Advertisment

T20 World Cup: ବିଶ୍ୱକପରେ ଅଷ୍ଟ୍ରେଲିଆ ଜଳକା, ଜିମ୍ବାୱେ ଠାରୁ ୨୩ ରନରେ ହାରିଲା

୨୦୦୭ ଟି-୨୦ ବିଶ୍ୱକପରେ ଜିମ୍ବାୱେ ୫ ୱିକେଟରେ ଜିତିଥିଲା । ଏବେ ଦଳ ୨୩ ରନରେ ଅଷ୍ଟ୍ରେଲିଆକୁ ହରାଇଛି। ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜିମ୍ବାୱେର ଦ୍ରୁତ ବୋଲର ବ୍ଲେସିଂ ମୁଜରବାନିଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

T20-world-cup

ବିଜୟ ପରେ ଜିମ୍ବାୱେ ଟିମ

Advertisment

ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ବଡ଼ ବିପର୍ଯ୍ୟୟ ଘଟାଇଛି ଜିମ୍ବାୱେ। ଆଜି ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଜଳକା କରି ମାରି ନେଇଛି ବାଜି। ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ନୂଆ କୀର୍ତ୍ତିମାନ ହାସଲ କରି ଜିମ୍ବାୱେ ୨୩ ରନରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି।

Advertisment

 ୨୦୦୭ ଟି-୨୦ ବିଶ୍ୱକପ ପରେ ଜିମ୍ବାୱେ ପୁଣିଥରେ ଅଷ୍ଟ୍ରେଲିଆକୁ ଏପରି ବିପର୍ଯ୍ୟୟର ସାମ୍ନା କରିବାକୁ ବାଧ୍ୟ କରିଛି। ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ ଜିମ୍ବାୱେ କମାଲ କରିଥିବା ବେଳେ ଅଷ୍ଟ୍ରେଲିଆ କେବଳ ଦେଖଣାହାରୀ ହୋଇ ରହି ଯାଇଛି।

୨୦୦୭ ଟି-୨୦ ବିଶ୍ୱକପରେ ଜିମ୍ବାୱେ ୫ ୱିକେଟରେ ଜିତିଥିଲା । ଏବେ ଦଳ ୨୩ ରନରେ ଅଷ୍ଟ୍ରେଲିଆକୁ ହରାଇଛି। ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜିମ୍ବାୱେର ଦ୍ରୁତ ବୋଲର ବ୍ଲେସିଂ ମୁଜରବାନିଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସେ ୪ ଓଭରରେ ୧୭ ରନ ଦେଇ ୪ ୱିକେଟ ନେଇଛନ୍ତି। ଆଜିର ୪ ସଫଳତା ପରେ ସେ ଜିମ୍ବାୱେର ତୃତୀୟ ବୋଲର ଭାବେ ଟି-୨୦ରେ ୧୦୦ ୱିକେଟ ଦଖଲ କରିଛନ୍ତି। ତାଙ୍କୁ ପୂର୍ବରୁ ଅଧିନାୟକ ସିକନ୍ଦର ରଜା ଓ ରିଚାର୍ଡ ନାଗରଭା ଏପରି ସଫଳତା ପାଇଥିଲେ। 

Advertisment

ଜିମ୍ବାୱେ ୩ମ ଥର ପାଇଁ କୌଣସି ବିଶ୍ୱକପରେ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ମଧ୍ୟ ପାଇଛି। ୧୯୮୩ ଦିନିକିଆ ବିଶ୍ୱକପରେ ଡୁନକାନ ଫ୍ଲେଚରଙ୍କ ଜିମ୍ବାୱେ ୧୩ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ସେହିପରି ୨୦୦୭ ଟି-୨୦ ବିଶ୍ୱକପରେ ପ୍ରୋସପର ଉଟସେୟାଙ୍କ ଜିମ୍ବାୱେ ୫ ୱିକେଟରେ ଅଷ୍ଟ୍ରେଲିଆ ଠାରୁ ଜିତିଥିଲା। ଏବେ ସିକନ୍ଦର ରଜାଙ୍କ ଜିମ୍ବାୱେ ନିଜକୁ ଏହି ତାଲିକାରେ ସାମିଲ କରିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୬୯ ରନ କରିଥିଲା। ଦଳ ପକ୍ଷରୁ ବ୍ରାଏନ ବେନ୍ନେଟ ୫୬ ବଲରେ ଅପରାଜିତ ୬୪ ରନ କରିଥିବା ବେଳେ ଟି ମାରୁମନି ୨୧ ବଲରେ ୩୫, ରାୟନ ବର୍ଲ ୩୦ ବଲରେ ୩୫ ଓ ଶେଷ ଭାଗରେ ଅଧିନାୟକ ସିକନ୍ଦର ରଜା ୧୩ ବଲରେ ଅପରାଜିତ ୨୫ ରନ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ କେବଳ ମାର୍କସ ଷ୍ଟୋଇନିସ ଓ କାମେରନ ଗ୍ରୀନ ଗୋଟିଏ ଲେଖାଏ ୱିକେଟ ପାଇଥିଲେ। 

୧୭୦ ରନର ଟାର୍ଗେଟକୁ ପିଛା କରିବାକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ବୋଲିଂରେ ଆରମ୍ଭରୁ ଘାଇଲା କରିଥିଲା ଜିମ୍ବାୱେ। ଦ୍ୱିତୀୟ ଓଭରର ପ୍ରଥମ ବଲରେ ବ୍ଲେସିଂ ମୁଜରବାନି ୮ ରନ କରିଥିବା ଜୋଶ ଇଙ୍ଗଲିସଙ୍କୁ ଆଉଟ କରି କଙ୍ଗାରୁ ଟିମକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ଅଷ୍ଟ୍ରେଲିଆ ଅଧିନାୟକ ଟ୍ରାଭିସ ହେଡ(୧୭), ଗ୍ରୀନ ଓ ଟିମ ଡାଭିଡଙ୍କୁ ଖାତା ଖୋଲିବା ପୂର୍ବରୁ ହରାଇଥିଲା।

ହେଡ ଓ ଗ୍ରୀନଙ୍କୁ ବ୍ରାଡ ଇଭାନ୍ସ ଆଉଟ କରିଥିବା ବେଳେ ଡାଭିଡଙ୍କ ୱିକେଟ ନେଇଥିଲେ ମୁଜରବାନି। ଅଷ୍ଟ୍ରେଲିଆ ୨୯ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଗ୍ଲେନ ମ୍ୟାକ୍ସୱେଲ ଓ ମାଥ୍ୟୁ ରେନଶ’ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ହେଁ ଆବଶ୍ୟକ ରନରେଟ ଧୀରେଧୀରେ ବଢ଼ିବାକୁ ଲାଗିଥିଲା।

ଶେଷରେ ବଡ଼ ଶଟ ଖେଳିବାକୁ ଯାଇ ମ୍ୟାକ୍ସୱେଲ(୩୧) ବର୍ଲଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ରେନ ଶ’ ଗୋଟିଏ ପଟେ ରହି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଆଉ କେହି ବି ତାଙ୍କ ସାଥ ଦେଇ ନଥିଲେ। ଷ୍ଟୋଇନିସ ୬ ରନ, ବେନ ଡୱରଶୁଇସ ୬ ରନ ଓ ଆଡାମ ଜାମ୍ପା କେବଳ ୨ ରନ କରିବାକୁ ସକ୍ଷମ ହୋଇଥିଲେ।

ରେନଶ’ ମଧ୍ୟ ୬୫ ରନର ଇନିଂସ ଖେଳି ୮ମ ବ୍ୟାଟର ଭାବେ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ମାଥ୍ୟୁ କୁହନେମାନଙ୍କୁ ଇଭାନ୍ସ ରନ ଆଉଟ କରି ଅଷ୍ଟ୍ରେଲିଆର ଇନିଂସକୁ ୧୪୬ ରନରେ ଅଟକାଇ ଦେଇଥିଲେ। ଏଥିସହ ଜିମ୍ବାୱେକୁ ଐତିହାସିକ ୨୩ ରନର ବିଜୟ ଭେଟି ଦେଇଥିଲେ। 

ଜିମ୍ବାୱେ ପକ୍ଷରୁ ମୁଜରବାନି ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଇଭାନ୍ସ ୩ଟି, ୱେଲିଙ୍ଗଟନ ମାସାକାଜା ଓ ବର୍ଲଙ୍କୁ ଗୋଟିଏ ସଫଳତା ମିଳିଛି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe