ଡିଜ ମାତ୍ର ୨୭ ରନରେ ଅଲଆଉଟ ହୋଇଯାଇଛି। ଟେଷ୍ଟ ଇତିହାସର ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର। ଟେଷ୍ଟରେ ସର୍ବନିମ୍ନ ସ୍କୋର କରିବାର ଲଜ୍ଜାଜନକ ରେକର୍ଡ ଏବେ ବି ନ୍ୟୁଜିଲ୍ୟାଣ୍ଡ ନାଁରେ ରହିଛି। ଦଳ ୧୯୫୫ରେ ମାତ୍ର ୨୬ ରନରେ ଅଲଆଉଟ ହୋଇ ଯାଇଥିଲା।
ଅଷ୍ଟ୍ରେଲିଆର ଏପରି ଐତିହାସିକ ସଫଳତାର ଅନ୍ୟତମ ହିରୋ ମିଚେଲ ଷ୍ଟାର୍କ ଏକାକୀ ୬ଟି ୱିକେଟ ନେଇଛନ୍ତି। ସେ ପ୍ରଥମ ୫ ୱିକେଟ କେବଳ ୨.୩ ଓଭରରେ ଦଖଲ କରି ଏକାଧିକ ରେକର୍ଡ ଭାଙ୍ଗି ଦେଇଛନ୍ତି। କିନ୍ତୁ ବୋଲାଣ୍ଡ ନେଇଥିବା ହ୍ୟାଟ୍ରିକ ଚର୍ଚ୍ଚାର ବିଷୟ ପାଲଟିଛି।
ୱେଷ୍ଟଇଣ୍ଡିଜ ୨୦୪ ରନର ପିଛା କରୁଥିବା ବେଳେ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ୧୪ତମ ଓଭରରେ ବୋଲାଣ୍ଡ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲେ। ପ୍ରଥମେ ସେ ଜଷ୍ଟିନ ଗ୍ରେଭେସଙ୍କୁ ୱେବଷ୍ଟରଙ୍କ ହାତରେ କ୍ୟାଚ ଆଉଟ କରାଇଥିଲେ। ପରବର୍ତ୍ତୀ ବଲରେ ଶମାର ଯୋଶେଫ ତାଙ୍କ ଶିକାର ବନିଥିଲେ। ହ୍ୟାଟ୍ରିକ ବଲରେ ବୋଲାଣ୍ଡ ତାଙ୍କ ବେଗକୁ ବ୍ୟବହାର କରି ଜୋମେଲ ୱାରିକାନଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ବୋଲାଣ୍ଡ ବିଶ୍ୱର ପ୍ରଥମ ଖେଳାଳି ଯିଏ ଦିବାରାତ୍ର ଟେଷ୍ଟରେ ହ୍ୟାଟ୍ରିକ ନେବାର ରେକର୍ଡ କରିଛନ୍ତି।
ଅନ୍ୟପକ୍ଷରେ ଇଂଲଣ୍ଡ ଲର୍ଡସରେ ଭାରତକୁ ନାଟକୀୟ ଢଙ୍ଗରେ ହରାଇ ଦେଇଛି। ୨୨ ରନରେ ଦଳ ବିଜୟ ହୋଇ WTC ପଏଣ୍ଟ ଟେବୁଲରେ ଉପରକୁ ଉଠିଛି। ୧୯୩ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ପାଇଁ ରବୀନ୍ଦ୍ର ଜାଡେଜା ଏକାକୀ ୬୧ ରନର ଇନିଂସ ଖେଳିଥିଲେ ହେଁ ଇଂଲଣ୍ଡ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି।
ଇଂଲଣ୍ଡ ୨୨ ରନରେ ମ୍ୟାଚ୍ ଜିତି WTC ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଏଥିସହ ଭାରତ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି।
ଅଷ୍ଟ୍ରେଲିଆ ୨୦୨୫-୨୭ ଟେଷ୍ଟ ଚାମ୍ପିୟନଶିପ ସାଇକେଲରେ ଏଯାଏ ୩ଟି ମ୍ୟାଚ୍ ଖେଳିଥିବା ବେଳେ ୩ଟି ଯାକରେ ଜିତି ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ରହିଛି। ଇଂଲଣ୍ଡ ୩ଟି ମ୍ୟାଚ୍ରୁ ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି। ଇଂଲଣ୍ଡ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୬୬.୬୭ ବିଜୟ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛି। ଭାରତ ୪ର୍ଥ ସ୍ଥାନରେ ରହିଥିବେ ବେଳେ ୫ମରେ ବାଂଲାଦେଶ, ୬ଷ୍ଠରେ ୱେଷ୍ଟଇଣ୍ଡିଜ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/WTC_1752570249.jpg)