Advertisment

୨୦୦୫ରେ ଭାଙ୍ଗିଥିଲା ହୃଦୟ, ୨୦୨୩ରେ ମିଳିଲା ବିଶ୍ୱକପ

୨୦୦୫ ବିଶ୍ୱକପରେ ମିତାଲି ରାଜଙ୍କ ଟିମ ଇଣ୍ଡିଆ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇ ବିଶ୍ୱକପ ଫାଇନାଲରେ ପହଞ୍ଚି ଯାଇଥିଲା। କିନ୍ତୁ ଦଳକୁ ଅଷ୍ଟ୍ରେଲିଆ ଠାରୁ ହାରିବାକୁ ପଡ଼ିଥିଲା।

women cricketers

women cricketers

Advertisment

ଯେଉଁ ଦକ୍ଷିଣ ଆଫ୍ରିକାରେ ଦୀର୍ଘ ୧୮ ବର୍ଷ ତଳେ ହୃଦୟ ଭାଙ୍ଗିଥିଲା, ସେହି ସ୍ଥାନରେ ଭାରତୀୟ ମହିଳା ଦଳ ସୃଷ୍ଟି କରିଛି ରେକର୍ଡ। ଭାରତର ଜୁନିୟର ମହିଳା ଦଳ ଦକ୍ଷିଣ ଆଫ୍ରିକାରେ ଜିତିଛି ବିଶ୍ୱକପ। ଇଂଲଣ୍ଡକୁ ହରାଇ ପ୍ରଥମଥର ପାଇଁ ଖେଳା ଯାଉଥିବା ଅଣ୍ଡର ୧୯ ଟି-୨୦ ମହିଳା ବିଶ୍ୱକପ ଜିତିଛି ଶେଫାଳୀ ବର୍ମାଙ୍କ ଟିମ ଇଣ୍ଡିଆ। ଏଥିସହ ଜୁନିୟର ଟିମ୍‌ ନୂଆ ଇତିହାସ ମଧ୍ୟ ସୃଷ୍ଟି କରିଛି।

Advertisment

ତେବେ ୨୦୦୫ରେ ଏହି ସ୍ଥାନରେ ଭାରତୀୟ ମହିଳା ଦଳର ହୃଦୟ ଭାଙ୍ଗିଥିଲା। ୨୦୦୫ ବିଶ୍ୱକପ କଥା ଥରେ ମନେ ପକାନ୍ତୁ। ମିତାଲି ରାଜଙ୍କ ଟିମ ଇଣ୍ଡିଆ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇ ବିଶ୍ୱକପ ଫାଇନାଲରେ ପହଞ୍ଚି ଯାଇଥିଲା। ଟ୍ରଫି ଓ ଭାରତୀୟ ମହିଳା ଦଳ ମଧ୍ୟରେ ଅଷ୍ଟ୍ରେଲିଆ ରହିଥିଲା। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଆସୋସିଏସନ ଖେଳାଳିଙ୍କୁ ସବୁ ପ୍ରକାରର ସମର୍ଥନ କରିଥିଲା। ଖେଳାଳିଙ୍କ ଉପଯୁକ୍ତ ଟ୍ରେନିଂ ପାଇଁ ମହୀଶୂରରେ ବ୍ୟବସ୍ଥା କରିଥିଲା। ପୂର୍ବତନ କ୍ରିକେଟର ସୁଧା ଶାହ ମାତ୍ର କିଛି ମାସ ଭିତରେ ଦଳର କୋଚିଂ ଦାୟିତ୍ୱ ନେଇଥିଲେ। ଏଥିସହ ଖେଳାଳିମାନେ ମଧ୍ୟ ବିଶ୍ୱକପ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ।

ଭାରତୀୟ ମହିଳା ଦଳ ଗ୍ରୁପ ପର୍ଯ୍ୟାୟରେ କେବଳ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲେ ମଧ୍ୟ ସେମିରେ ନିଜର ସ୍ଥାନ ପକ୍କା କରିଥିଲା। ସେମିରେ ପୁଣି ମିତାଲି ରାଜଙ୍କ ଆଗରେ କ୍ୱିୱି ଟିମ୍‌ କଣ୍ଟା ସାଜିଥିଲା। ତେବେ ମିତାଲି ରାଜ କ୍ୟାପ୍ଟେନ ଇନିଂସ ଖେଳି ଅପରାଜିତ ୯୧ ରନ କରିଥିଲେ। ଏହି ଇନିଂସ ବଳରେ ଭାରତ ୬ ୱିକେଟ ହରାଇ ୨୦୪ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୧୬୪ ରନରେ ଅଲଆଉଟ ହୋଇଯାଇଥିଲା। ଏହି ବିଜୟ ସହ ଭାରତୀୟ ମହିଳା ଦଳ ପ୍ରଥମଥର ପାଇଁ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା।

Advertisment

ହେଲେ ଦଳ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା। ମିତାଲି ରାଙ୍କ ଟିମ ଭଙ୍ଗା ହୃଦୟ ସହ ଦକ୍ଷିଣ ଆଫ୍ରିକାରୁ ଫେରିଥିଲା। ସେବଠାରୁ ଭାରତୀୟ ମହିଳା ଦଳ ୨୦୧୭ ଦିନିକିଆ ବିଶ୍ୱକପ ଓ ୨୦୨୨ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଉଭୟ ଫାଇନାଲରେ ଦଳକୁ ହାରିବାକୁ ହିଁ ପଡ଼ିଥିଲା। ୨୦୦୫ ମସିହା ଠାରୁ ଭାରତୀୟ ମହିଳା ଦଳ ବିଶ୍ୱକପ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଥିଲା। ଦୀର୍ଘ ୧୮ ବର୍ଷ ପରେ ବିଶ୍ୱକପ ମରୁଡ଼ିରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ମହିଳା ଦଳ ସକ୍ଷମ ହୋଇଛନ୍ତି। 

ଶେଫାଳୀ ବର୍ମାଙ୍କ ଜୁନିୟର ମହିଳା ଦଳ ଦକ୍ଷିଣ ଆଫ୍ରିକାରେ ଜିତିଛି ବିଶ୍ୱକପ। ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସୁପର ୬ରେ ପହଞ୍ଚିଥିବା ଭାରତୀୟ ମହିଳା ଦଳ କେବଳ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ଏହାପରେ ଦଳ ଆଉ ପଛକୁ ଫେରି ଚାହିଁ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୮ ବର୍ଷ ପରେ ଭାରତ ସେମିରେ ପୁଣି ନ୍ୟୁଜିଲ୍ୟାଣ୍ଡକୁ ଭେଟିଥିଲା। ଏହି ମ୍ୟାଚରେ ପାର୍ଶବୀ ଚୋପ୍ରାଙ୍କ ୩ ୱିକେଟ ଓ ଶ୍ୱେତା ଶେରାୱତଙ୍କ ଅପରାଜିତ ୬୧ ରନ ବଳରେ ଭାରତ ବିଜୟୀ ହେବା ସହ ଫାଇନାଲ ଟିକେଟ ହାତେଇଥିଲା।

ଭାରତ ଜିତିବା ପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଫାଇନାଲ ଟିକେଟ ପାଇଁ ଲଢ଼େଇ କରିଥିଲେ। ଉକ୍ତ ମ୍ୟାଚ୍‌ରେ ଇଂଲଣ୍ଡ ମାତ୍ର ୩ ରନରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡର ବ୍ୟାଟରମାନେ ନିରାଶ କରିଥିଲେ। ତିତାସ ସାନ୍ଧୁ, ପାର୍ଶବୀ ଓ ଅର୍ଚ୍ଚନା ଦେବୀଙ୍କ ଘାତକ ବୋଲିଂ ଯୋଗୁ ଦଳ ମାତ୍ର ୬୮ ରନ କରିବାକୁ ସକ୍ଷମ ହୋଇଥିଲା। ୬୯ ରନର ଟାର୍ଗେଟକୁ ଭାରତୀୟ ମହିଳା ଦଳ ୩ ୱିକେଟ ହରାଇ ହାସଲ କରି ନେଇଛି। ଏଥିସହ ପ୍ରଥମଥର ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଖେଳା ଯାଉଥିବା ବେଳେ ଭାରତ ଚାମ୍ପିୟନ ହେବାର ରେକର୍ଡ କରିଥିଲା।

୨୦୦୫ ଫାଇନାଲ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ପାଇଁ ଖେଳିଥିବା ନୋଶିନ ଅଲ ଖାଦୀରଙ୍କ ପାଇଁ ଏହି ବିଶ୍ୱକପ ବେଶ ସ୍ୱତନ୍ତ୍ର। କାରଣ ବର୍ତ୍ତମାନ ସେ ଅଣ୍ଡର-୧୯ ଟିମ୍‌ର କୋଚ୍‌ ଅଛନ୍ତି। ସେ ଖେଳିବା ବେଳେ ହୁଏତ ଟ୍ରଫି ଜିତି ପାରି ନଥିଲେ। କିନ୍ତୁ ତାଙ୍କ କୋଚିଂରେ ଭାରତ ବିଶ୍ୱକପ ଜିତିବାକୁ ସକ୍ଷମ ହୋଇଛି।

ଗୋଟିଏ ପଟେ ମହିଳା କ୍ରିକେଟକୁ ଅଧିକ ସଶକ୍ତ କରିବାକୁ ବିସିସିଆଇ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ଦେଶକୁ ମହିଳାମାନେ ଟ୍ରଫି ଦେଇଛନ୍ତି।

Bcci ICC Women Cricketers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe