/odisha-reporter/media/post_attachments/uploadimage/library/16_9/16_9_0/WTC_1685273959.jpg)
WTC
ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟର ଯଶସ୍ୱୀ ଜୈସୱାଲଙ୍କୁ ବଡ଼ ସୁଯୋଗ ମିଳିଛି। ତାଙ୍କୁ ଜୁନ୍ ୭ରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଛି। ଅବଶ୍ୟ ସେ ଏବେ ଷ୍ଟାଣ୍ତବାଏରେ ରହିବେ।
ପୂର୍ବରୁ ଋତୁରାଜ ଗାଏକ୍ୱାଡ ଫାଇନାଲ ମ୍ୟାଚ ପାଇଁ ଘୋଷଣା ହୋଇଥିବା ୩ ଜଣିଆ ଷ୍ଟାଣ୍ଡବାଏ ଖେଳାଳିଙ୍କ ମଧ୍ୟରେ ରହିଥିଲେ। କିନ୍ତୁ ଜୁନ ୩ରେ ସେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ବିସିସିଆଇ ଜୈସୱାଲଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ଦେଇଥିବା ଜଣାପଡ଼ିଛି।
ଜୈସୱାଲଙ୍କ ବ୍ୟତୀତ ସୂର୍ଯ୍ୟ କୁମାର ଯାଦବ ଓ ମୁକେଶ କୁମାର ମଧ୍ୟ ଷ୍ଟାଣ୍ଡବାଏ ଖେଳାଳି ଭାବେ ଭାରତୀୟ ସ୍କ୍ୱାଡରେ ରହିଛନ୍ତି। ଜୁନ ୭ରୁ ୧୨ ଯାଏ ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ WTC ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।
ଜୈସୱାଲ ବିଗତ କିଛି ମାସ ହେଲା ଭଲ ଲୟରେ ରହିଛନ୍ତି। ୨୦୨୩ ଆଇପିଏଲରେ ସେ ରାଜସ୍ଥାନ ପାଇଁ ୧୪ଟି ଇନିଂସରେ ମୋଟ ୬୨୫ ରନ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି।
ଏଯାଏ ଭାରତର ସିନିୟର କ୍ରିକେଟ ଟିମରେ ଡେବ୍ୟୁ କରି ନଥିବା ୨୧ ବର୍ଷୀୟ ଜୈସୱାଲ ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ସେ ୧୫ଟି ମ୍ୟାଚ୍ରେ ମୋଟ ୮୦.୨୧ ହାରରେ ୧୮୪୫ ରନ କରିଛନ୍ତି। ସେ ୯ଟି ଶତକ ଓ ୨ଟି ଅର୍ଦ୍ଧଶତକ ମାରିଛନ୍ତି।
୨୦୨୨-୨୩ ରଣଜୀ ସିଜିନରେ ସେ ୫ଟି ମ୍ୟାଚ୍ ଖେଳି ୩୧୫ ରନ କରିଥିଲେ। ଇରାନୀ କପ୍ରେ ସେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ମଧ୍ୟ ରହିଥିଲେ। ମଧ୍ୟପ୍ରଦେଶ ବିପକ୍ଷରେ ସେ ୨୧୩ ଓ ୧୪୪ ରନର ଇନିଂସ ଖେଳି ନିଜର ଯାଦୁ ଦେଖାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
