UP
ମହିଳା ପ୍ରମିୟର ଲିଗ୍ରେ ଆଜି ୟୁପି ୱାରିୟର୍ସ ନାଟକୀୟ ବିଜୟ ହାସଲ କରିଛି। ଦଳ ଗୁଜରାଟ ଟାଇଟନ୍ସକୁ ଗୋଟିଏ ବଲ ପୂର୍ବରୁ ହରାଇ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫରେ ତୃତୀୟ ଦଳ ଭାବେ ପ୍ରବେଶ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ନକଆଉଟରେ ପହଞ୍ଚି ସାରିଥିଲେ। ୟୁପି ଆଜିର ମ୍ୟାଚ ଜିତିବା ପରେ ଗୁଜରାଟ ଓ ସ୍ମୃତି ମନ୍ଧାନାଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର WPLର ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଛନ୍ତି।
ଗୁଜରାଟ ୮ଟି ମ୍ୟାଚ୍ରୁ ମାତ୍ର ୨ଟି ଜିତି ପଏଣ୍ଟ ଟେବୁଲର ଶେଷରେ ଥିବା ବେଳେ ଆରସିବି ୭ଟି ମ୍ୟାଚ୍ରୁ ୨ଟି ବିଜୟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଦଳ ନିଜ ଶେଷ ମ୍ୟାଚ୍ ଜିତିଲେ ମଧ୍ୟ ପ୍ଲେ ଅଫକୁ ଯାଇ ପାରିବ ନାହିଁ।
ଆଜିର ମ୍ୟାଚ୍ କଥା ବିଚାରକୁ ନେଲେ ଗୁଜରାଟ ଓ ୟୁପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୮ ରନ କରିଥିଲା। ଦଳ ପକ୍ଷରୁ ଡି ହେମଲତା ୩୩ ବଲରେ ୫୭ ଓ ଅଷ୍ଟ୍ରେଲୀୟ ତାରକା ଗାର୍ଡେନର ୩୯ ବଲରେ ୬୦ ରନର ଇନିଂସ ଖେଳିଥିଲେ।
୧୭୯ ରନର ଟାର୍ଗେଟ ପାଇଥିବା ୟୁପି ଆରମ୍ଭରୁ ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ଏଲିସା ହିଲି(୧୨), ଦେବିକା ବୈଦ୍ୟ(୭) ଓ କିରନ ନାଭଗିରେ(୪) ରନ କରି ଆଉଟ ହୋଇଯାଇଥିଲେ। ଦଳ ୩୯ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ପୁଣିଥରେ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ ଦୁଇ ବିଦେଶ ଖେଳାଳି ତାହଲିଆ ମ୍ୟାଗ୍ରାଥ ଓ ଗ୍ରେସ ହାରିସ।
ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ନିଜ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୧୭ ଥିବା ବେଳେ ମ୍ୟାଗ୍ରାଥ(୩୮ ବଲରେ ୫୭ ରନ)ଙ୍କୁ ଗାର୍ଡେନର ଆଉଟ କରି ଦେଇଥିଲେ। ତେବେ ହାରିସ ହାର ମାନି ନଥିଲେ। ସେ ପୂର୍ବଭଳି ବଡ଼ବଡ଼ ଶଟ ଖେଳି ଚାଲିଥିଲେ। କିନ୍ତୁ ଦୀପ୍ତି ଶର୍ମା ୬ ରନ କରି ଆଉଟ ହୋଇଯିବା ଦଳକୁ ସାମାନ୍ୟ ଚିନ୍ତାରେ ପକାଇଥିଲେ।
ଏହି ସମୟରେ ହାରିସଙ୍କୁ ଶୋଫି ଏସ୍ଲେଷ୍ଟୋନଙ୍କ ସାଥ ମିଳିଥିଲା। ଦଳକୁ ଜିତିବା ପାଇଁ ୭ ରନ ଦରକାର ଥିବା ବେଳେ କିମ ଗ୍ରାଥ ୪୧ ବଲରେ ୭୨ ରନ କରିଥିବା ହାରିସଙ୍କୁ ଆଉଟ କରି ମ୍ୟାଚ୍ରେ ରୋମାଞ୍ଚ ଭରିଥିଲେ। ହାରିସ ତାଙ୍କ ଇନିଂସରେ ୭ଟି ଚୌକା ଓ ୪ଟି ଛକା ମାରିଛନ୍ତି।
ଶେଷ ଓଭରକୁ ଦଳକୁ ଜିତିବା ପାଇଁ ୭ ରନ ଦରକାର ଥିଲା। ଗୁଜରାଟ ପକ୍ଷରୁ ନିଜେ ଅଧିନାୟକ ସ୍ନେହ ରାଣା ମଙ୍ଗ ସମ୍ଭାଳିଥିଲେ। ତାଙ୍କର ପ୍ରଥମ ବଲରେ ଏସ୍ଲେଷ୍ଟୋନ ୨ ରନ ଆଦାୟ କରିଥିଲେ। ପରବର୍ତ୍ତୀ ବଲରେ ୧ ରନ ହୋଇଥିଲା। ସିମରନ ଶେଖ ମଧ୍ୟ ତୃତୀୟ ବଲରୁ ୧ ରନ ହାସଲ କରିଥିଲେ। ୪ର୍ଥ ବଲରେ ଏସ୍ଲେଷ୍ଟୋନ ୨ ରନ ନେବାକୁ ଚେଷ୍ଟା କରୁଥିବା ବଳେ ସିମରନ(୧) ରନ ଆଉଟ ହୋଇଯାଇଥିଲେ।
ତେଣୁ ଦଳକୁ ଜିତିବା ପାଇଁ ଶେଷ ୨ ବଲରେ ୨ ରନ ଦରକାର ଥିଲା। ସମସ୍ତଙ୍କ ନିଜର ଏସ୍ଲେଷ୍ଟୋନଙ୍କ ଉପରେ ରହିଥିଲା। ସେ ମଧ୍ୟ କାହାକୁ ନିରାଶ ନ କରି ରାଣାଙ୍କୁ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। ଏଥିସହ ୧ ବଲ ପୂର୍ବରୁ ଦଳକୁ ୩ ୱିକେଟରେ ବିଜୟୀ କରାଇ ପ୍ଲେ ଅଫ ଟିକେଟ ଦେଇଥିଲେ। ନିଜର ବିସ୍ଫୋରକ ଇନିଂସ ପାଇଁ ହାରିସଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/UP_1679324438.jpg)