ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଫୁଟବଲର ଅନ୍ୟତମ ବଡ଼ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ୟୁରୋ ଚାମ୍ପିୟନଶିପ୍ ଏବଂ କୋପା ଆମେରିକାକୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଚଳିତ ବର୍ଷ ଜୁନ୍ ଓ ଜୁଲାଇରେ ୟୁରୋ ଚାମ୍ପିୟନଶିପ୍ ଆୟୋଜିତ ହେବାର ଥିଲା, କିନ୍ତୁ ମଙ୍ଗଳବାର ଆପାତ୍ତକାଳୀନ ଡକା ଯାଇଥିଲା, ଯେଉଁଥିରେ ଏହି ଟୁର୍ଣ୍ଣାମେଣ୍ଟକୁ ବର୍ତ୍ତମାନ ସସପେଣ୍ଡ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧୧ରୁ ଜୁଲାଇ ୧୧ ତାରିଖ ଭିତରେ ଆୟୋଜନ କରିବାକୁ ଯୋଜନା ରଖାଯାଇଛି।
ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ୁଥିବାର ଦେଖି ସମସ୍ତ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ବନ୍ଦ କରାଯାଇଛି। ୟୁରୋପର ଅନେକ ଦେଶ ଏହି ମହାମାରୀରେ ପ୍ରଭାବିତ ହୋଇଛି। ସେହିପରି ଦକ୍ଷିଣ ଆମେରିକା ଫୁଟବଲ କନଫେଡେରେସନ୍ କୋପା ଆମେରିକାକୁ ମଧ୍ୟ ଚଳିତ ବର୍ଷ ସ୍ଥଗିତ କରି ଦେଇଛି। ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଜୁନ୍ ୧୨ରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନାର ପ୍ରଭାବ ଏହି ଟୁର୍ଣ୍ଣାମେଣ୍ଟ ଉପରେ ମଧ୍ୟ ପଡ଼ିଛି।
UEFA today announced the postponement of UEFA EURO 2020.
A working group has been set up with the participation of leagues and club representatives to examine calendar solutions that would allow for the completion of the current season...
Full statement: 👇
— UEFA (@UEFA) March 17, 2020
ୟୁରୋ କପକୁ ବର୍ଷକ ପାଇଁ ସ୍ଥଗିତ ଫଳରେ ଏହାର ପ୍ରଭାବ ଇଂଲଣ୍ଡରେ ୨୦୨୧ରେ ହେବାକୁଥିବା ମହିଳା ୟୁରୋପୀୟ ଚାମ୍ପିୟନଶିପ୍ ଉପରେ ମଧ୍ୟ ପଡ଼ିବ। ୟୁରୋ-୨୦୨୦ରେ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହି ଟୁର୍ଣ୍ଣାମେଣ୍ଟ ବିଭିନ୍ନ ଉପମହାଦ୍ୱୀପର ୧୨ଟି ସହର ଯଥା ଆମଷ୍ଟରଡାମ, ବାକୁ, ବିଲବାଓ, ବୁଡାପେଷ୍ଟ, ବୁଚାରେଷ୍ଟ, କୋପେନହାଗେନ୍, ଡବଲିନ୍, ଗ୍ଲାସଗୋ, ଲଣ୍ଡନ, ମ୍ୟୁନିକ୍, ରୋମ୍ ଏବଂ ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ହେବ।
ସେହିପରି ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଲଣ୍ଡନରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁଥିବା ୨୪ଟି ଟିମ୍ ମଧ୍ୟରୁ ୨୦ ଟିମ୍ ଏପର୍ଯ୍ୟନ୍ତ କ୍ୱାଲିଫାଏ କରିସାରିଛନ୍ତି। ତେବେ ବାକି ୪ଟି ଟିମ୍ ପ୍ଲେଅଫ୍ ପରେ ଜଣାପଡ଼ିବ। ପ୍ଲେଅଫ୍ ଚଳିତମାସ ଶେଷଭାଗରେ ଆୟୋଜିତ ହେବାର ଥିଲା, କିନ୍ତୁ ଏବେ ଏହା ପରବର୍ତ୍ତୀ ସମୟରେ ଆୟୋଜିତ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।