ପର୍ଥ ଟେଷ୍ଟର ପ୍ରଥମ ପାଳିରେ ଶୂନରେ ଆଉଟ ହୋଇଥିବା ଯୁବ ଓପନର ଯଶସ୍ୱୀ ଜୈସୱାଲ ଦ୍ୱିତୀୟ ପାଳିରେ ଏକ ସୁନ୍ଦର ଶତକ କରିଛନ୍ତି। ଖବର ଲେଖାଯିବା ବେଳକୁ ସେ ୨୫୬ଟି ବଲ୍ରେ ୧୨ଟି ଚୌକା ଓ ୩ଟି ଛକା ସହାୟତାରେ ୧୪୧ ରନ୍ କରି ଅପରାଜିତ ଅଛନ୍ତି। ଅନ୍ୟପକ୍ଷରେ କେଏଲ ରାହୁଲ ୭୭ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଭାରତ ୩୧୩ ରନ୍ର ଅଗ୍ରଣୀ ଲାଭ କରିସାରିଲାଣି।
ପ୍ରଥମ ଇନିଂସରେ ଭାରତ ୧୫୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ତେବେ ଅଷ୍ଟ୍ରେଲିଆ ମଧ୍ୟ ଭଲ ବ୍ୟାଟିଂ କରିପାରି ନଥିଲା। ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୧୦୪ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲା ଓ ୪୬ ରନ୍ର ଲିଡ୍ ପାଇଥିଲା। ଅଷ୍ଟ୍ରେଲିଆ ୧୦୪ ରନ୍ରେ ଅଲ୍ଆଉଟ୍ ହେବା ପରେ ଗତକାଲି ଦ୍ୱିତୀୟ ଇନିଂସ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲ ଯଥାକ୍ରମେ ଶୂନ ଓ ୨୬ ରନ୍ରେ ଆଉଟ୍ ହୋଇଯାଇଥିବା ବେଳେ ଗତକାଲି ଧୈର୍ଯ୍ୟର ସହିତ ଖେଳିଥିଲେ। ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ କୌଣସି ୱିକେଟ୍ ନହରାଇ ୧୭୨ ରନ୍ ସଂଗ୍ରହ କରିଥିଲା। ଏହା ସହିତ କଙ୍ଗାରୁ ଦଳଠାରୁ ୨୧୮ ରନ୍ର ଲିଡ୍ ନେଇଥିଲା ବୁମ୍ରା ବାହିନୀ।
ଗତକାଲି ଯଥାକ୍ରମେ ୯୦ (୧୯୩ ବଲ୍) ଓ ୬୨ (୧୫୩ ବଲ୍) କରି ଅପରାଜିତ ଥିବା ଯଶସ୍ୱୀ ଓ ରାହୁଲ ଆଜି ପୁଣି ପାଳିକୁ ଆଗେଇ ନେଇଥିଲେ। ଯଶସ୍ୱୀ ଏକ ଛକ୍କା ମାରି ତାଙ୍କ ଶତକ ପୂରଣ କରିଥିଲେ। ୨୦୫ଟି ବଲ ଖେଳି ସେ ଏହି ସଫଳତା ପାଇଥିଲେ। ଏହା ହେଉଛି ଅଷ୍ଟ୍ରେଲିଆ ମାଟିରେ ତାଙ୍କର ପ୍ରଥମ ଶତକ। ସେ ପ୍ରଥମ ଥର ଅଷ୍ଟ୍ରେଲିଆରେ ଟେଷ୍ଟ ଖେଳୁଥିବା ବେଳେ କମାଲ କରି ଦେଇଛନ୍ତି। ସେହିପରି ବ୍ୟକ୍ତିଗତ ଭାବେ ଟେଷ୍ଟରେ ଏହା ହେଉଛି ତାଙ୍କର ଚତୁର୍ଥ ଶତକ। ସେ ଶତକ ହାସଲ କରିବା ପରେ ଆଉଟ୍ ହୋଇଥିଲେ କେ.ଏଲ ରାହୁଲ। ସେ ଆଉଟ୍ ହେବା ବେଳକୁ ଭାରତର ସ୍କୋର ୨୦୧ ରହିଥିଲା। ରାହୁଲ ୧୭୬ ବଲ୍ରୁ ୫ଟି ଚୌକା ସହାୟତାରେ ୭୭ ରନ୍ କରି ଆଉଟ୍ ହୋଇଥିଲେ। ମିଚେଲ ଷ୍ଟାର୍କଙ୍କ ବଲ୍ରେ ଆଲେକ୍ସଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ।
ରାହୁଲ ଆଉଟ୍ ହେବା ପରେ ବ୍ୟାଟିଂ କରିବାକୁ ଆସିଛନ୍ତି ଦେବଦତ୍ତ ପଡିକ୍କଲ। ସେ ଓ ଯଶସ୍ୱୀ ଭାରତର ପାଳିକୁ ଆଗେଇ ନେଉଛନ୍ତି। ଖବର ଲେଖାଯିବା ସୁଦ୍ଧା ଯଶସ୍ୱୀ ୨୫୫ ବଲ୍ରୁ ୧୩୭ ରନ୍ (୧୧ ଚୌକା, ୩ ଛକା) କରି ଅପରାଜିତ ଥିବା ବେଳେ ୬୧ ବଲ୍ରୁ ୧୭ ରନ୍ କରି ଖେଳୁଛନ୍ତି ଦେବଦତ୍ତ।