Advertisment

ଆଉ ରିଂରେ ଶୁଭିବନି ବ୍ରେ ୱାଟଙ୍କ ଗର୍ଜନ, ମାତ୍ର ୩୬ ବର୍ଷରେ ପରଲୋକ

ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଯାଇଛନ୍ତି ରେସଲିଂ ଦୁନିଆର ସୁପରଷ୍ଟାର ବ୍ରେ ୱାଟ ।

author-image
Niharika Rout
Bray Wyatt

Bray Wyatt

ଆଉ ରିଂରେ ଶୁଭିବନି ବ୍ରେ ୱାଟଙ୍କ ଗର୍ଜନ । ତାଙ୍କ ଆଟାକିଂ ଷ୍ଟାଇଲ ଦେଖି ପ୍ରତିପକ୍ଷ ବି ଛାନିଆ ହୋଇ ଯାଉଥିବା ବେଳେ ଆଉ ଦେଖିବାକୁ ମିଳିବନି ତାଙ୍କ କିଲର୍‌ ଲୁକ୍‌। ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଯାଇଛନ୍ତି WWE (World Wrestling Entertainment) ଦୁନିଆର ସୁପରଷ୍ଟାର ବ୍ରେ ୱାଟ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Advertisment

ଗତ ମାର୍ଚ୍ଚରୁ ସେ ଲାଇମଲାଇଟ୍‌ରୁ ଦୂରେଇ ରହୁଥିଲେ। ସେ କିଛି ଘାତକ ବେମାରରେ ପୀଡ଼ିତ ଥିବା ଜଣାଯାଇଥିଲେ ବି ଏ ନେଇ ଗଣମାଧ୍ୟମକୁ ସବିଶେଷ ସୂଚନା ଦିଆଯାଉ ନ ଥିଲା। ଦୀର୍ଘ ଦିନ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥାରେ ସୁଧାର ଆସୁଥିବା ଶୁଣି ଫ୍ୟାନ୍ସ ଆଶ୍ୱସ୍ତ ହୋଇ ଉଠିଥିଲେ । ମାତ୍ର ଗୁରୁବାର ସକାଳେ ସେ ଆଖି ବୁଜିଥିବା ଜଣାଯାଇଛି। ତାଙ୍କ ମୃତ୍ୟୁ ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ରେସଲିଂ ଦୁନିଆରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଛି।

ବ୍ରେ ୱାଟଙ୍କ ପ୍ରକୃତ ନାମ ୱିନଡମ ରୋଡୁଣ୍ଡ ବୋଲି ଜଣାଯାଇଛି। ସେ ଦୀର୍ଘ ବର୍ଷ ଧରି ରେସଲିଂ ଜଗତ ସହ ଜଡ଼ିତ ଥିଲେ। ଗତ ୨୦୦୯ ମସିହାରେ ସେ ନିଜ କ୍ୟାରିଅର ଆରମ୍ଭ କରିଥିବା ବେଳେ ୨୦୨୧ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଖେଳିଥିଲେ। ରିଂ ଭିତରେ ତାଙ୍କର ପ୍ରବଳ ଦବଦବା ରହୁଥିବା ବେଳେ ତାଙ୍କ ଆଟାକିଂ ଷ୍ଟାଇଲ ଦେଖି ପ୍ରତିପକ୍ଷ ବି ଛାନିଆ ହୋଇ ଯାଉଥିଲେ। ସେ ୩ ଥର ଚାମ୍ପିୟନ ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲେ।

Advertisment

ବ୍ରେ ୱାଟଙ୍କ ପରିବାର ରେସଲିଂ ସହ ଓତପ୍ରେତ ଭାବେ ଜଡ଼ିତ । ତାଙ୍କ ଜେଜେବାପା ଅମଳରୁ ସମସ୍ତଙ୍କର ଏହି ଖେଳ ପ୍ରତି ଅହେତୁକ ଭଲ ପାଇବା ଥିବା ବେଳେ ସମସ୍ତେ ରିଂକୁ ଓହ୍ଲାଇ ଶତ୍ରୁଙ୍କୁ ନାକେଦମ କରୁଥିଲେ। ତାଙ୍କ ବାପା ଓ ଦାଦାମାନେ ବି ଏହି ଦୁନିଆରେ ନିଜ ପରିଚୟ ସୃଷ୍ଟି କରି ପାରିଥିଲେ।

ବ୍ରେ ୱାଟଙ୍କ ମୃତ୍ୟୁ ଯୋଗୁ ସମଗ୍ର ରେସଲିଂ ଦୁନିଆରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସମସ୍ତେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Sports News