Advertisment

Rinku Singh and his father: ସିଲିଣ୍ଡର ବୋହି ମଣିଷ କରିଥିଲେ, ବାପା ଯିବା ପରେ ଭୋଭୋ କାନ୍ଦିଲେ ରିଙ୍କୁ

ଗୋଟିଏ ପଟେ ଶେଷ ସମୟରେ ବାପା ପୁଅ ରିଙ୍କୁଙ୍କୁ ଖୋଜୁଥା’ନ୍ତି ଅନ୍ୟପଟେ ଭାରତ କେମିତି ସେମିଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିବ, ସେଥିପାଇଁ ଜିଜାନ୍ ଲଗାଇ ଫିଲ୍ଡିଂ କରୁଥା’ନ୍ତି ରିଙ୍କୁ ।

Rinku
Advertisment

ଦେଶ ପାଇଁ କ୍ରିକେଟ୍ ଖେଳୁଥିବା ରିଙ୍କୁ ସିଂହ ସେଦିନ ବିଚଳିତ ଥିଲେ ବି ପଡ଼ିଆ ଭିତରେ ଧୈର୍ଯ୍ୟର ସହ ଖେଳ ଖେଳୁଥା’ନ୍ତି । ଗୋଟିଏ ପଟେ ଶେଷ ସମୟରେ ବାପା ପୁଅ ରିଙ୍କୁଙ୍କୁ ଖୋଜୁଥା’ନ୍ତି ଅନ୍ୟପଟେ ଭାରତ କେମିତି ସେମିଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିବ, ସେଥିପାଇଁ ଜିଜାନ୍ ଲଗାଇ ଫିଲ୍ଡିଂ କରୁଥା’ନ୍ତି ରିଙ୍କୁ । ମ୍ୟାଚ୍ ଜିତିଲେ ସତ, କିନ୍ତୁ ଶେଷ ସମୟରେ ବାପାଙ୍କ ପାଖରେ ରହିପାରିଲେନି ପୁଅ ରିଙ୍କୁ।

Advertisment

ଯେଉଁ ବାପାଙ୍କ ସଂଘର୍ଷ ଆଉ ବଳିଦାନ ବଳରେ ସବୁ ସଫଳତା ପାଇଥିଲେ, ଯାହାଙ୍କ ହାତ ଧରି ଚାଲିବା ଶିଖିଥିଲେ, ଶେଷ ସମୟରେ ତାଙ୍କ ପାଖରେ ରହିପାରିଲେନି ରିଙ୍କୁ ସିଂହ (Rinku Singh) । ଆଉ ଯେତେବେଳେ ବାପାଙ୍କ ଶେଷକୃତ୍ୟରେ ସାମିଲ ହୋଇ କାନ୍ଧରେ କୋକେଇକୁ ବୋହି ଗଲେ, ନିଜ ଆଖିର ଅଶ୍ରୁକୁ ଅଟକାଇ ପାରିଲେ ନାହିଁ।

ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ର ଗୋଟେ ଦିନ ପୂର୍ବରୁ ପ୍ରାକ୍ଟିସ୍ ଛାଡ଼ି ବାପାଙ୍କ ପାଖକୁ ଆସିଥିଲେ ଓ କହିଯାଇଥିଲେ ବାପା ତୁମେ ଭଲ ହୋଇଯିବ । ହେଲେ ରିଙ୍କୁ ଦେଶ ପାଇଁ ଖେଳୁଥିବା ବେଳେ ବାପା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଚତୁର୍ଥ ପର୍ଯ୍ୟୟ ଯକୃତ କର୍କଟ ରୋଗରେ ପୀଡ଼ିତ ଥିଲେ ରିଙ୍କୁଙ୍କ ବାପା ଖାନଚନ୍ଦ ସିଂହ । ଗ୍ରେଟର ନୋଏଡାରେ ଚିକିତ୍ସା ଚାଲିଥିବା ବେଳେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। 

Advertisment

ରିଙ୍କୁ ସିଂହ କ୍ରିକେଟ ଜଗତର ନୂଆ ନାଁ ସତ, ହେଲେ ବେଶ୍ ପରିଚିତ । ଆଇପିଏଲ୍‌ରେ ଶେଷ ଓଭରରେ ରେକର୍ଡ ୫ ଛକା ହେଉ କି ଟିମ୍ ଇଣ୍ଡିଆକୁ ଶେଷ ଭାଗରେ ବିଜୟ ଦେବା- ରିଙ୍କୁଙ୍କ ନାଁରେ ଏହି ସଫଳତା ରହିଛି । ଆଉ ରିଙ୍କୁଙ୍କ ଏହି ସଫଳତା ପଛରେ ତାଙ୍କ ବାପା ଖାନଚନ୍ଦ ସିଂହଙ୍କ ବଡ଼ ଭୂମିକା ରହିଛି । ପରିବାର ପ୍ରତିପୋଷଣ ପାଇଁ ଘରକୁ ଘର ଓ ଦୋକାନକୁ ଦୋକାନ ବୁଲି ଏଲପିଜି ସିଲିଣ୍ଡର ଡେଲିଭରି କରୁଥିଲେ ଖାନଚନ୍ଦ ସିଂହ । ମାତ୍ର ୧୨ ହଜାର ଟଙ୍କାରେ ଦୀର୍ଘ ବର୍ଷ ପରିବାର ଚଳାଇବା ସହ ପୁଅର ପ୍ରଶିକ୍ଷଣରେ ସହଯୋଗ କରୁଥିଲେ।

ଏଇ କିଛି ବର୍ଷ ତଳେ ରିଙ୍କୁଙ୍କ ଘର ଭାଇରାଲ୍ ହୋଇଥିଲା, ଯାହା ବୟାନ କରୁଥିଲା କେତେ ଦାରିଦ୍ର୍ୟରେ ଥିଲେ ସେମାନେ। ଆର୍ଥିକ ସମସ୍ୟା ଭିତରେ ମଧ୍ୟ ରିଙ୍କୁଙ୍କ କ୍ରିକେଟ୍ ଯାତ୍ରାରେ ରୋକ୍ ଲଗାଇନଥିଲେ ବାପା ଖାନଚନ୍ଦ ସିଂହ । କେତେବେଳେ ସାଇକେଲରେ ସିଲିଣ୍ଡର ନେଇ ପହଞ୍ଚାଉଥିଲେ ତ ଆଉ କେତେବେଳେ କମ୍ପାନୀ ଗାଡ଼ିରେ। ଏମିତି କି ଭାରତ ପାଇଁ ପୁଅ ଡେବ୍ୟୁ କରିବା ପରେ ମଧ୍ୟ ନିଜ କାମକୁ ଭୁଲି ନଥିଲେ ଖାନଚନ୍ଦ ସିଂହ। ରିଙ୍କୁ ଭାବିଥିଲେ ବାପାଙ୍କୁ ତାଙ୍କ ବାକି ଜୀବନ ଖୁସିରେ ବିତାଇବାକୁ ଦେବେ। ବାପାଙ୍କୁ ସେ ଏକ ସୁପର୍ ବାଇକ୍ ଗିଫ୍ଟ କରିଥିଲେ। ପରିବାର ପାଇଁ ଫ୍ଲାଟ୍ କିଣିଥିଲେ । ଜୁନ୍ ମାସରେ ତାଙ୍କର ବାହାଘର ଫାଇନାଲ୍ ହୋଇଥିଲା। ହେଲେ ଖାନଚାନ୍ଦଙ୍କ ମୃତ୍ୟୁ ପରେ ତାଙ୍କର ସବୁ ଖୁସିରେ ଯେମିତି ଗ୍ରହଣ ଲାଗିଛି। ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ରିଙ୍କୁ। ଏବେ ଟି-20 ବିଶ୍ୱକପ୍ ଚାଲିଥିବା ବେଳେ ସେ ଦଳକୁ ଫେରିବା ନେଇ ମଧ୍ୟ ଅନିଶ୍ଚିତତା ରହିଛି।

ବ୍ୟୁରୋ ରିପୋର୍ଟ, ଓଡ଼ିଶା ରିପୋର୍ଟର    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe