Advertisment

ହକି ହିରୋଙ୍କୁ ରାଜଧାନୀରେ ରାଜକୀୟ ସମ୍ବର୍ଦ୍ଧନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ଓ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ମହିଳା ଟିମକୁ ଆଜି ରାଜଧାନୀ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ସରକାର ପକ୍ଷରୁ ଉଭୟ ମହିଳା ଓ ପୁରୁଷ ହକି ଟିମକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଙ୍ଗଳବାର ଅପରାହ୍ଣରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭୟ ଦଳକୁ ସମ୍ବର୍ଦ୍ଧନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଭୟ ମହିଳା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ହକି ହିରୋଙ୍କୁ ରାଜଧାନୀରେ ରାଜକୀୟ ସମ୍ବର୍ଦ୍ଧନା

cm-naveen

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ଓ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ମହିଳା ଟିମକୁ ଆଜି ରାଜଧାନୀ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ସରକାର ପକ୍ଷରୁ ଉଭୟ ମହିଳା ଓ ପୁରୁଷ ହକି ଟିମକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଙ୍ଗଳବାର ଅପରାହ୍ଣରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭୟ ଦଳକୁ ସମ୍ବର୍ଦ୍ଧନା କରିଛନ୍ତି।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଭୟ ମହିଳା ଓ ପୁରୁଷ ଦଳର ୧୩ ଜଣଙ୍କୁ ପୁରସ୍କୃତ କରିଥିଲେ। ପୁରୁଷ ଦଳର ହରମନପ୍ରୀତ ସିଂହ ଅଲିମ୍ପିକ୍ସରେ ସର୍ବାଧିକ ଗୋଲ ସ୍କୋରର ଭାବେ ପୁରସ୍କୃତ ହୋଇଥିଲେ। ପିଆର୍ ଶ୍ରୀଜେଶ ଗୋଲ ରକ୍ଷଣ ପାଇଁ ଶ୍ରେଷ୍ଠ ଗୋଲକିପର, ସର୍ବାଧିକ ଗୋଲ୍ ଆସିଷ୍ଟ ପାଇଁ ନୀଳକାନ୍ତ ଶର୍ମା, ସର୍ବାଧିକ ଡିଫେନ୍ସିଭ୍ ଟାକଲ ପାଇଁ ରୂପିନ୍ଦର ପାଲ୍ ସିଂହ ଏବଂ ଶ୍ରେଷ୍ଠ ମିଡଫିଲ୍ଡର ଭାବେ ଅମିତ୍ ରୋହିଦାସଙ୍କୁ ପୁରସ୍କୃତ କରାଯାଇଛି।

ସେହିପରି ମହିଳା ଟିମ୍ ପାଇଁ ସର୍ବାଧିକ ଗୋଲ୍ କରିଥିବା ବନ୍ଦନା କଟାରିୟା ଓ ଗୁରଜିତ୍ କୌରଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସର୍ବାଧିକ ଗୋଲ୍ ରକ୍ଷଣ ପାଇଁ ଶ୍ରେଷ୍ଠ ଗୋଲକିପର ଭାବେ ସବିତା ପୁନିଆ, ସର୍ବାଧିକ ଗୋଲ୍ ଆସିଷ୍ଟ ପାଇଁ କ୍ୟାପଟେନ୍ ରାନୀ ରାମପଲ୍ ଓ ନଭଦୀପ କୌର, ଡିଫେନ୍ସିଭ୍ ଟାକଲ୍ ପାଇଁ ଦୀପଗ୍ରେସ ଏକ୍କା ଏବଂ ସର୍ବାଧିକ ଇଣ୍ଟରସେପ୍ସନ୍ ପାଇଁ ପି. ସୁଶୀଲା ଚାନୁଙ୍କୁ ପୁରସ୍କୃତ କରାଯାଇଛି। ଏ ସମସ୍ତ ଖେଳାଳିଙ୍କୁ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ସେହିପରି ରାଜ୍ୟ ସରକାର ଉଭୟ ମହିଳା ଓ ପୁରୁଷ ଦଳର ପ୍ରତିଟି ଖେଳାଳିଙ୍କୁ ୧୦ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

Advertisment

ଏହି ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏହାଛଡ଼ା ଟୋକିଓ ଅଲିମ୍ପିକ୍ସରେ ଏଫଆଇଏଚ୍ ମେଡିକାଲ୍ ଅଫିସର ଭାବେ କାମ କରିଥିବା ବିଭୁକଲ୍ୟାଣ ନାୟକଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମଧ୍ୟ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ, ହକି ଇଣ୍ଡିଆର ଜେନେରାଲ୍ ସେକ୍ରେଟାରୀ ରାଜିନ୍ଦର ସିଂହ, ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ହକି ଇଣ୍ଡିଆକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସେହିପରି ହକି ଇଣ୍ଡିଆ ପ୍ରତି ନିସର୍ତ୍ତ ସମର୍ଥନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଆଇଓଏର ସଭାପତି ନରିନ୍ଦର ବାତ୍ରା।

ଏହା ପୂର୍ବରୁ ମଙ୍ଗଳବାର ସକାଳେ ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରେ ଖେଳାଳିଙ୍କ ଫଟୋସୁଟ୍ ହୋଇଥିଲା। ମଙ୍ଗଳବାର ସକାଳେ ଉଭୟ ଟିମର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ସ୍ୱତନ୍ତ୍ର ବସରେ ହୋଟେଲକୁ ନିଆଯାଇଥିଲା। ରାସ୍ତାରେ ମଧ୍ୟ ସେମାନଙ୍କୁ ଚିୟର୍-ଅପ୍ କରିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଖେଳାଳିଙ୍କ ରହିବା ଓ ଖାଇବା ଲାଗି ହୋଟେଲ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା। ଏଥିପାଇଁ ହୋଟେଲକୁ ସୁନ୍ଦର ସାଜସଜ୍ଜାରେ ସଜାଇ ଦିଆଯାଇଥିଲା। ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ଡିସ୍ ଦେବା ଲାଗି ବିଭିନ୍ନ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥିଲା। ଖେଳାଳିମାନେ ଏହାର ମଜା ମଧ୍ୟ ଉଠାଇଥିଲେ। ବ୍ରୋଞ୍ଜ୍ ବିଜେତା ପୁରୁଷ ଦଳରେ ଓଡ଼ିଶାର ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ରହିଥିବା ବେଳେ, ମହିଳା ଟିମରେ ଅଛନ୍ତି ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ।