Advertisment

କାହିଁକି ପାକିସ୍ତାନ ଦଳର କୋଚ୍ ପଦ ଛାଡ଼ିଲେ ଗ୍ୟାରୀ କିର୍ଷ୍ଟନ୍?

ପାକିସ୍ତାନ କ୍ରିକେଟ ଦଳରେ ନୂଆ ଅଧିନାୟକ ନିଯୁକ୍ତ ହେବା ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି ଗ୍ୟାରୀ କିର୍ଷ୍ଟନ୍। ପିସିବି ସହ ବାରମ୍ବାର ଅସହମତି ପ୍ରକାଶ ପାଇବାରୁ କିର୍ଷ୍ଟନ ଇସ୍ତଫା ଦେଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Gary Kirsten

Gary Kirsten

Advertisment

ପାକିସ୍ତାନ କ୍ରିକେଟରେ ପ୍ରତିଦିନ କିଛି ନା କିଛି ନୂଆ ଡ୍ରାମା ଦେଖିବାକୁ ମିଳୁଛି। ବୋର୍ଡ ଗତକାଲି ସୀମିତ ଓଭର କ୍ରିକେଟରେ ମହମ୍ମଦ ରିଜୱାନଙ୍କୁ ନୂଆ ଅଧିନାୟକ ଭାବେ ଘୋଷଣା କରୁ କରୁ ଆଜି ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି ଗ୍ୟାରୀ କିର୍ଷ୍ଟନ୍। ପାକିସ୍ତାନର ସୀମିତ ଓଭର କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ତାଙ୍କର ଚୁକ୍ତି ୨ ବର୍ଷର ଥିଲା, ହେଲେ ମାତ୍ର ୬ ମାସରେ ପିସିବି ସହ ସବୁ ସମ୍ପର୍କ ଶେଷ କରିଛନ୍ତି ଏହି ଦକ୍ଷିଣ ଆଫ୍ରିକୀୟ କ୍ରିକେଟ କିମ୍ବଦନ୍ତୀ।

Advertisment

କାହିଁକି ଇସ୍ତଫା ଦେଲେ ଗ୍ୟାରୀ କିର୍ଷ୍ଟନ୍
ରିପୋର୍ଟ ଅନୁଯାୟୀ, ଗ୍ୟାରୀ କିର୍ଷ୍ଟନ୍ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟରେ ବିଭିନ୍ନ ନିଷ୍ପତ୍ତିରେ ବାରମ୍ବାର ଅସହମତି ପ୍ରକାଶ ପାଇଥିଲା। ଏପରିକି ଅଷ୍ଟ୍ରେଲିଆ ଓ ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ସୋମବାର ଘୋଷଣା କରାଯାଇଥିବା ଦଳରେ ମଧ୍ୟ ତାଙ୍କର ପରାମର୍ଶ ଗ୍ରହଣ କରାଯାଇନାହିଁ। ଏତିକି ନୁହେଁ, ଯେତେବେଳେ ମହମ୍ମଦ ରିଜୱାନଙ୍କୁ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଗଲା, ସେତେବେଳେ ମଧ୍ୟ କିର୍ଷ୍ଟନ ପାକିସ୍ତାନରେ ନଥିଲେ। ଏହିସବୁ କାରଣରୁ କିର୍ଷ୍ଟନ୍ ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ଏହି ଦକ୍ଷିଣ ଆଫ୍ରିକୀୟ କ୍ରିକେଟ ପ୍ରଶିକ୍ଷକ ନିଜେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Advertisment

 

ନୂଆ କୋଚ୍ ନିଯୁକ୍ତ କଲା ପିସିବି
ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏହାର ଅଫିସିଆଲ୍ ସୋଶାଲ୍ ମିଡିଆ ଆକାଉଣ୍ଟ୍ 'ଏକ୍ସ'ରେ ଲେଖିଛି ଯେ ଗ୍ୟାରୀ କିର୍ଷ୍ଟନ୍ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି, ଯାହା ଗ୍ରହଣ କରାଯାଇଛି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ଗସ୍ତ ପାଇଁ ନୂଆ କୋଚ୍ ମଧ୍ୟ ଘୋଷଣା କରିଛି ବୋର୍ଡ। ପିସିବି ଲେଖିଛି, 'ଜାସନ୍ ଗିଲ୍ସପି ଆସନ୍ତା ମାସରେ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ପାକିସ୍ତାନ ପୁରୁଷ କ୍ରିକେଟ୍ ଦଳର କୋଚ୍ ହେବେ।'

କିର୍ଷ୍ଟନଙ୍କ ପ୍ରଶିକ୍ଷଣରେ ପାକିସ୍ତାନର ପ୍ରଦର୍ଶନ
ଆଇପିଏଲ୍ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟାନ୍ସଠାରୁ ପୃଥକ ହେବା ପରେ ଗ୍ୟାରୀ କିର୍ଷ୍ଟନଙ୍କୁ ଏପ୍ରିଲ ୨୮, ୨୦୨୪ରେ ଦୁଇ ବର୍ଷ ପାଇଁ ପାକିସ୍ତାନ କ୍ରିକେଟ୍ ଦଳର ସୀମିତ ଓଭର ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଥିଲା ପିସିବି। କିର୍ଷ୍ଟନ୍ କୋଚ୍ ହେବା ପରେ ପରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୨-୧ରେ ଟି୨୦ ସିରିଜ୍ ଜିତିଥିଲା ପାକିସ୍ତାନ। ଏହାପରେ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜକୁ ୦-୨ରେ ହାରିବା ସହ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଆୟୋଜିତ ଟି୨୦ ବିଶ୍ୱକପରେ ସୁପର-୮କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା ଦଳ। ପାକିସ୍ତାନର ଏଭଳି ପ୍ରଦର୍ଶନ ପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା କିର୍ଷ୍ଟନଙ୍କୁ ମଧ୍ୟ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

Pakistan Cricket PCB Gary Kirsten Mohammad Rizwan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe