Advertisment

ଚେସ୍ ଜଗତରେ ଇତିହାସ; ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ହେଲେ ଡି ଗୁକେଶ

ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ଡି ଗୁକେଶ। ୧୮ ବର୍ଷ ବୟସରେ ବିଶ୍ୱ ଚେସ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ।

ଅଦ୍ୟତନ ହୋଇଛି
D Gukesh

D Gukesh

Advertisment

ଇତିହାସ ରଚିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ। ଚେସର ନୂଆ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ୧୮ ବର୍ଷୀୟ ଡି ଗୁକେଶ। ବିଶ୍ୱ ଚେସ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ। ସିଙ୍ଗାପୁରରେ ଚାଲିଥିବା ବିଶ୍ୱ ଚେସ୍ ଚାମ୍ପିୟନସିପର ନିର୍ଣ୍ଣାୟକ ମ୍ୟାଚର ୧୪ଶ ବାଜିରେ ସେ ଚୀନ୍‌ର ଡିଫେଣ୍ଡିଂ ଚାମ୍ପିୟନ୍ ଡିଙ୍ଗ୍ ଲିରେନଙ୍କୁ ପରାସ୍ତ କରିଛନ୍ତି। ଏହା ସହିତ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ଗୁକେଶ।

Advertisment

ଗୁରୁବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଏବଂ ତଙ୍କ ପ୍ରତିଦ୍ୱନ୍ଦ୍ୱୀ ଚୀନର ଡିଙ୍ଗ୍ ଲିରେନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ୧୩ଶ ବାଜି ପର୍ଯ୍ୟନ୍ତ ଉଭୟଙ୍କ ପଏଣ୍ଟ ୬.୫ ସହ ମ୍ୟାଚ୍ ଡ୍ର ଥିଲା। ହେଲେ ୧୪ଶ ବାଜି ମଧ୍ୟ ଡ୍ର ଆଡକୁ ଯାଉଥିବା ଡିଙ୍ଗ୍ ନିଜର ୫୩ତମ ମୁଭରେ ଭୁଲ୍ କରିଥିଲେ। ଯାହାର ଫାଇଦା ଉଠାଇବାରେ ସଫଳ ହୋଇଥିଲେ ଗୁକେଶ। ସଫଳ ରଣନୀତି ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଚାପ ପକାଇବାରେ ସଫଳ ହୋଇ ୭.୫- ୬.୫ ପଏଣ୍ଟ ସହ ଏହି ମ୍ୟାଚକୁ ଜିତି ନେଇଥିଲେ ଗୁକେଶ।

Advertisment

ମ୍ୟାଚ୍ ଜିତିବା ପରେ ଏହାକୁ ତାଙ୍କ ଜୀବନର ସବୁଠାରୁ ଶ୍ରେଷ୍ଠ ଦିନ ବୋଲି କହିଛନ୍ତି ଗ୍ରାଣ୍ଡମାଷ୍ଟର ଡି ଗୁକେଶ। ଏହି ଅବିଶ୍ୱସନୀୟ ସଫଳତା ହାସଲ କରିବାରେ ଗୁକେଶ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ଏହାପୂର୍ବରୁ ଭାରତର କିମ୍ବଦନ୍ତୀ ଚେସ୍ ଖେଳାଳି ତଥା ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦ ଏହି ବିଶିଷ୍ଟ ତାଲିକାର ଅଂଶ ଭାବରେ ଏକମାତ୍ର ଭାରତୀୟ ଥିଲେ। ଆନନ୍ଦ ୫ ଥର ବିଶ୍ୱ ଚେସ୍ ଚାମ୍ପିୟନସିପର ସମ୍ମାନଜନକ ଟାଇଟଲ୍ ଜିତିଛନ୍ତି। ସେ ୨୦୦୦, ୨୦୦୭, ୨୦୦୮, ୨୦୧୦ ଓ ୨୦୧୨ରେ ଚେସରେ ବିଶ୍ୱ ବିଜୟୀ ହୋଇଥିଲେ।

ସେପଟେ ବିଶ୍ୱ ଚେସ୍ ଚାମ୍ପିୟନ ବନିବା ପରେ ଗୁକେଶ ଭାରତକୁ ଗର୍ବିତ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁକେଶଙ୍କ ସଫଳତାକୁ ଐତିହାସିକ ଓ ଉଦାହରଣଯୋଗ୍ୟ ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସଫଳତା ଅଗଣିତ ଯୁବ ପ୍ରତିଭାଙ୍କୁ ପ୍ରେରଣା ଯୋଗାଇବ ବୋଲି ଲେଖିଛନ୍ତି ମୋଦି। ସେହିଭଳି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଗୁକେଶଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହା ଭାରତୀୟ ଚେସ୍ ପାଇଁ ଐତିହାସିକ ମାଇଲଖୁଣ୍ଟ ବୋଲି ପ୍ରକାଶ କରିଛନ୍ତି।   

D Gukesh Youngest World Chess Champion World Chess Championship
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe