Hockey
ଓଡ଼ିଶାରେ ଚାଲିଥିବା ହକି ବିଶ୍ୱକପର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିଛନ୍ତି ଦର୍ଶକ। ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ କ୍ୱାର୍ଟର ଫାଇନାଲ ବେଶ ଚିତ୍ତାକର୍ଷକ ରହିଥିଲା। ଏକଦା ଇଂଲଣ୍ଡ ମ୍ୟାଚ୍ ଜିତି ସେମିକୁ ଯିବା ଏକପ୍ରକାରର ନିଶ୍ଚିତ ହୋଇ ସାରିଥିବା ବେଳେ ଜର୍ମାନୀ ମାତ୍ର ୨ ମିନିଟରେ ଖେଳର ମୋଡ଼ ବଦଳାଇବାକୁ ସକ୍ଷମ ହୋଇଛି। ଜର୍ମାନୀ କେବଳ କମବ୍ୟାକ୍ କରିନି, ବରଂ ଇଂଲଣ୍ଡକୁ ଶୁଟଆଉଟରେ ହରାଇ ତୃତୀୟ ଦଳ ଭାବେ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିଛି। ଏବେ ଦଳ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ।
ନିର୍ଦ୍ଧାରିତ ସମୟରେ ଦୁଇ ଦଳ ପରସ୍ପରକୁ ୨ଟି ଲେଖାଏ ଗୋଲ ଦେଇଥିଲେ। ଫଳରେ ମ୍ୟାଚ୍ର ନିଷ୍ପତ୍ତି ପାଇଁ ଶୁଟ ଆଉଟର ସହାୟତା ନିଆଯାଇଥିଲା। ଶୁଟଆଉଟକୁ ଜର୍ମାନୀ ୪-୩ରେ ଜିତି ସେମି ଟିକେଟ ହାତେଇଛି। ପୂରା ମ୍ୟାଚ୍ରେ ଇଂଲଣ୍ଡର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚ୍ ସରିବାକୁ ଆଉ ୩ ମିନିଟ୍ରୁ କମ ସମୟ ବାକିଥିବା ବେଳେ ଇଂଲଣ୍ତ ୨-୦ରେ ଲିଡ୍ କରୁଥିଲା। ତେଣୁ ଲାଗୁଥିଲା ଇଂଲଣ୍ଡ ହିଁ ସେମିକୁ ଯିବ। ହେଲେ କମବ୍ୟାକ୍ରେ ମାହିର ଜର୍ମାନୀ ଠିକଣା ସମୟରେ କାଉଣ୍ଟର ଆଟାକ କରିବା ସହ ଫାଇନାଲ ହୁଟର ପୂର୍ବରୁ ୨ଟି ଗୋଲ ଦେଇ ସମସ୍ତଙ୍କୁ ଜଳକା କରି ଦେଇଥିଲା। ଏହାପରେ ଶୁଟଆଉଟରେ ଇଂଲଣ୍ଡକୁ ମାତ ଦେବାକୁ ବି ସକ୍ଷମ ହୋଇଥିଲା।
ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ଇଂଲଣ୍ଡ ଟପ୍ ୪ରେ ପ୍ରବେଶ କରିବାକୁ ସକ୍ଷମ ହୋଇନି। ସେହିପରି ଜର୍ମାନୀ ଏଯାଏ ୨ଥର ବିଶ୍ୱକପ ଜିତିଥିବା ବେଳେ ତୃତୀୟ ଥର ଟ୍ରଫି କବଜା କରିବାକୁ ଲକ୍ଷ୍ୟ ରଖିଛି।
ଆଜିର ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ଇଂଲଣ୍ଡ ପାଇଁ ୧୨ତମ ମିନିଟରେ ଜାଚ୍ ୱାଲ୍ଲାସେ ଗୋଲ ସ୍କୋର କରିଥିଲେ। ସେହିପରି ହାଫଟାଇମ ସୁଦ୍ଧା ଇଂଲଣ୍ଡ ୧-୦ରେ ଆଗରେ ରହିଥିଲା। ହାଫଟାଇମ ପରେ ଲିଆମ ଆନସେଲ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ପାଇଁ ପିସିରୁ ୪ର୍ଥ ଗୋଲ ଦେଇଥିଲେ। ଏଥିସହ ଇଂଲଣ୍ଡ ୨-୦ରେ ଅଗ୍ରଣୀ ରହିଥିଲା।
ଏହାର ୪ ମିନିଟ ପରେ ଜର୍ମାନୀକୁ ପିସି ମିଳିଥିଲା। କିନ୍ତୁ ଖ୍ରୀଷ୍ଟଫର ରୁହର ଏହାର ଫାଇଦା ଉଠାଇ ପାରି ନଥିଲେ। ମ୍ୟାଚ୍ର ୫୮ତମ ମିନିଟ ଯାଏ ଇଂଲଣ୍ଡ ୨-୦ରେ ଲିଡ୍ କରୁଥିଲା। ତେବେ ୫୯ତମ ମିନିଟରେ ମ୍ୟାଟ ଗ୍ରାମବୁଚ୍ ଗୋଲ ଦେଇ ଜର୍ମାନୀକୁ କମବ୍ୟାକ କରାଇଥିଲେ। ମ୍ୟାଚ୍ ସରିବାକୁ ଆଉ ଗୋଟିଏ ମିନଟରୁ କମ ସମୟ ଥିବା ବେଳେ ଜର୍ମାନୀକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ଏହାକୁ ଗ୍ରାମବୁଚ ଗୋଲରେ ପରିଣତ କରି ସ୍ଥିତିକୁ ୨-୨ କରିଦେଇଥିଲେ। ଫାଇନାଲ ହୁଟରକୁ ୩୮ ସେକେଣ୍ଡ ବାକି ଥିବା ବେଳେ ଜର୍ମାନୀକୁ ପୁଣି ପିସି ମିଳିଥିଲା। ହେଲେ ଏହାକୁ ଇଂଲଣ୍ଡ ଗୋଲ କପିର ଅଟକାଇ ଦେଇଥିଲେ। ଫଳରେ ମ୍ୟାଚ୍ ଶୁଟଆଉଟକୁ ଯାଇଥିଲା।
ଶୁଟ ଆଉଟରେ ଇଂଲଣ୍ଡ ଓ ଜର୍ମାନୀ ନିଜ ନିଜର ପ୍ରଥମ ଶଟରେ ସଫଳତା ପାଇଥିଲେ। ଦ୍ୱିତୀୟ ଶଟ୍ରେ ମଧ୍ୟ ଉଭୟ ଦଳକୁ ଗୋଲ ମିଳିଥିଲା। ତେବେ ତୃତୀୟ ଶଟ୍କୁ ଇଂଲଣ୍ତ ମିସ୍ କରିଥିବା ବେଳେ ଜର୍ମାନୀ ଗୋଲ ସ୍କୋର କରି ସ୍ଥିତି ୩-୨ କରି ଦେଇଥିଲା। ୪ର୍ଥ ଶଟରେ ଉଭୟ ଦଳ ସ୍କୋର କରିବାରୁ ଜର୍ମାନୀ ୪-୩ରେ ଲିଡ୍ କରିଥିଲା। ୫ମ ଶଟ ବେଶ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଇଂଲଣ୍ଡର ଲିଆମ ଆନସେଲ ଏହାକୁ ମିସ୍ କରି ଯାଇଥିଲେ। ଫଳରେ ଜର୍ମାନୀ ୪-୩ରେ ଶୁଟ ଆଉଟ ସହ ମ୍ୟାଚ୍କୁ ଜିତି ନେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Hockey__1674657622.jpg)