/odisha-reporter/media/post_attachments/uploads/2020/03/t20-1.jpg)
t20
ସିଡନୀ: କରୋନା ଭାଇରସ୍ ଯୋଗୁ କ୍ରୀଡ଼ା ଜଗତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସାରା ଦୁନିଆର ଷ୍ଟାଡିୟମ ଯେପରି ଶୂନଶାନ୍ ହୋଇଯାଇଛି। ଏଭଳି ସ୍ଥିତିରେ ଚଳିତ ବର୍ଷ କିଛି ବଡ଼ କ୍ରୀଡ଼ା ଇଭେଣ୍ଟ ଆୟୋଜିତ ହେବାର ଅଛି। ଏପରିକି ଅକ୍ଟୋବର-ନଭେମ୍ବରରେ ଟି-୨୦ କ୍ରିକେଟ୍ ବିଶ୍ୱକପ୍ ଆୟୋଜିତ ହେବା ନେଇ ସ୍ଥିର ହୋଇଛି। କିନ୍ତୁ ଏହି ବିଶ୍ୱକପ୍ ଆୟୋଜିତ ହେବ କି ନାହିଁ, ତାକୁ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି।
କରୋନା ଭାଇରସ୍ କାରଣରୁ ଗୋଟିଏ ପଟେ ସମସ୍ତ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କିମ୍ବା ବାତିଲ କରାଯାଉଥିବା ବେଳେ ଅନ୍ୟପଟେ କ୍ରିକେଟ୍ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି। ଏହା ଉପରେ କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କେଭିନ୍ ରବର୍ଟ୍ସ କହିଛନ୍ତି, ଆଗାମୀ କିଛି ସପ୍ତାହ କିମ୍ବା ମାସେ ଭିତରେ ସବୁ ଖେଳ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବା ନେଇ ଆମେ ଆଶାୟୀ ଅଛୁ। ଆମେ କେହିବି ଏଭଳି ପରିସ୍ଥିତି (କରୋନା) ପାଇଁ ପ୍ରସ୍ତୁତ ନଥିଲୁ ଏବଂ କେହିବି ଜାଣିନଥିଲେ ଯେ ଏଭଳି ପରିସ୍ଥିତିରେ କ'ଣ କରିବାକୁ ପଡ଼ିବ। ଆମେ ଆଶା କରୁଛୁ ଯେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଆଶା ମୁତାବକ ନିର୍ଦ୍ଧାରିତ ସମୟରେ ହେବ ଏବଂ ନଭେମ୍ବର ୧୫ ତାରିଖରେ ହେବାକୁଥିବା ଫାଇନାଲରେ ପୂରା ଷ୍ଟାଡିୟମ ହାଉସଫୁଲ୍ ହେବ।
ଟି-୨୦ ବିଶ୍ୱକପର ଆୟୋଜନ ଅକ୍ଟୋବର ୨୪ରୁ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଅକ୍ଟୋବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ କ୍ୱାଲିଫାୟର ମୁକାବିଲା ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ନଭେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ। କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ ରବର୍ଟ୍ସ ପ୍ରସ୍ତାବ ଦେଇଛନ୍ତି ଯେ ସାମୁଦାୟିକ କ୍ରିକେଟ୍ ଉପରେ ମଧ୍ୟ ରୋକ୍ ଲଗାଯିବା ଦରକାର। ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁଥିରୁ ୫ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଭାଇରସ୍ ବିଶ୍ୱର ୧୫୦ରୁ ଅଧିକ ଦେଶରେ କାୟା ମେଲାଇଛି। ଏହି ଭାଇରସରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧ଲକ୍ଷ ୮୦ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ସେଥିରୁ ୭ହଜାରରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି।
ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ବ୍ୟତୀତ ଅଲିମ୍ପିକ୍ସ, ୟୁରୋ କପ୍ ଏବଂ କୋପା ଆମେରିକା ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଯଦି ଏହି ଭାଇରସ୍ ଆଗାମୀ ମାସେ କିମ୍ବା ଦୁଇମାସ ଭିତରେ ନିୟନ୍ତ୍ରଣକୁ ନଆସେ, ତାହେଲେ ଏହି ବଡ଼ ଟୁର୍ଣ୍ଣାମେଣ୍ଟ ନିଶ୍ଚିତ ପ୍ରଭାବିତ ହେବ। କରୋନା କାରଣରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଛି। କେବଳ ଆଇପିଏଲ୍ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ସବୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏବଂ ଦ୍ୱିପାକ୍ଷିକ ସିରିଜକୁ ବାତିଲ୍ କରାଯାଇଛି।
ଗତ ସପ୍ତାହରେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦିନିକିଆ ସିରିଜକୁ ବାତିଲ୍ କରିଥିବା ବେଳେ ଭାରତ ଓ ଦକ୍ଷିଣ ଆଫ୍ରିକା ସୀମିତ ଓଭର ସିରିଜ୍ ମଧ୍ୟ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି। ଏପରିକି ଶ୍ରୀଲଙ୍କା ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ୍ ଟିମ୍ ଅଧାରୁ ସ୍ୱଦେଶ ଫେରିଆସିବାକୁ ନିଷ୍ପତ୍ତି ନେଇଛି। ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ୱିକେଟକିପର ମାର୍କ ବାଉଚର ସମସ୍ତଙ୍କୁ ଦୁଇ ସପ୍ତାହ ପାଇଁ ସେଲ୍ ଫୋନ୍ ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
