Squash
ଏସିଆନ ଗେମ୍ସ ସ୍କ୍ୱାଶରୁ ଭାରତକୁ ମିଳିଛି ଖରାପ ଖବର। ଦେଶର ଭେଟରାନ ସ୍କ୍ୱାଶ ଖେଳାଳି ସୌରଭ ଘୋଷାଲ ଆଜି ସ୍ୱର୍ଣ୍ଣ ଲଢ଼େଇରେ ସମସ୍ତଙ୍କୁ ନିରାଶ କରିଛନ୍ତି। ତାଙ୍କ ଠାରୁ ଦେଶ ସ୍ୱର୍ଣ୍ଣ ଅପେକ୍ଷାରେ ଥିବା ବେଳେ ସେ ଫାଇନାଲ ମ୍ୟାଚରେ ହାରି ଯାଇଛନ୍ତି। ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଏସିଆନ ଗେମ୍ସର ସ୍କ୍ୱାଶର ପୁରୁଷ ଏକକ ବର୍ଗରେ ସୌରଭଙ୍କୁ ହରାଇ ମାଲେସିୟାର ଇଆନ ୟୋୱ ଏନଜି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ସୌରଭ ଏହା ପୂର୍ବରୁ ପୁରୁଷ ସ୍କ୍ୱାଶର ଟିମ ଇଭେଣ୍ଟରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଭାରତ ଫାଇନାଲରେ ପାକିସ୍ତାନକୁ ହରାଇଥିଲା। ସୌରଭ ଉକ୍ତ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲେ। ତେଣୁ ଆଜି ପୁରୁଷ ଏକକ ବର୍ଗରେ ମଧ୍ୟ ସେ ସ୍ୱର୍ଣ୍ଣ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ।
ଫାଇନାଲ ମ୍ୟାଚ୍ର ପ୍ରଥମ ସେଟ୍ରେ ସୌରଭ ମାଲେସିୟାର ଇଆନକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଏଥିସହ ପ୍ରଥମ ସେଟକୁ ୧୧-୯ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍ରେ ମଧ୍ୟ ସୌରଭ ଯଥେଷ୍ଟ ଆଗରେ ଥିଲେ। କିନ୍ତୁ ଇଆନ ଜବରଦସ୍ତ କମବ୍ୟାକ କରିଥିଲେ।
ସେ ଦ୍ୱିତୀୟ ସେଟକୁ ୧୧-୯ରେ ଜିତି ସ୍ଥିତି ବରାବର କରି ଦେଇଥିଲେ। ପରବର୍ତ୍ତୀ ସେଟ୍ଗୁଡ଼ିକରେ ଇଆନ ଆଉ ସୌରଭଙ୍କୁ ଆଉ କୌଣସି ସୁଯୋଗ ଦେଇ ନଥିଲେ। ତୃତୀୟ ସେଟକୁ ସେ ୧୧-୫ ଓ ୪ର୍ଥ ସେଟ୍କୁ ୧୧-୭ରେ ଜିତି ସୌରଭଙ୍କ ସ୍ୱର୍ଣ୍ଣ ଜିତିବା ଆଶରେ ପାଣି ପକାଇ ଦେଇଥିଲେ। ଫାଇନାଲରେ ହାରି ସୌରଭ ରୌପ୍ୟ ପଦକ ଜିତିଛନ୍ତି। ଏଥିସହ ଚଳିତ ଏସିଆ ଗେମ୍ସରେ ଭାରତର ପଦକ ସଂଖ୍ୟା ୮୫ରେ ପହଞ୍ଚିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୩୭ ବର୍ଷୀୟ ସୌରଭ ୨୦୦୬ରୁ ପ୍ରତି ଏସିଆନ ଗେମ୍ସରେ ପଦକ ଜିତିବାର ରେକର୍ଡ କାଏମ ରଖିଛନ୍ତି। ଏକକ ବର୍ଗ ବ୍ୟତୀତ ସେ ଭାରତ ପାଇଁ ଟିମ ଇଭେଣ୍ଟରେ ମଧ୍ୟ ୪ଟି ପଦକ ଜିତିଛନ୍ତି। ୨୦୦୬ ଦୋହାରେ ସେ ବ୍ରୋଞ୍ଜ ଜିତିଥିବା ବେଳେ ୨୦୧୦ରେ ବ୍ରୋଞ୍ଜ, ୨୦୧୪ରେ ରୌପ୍ୟ, ୨୦୧୮ରେ ବ୍ରୋଞ୍ଜ ଓ ୨୦୨୨ ଏସିଆନ ଗେମ୍ସରେ ସେ ରୌପ୍ୟ ପଦକ ଜିତିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Squash_1696504389.jpg)