Advertisment

୫ ମହାନଗରରେ ପାଳନ ହେବ ହକି ବିଶ୍ୱକପ ଉତ୍ସବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନ୍ତ୍ରୀ ପରିଷଦର ସଦସ୍ୟ ମାନଙ୍କୁ ବିଶ୍ୱକପ୍ ଆୟୋଜନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ। ଏହି ପ୍ରତିଯୋଗିତା ପାଇଁ ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିଅମ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲାବେଳେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମ […]

author-image
Ordigital Desk
୫ ମହାନଗରରେ ପାଳନ ହେବ ହକି ବିଶ୍ୱକପ ଉତ୍ସବ

Hockey Stadium

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନ୍ତ୍ରୀ ପରିଷଦର ସଦସ୍ୟ ମାନଙ୍କୁ ବିଶ୍ୱକପ୍ ଆୟୋଜନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ। ଏହି ପ୍ରତିଯୋଗିତା ପାଇଁ ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିଅମ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲାବେଳେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମ ନଭେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସେ ସୂଚନା ଦେଇଥିଲେ। ଉଭୟ ଷ୍ଟାଡିଅମରେ ଆଷ୍ଟ୍ରୋ ଟର୍ଫ ଓ ଫ୍ଲଡ୍ ଲାଇଟ୍ କାମ ଶେଷ ହୋଇଯାଇଛି । ଅଂଶଗ୍ରହଣକାରୀ ଦଳ ଓ ମ୍ୟାଚ ଅଫିସିଆଲ ମାନଙ୍କ ରହଣୀ ପାଇଁ ୨୨୫ଟି ରୁମ୍‌ ତିଆରି କାମ ଚାଲିଛି ଏବଂ ଏହା ମଧ୍ୟ ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ।

Advertisment

କଟକ ବାରବାଟୀ ଷ୍ଟାଡିଅମ ସମେତ ୫ଟି ମ୍ୟୁନିସିପାଲ କର୍ପୋରେସନରେ ହକି ବିଶ୍ୱକପ୍‌ ଉତ୍ସବ ପାଳନ କରାଯିବ। ଓଡ଼ିଶାର ଅଧିକାଂଶ ଜିଲ୍ଲା ସହିତ ସାରା ଦେଶରେ ଏହି ହକି ବିଶ୍ୱକପ୍ ଟ୍ରଫି ପ୍ରଦର୍ଶନ ଯାତ୍ରା କରାଯିବ। ଏହି ସମୟରେ ଜିଲ୍ଲାସ୍ତରରେ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିକାଶ ପାଇଁ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରାଯିବ। ସ୍କୁଲ, କଲେଜର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ଏବଂ ସମସ୍ତଙ୍କ ଭିତରେ ବିଶେଷକରି ପିଲାମାନଙ୍କ ଭିତରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ରାଉରକେଲା ଓ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣ କରାଯିବ। ସବୁ ବିଭାଗ ଏଥିପାଇଁ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ରାଉରକେଲା ବିମାନ ବନ୍ଦରରୁ ନିୟମିତ ବିମାନ ସେବା ଆରମ୍ଭ ହେବ । ତା’ସହିତ ଖେଳାଳି ଓ ମ୍ୟାଚ ଅଫିସିଆଲ ମାନଙ୍କ ଯାତାୟତ ପାଇଁ ଚାର୍ଟର୍ଡ ଫ୍ଲାଇଟ୍‌ର ବ୍ୟବସ୍ଥା କରାଯାଉଅଛି । ଏହି ଅବସରରେ ୧୦୦ଟି ନୂଆ ବସ୍‌ ସହିତ ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ ହେବ।

Advertisment

ଆୟୋଜକ କମିଟି ଓ ବିଭିନ୍ନ ସବ୍ କମିଟି ବିଶ୍ୱକପ୍ ହକିର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଏହାକୁ ସଂପୂର୍ଣ୍ଣ ଅଘଟଣମୁକ୍ତ କରିବା ପାଇଁ ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରାଯାଇଛି ବୋଲି ଶ୍ରୀ ମହାପାତ୍ର ମନ୍ତ୍ରୀ ପରିଷଦକୁ ଅବଗତ କରାଇଥିଲେ।

ସୂଚନାଯୋଗ୍ୟ, ପୁରୁଷ ବିଶ୍ୱ କପ୍‌ ହକି-୨୦୨୩  ଭୁବନେଶ୍ୱର ଓ ରାଉରକେଲା ଠାରେ ୧୩ ଜାନୁଆରୀରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ୧୬ଟି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ୱରରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ୍ ଖେଳାଯିବ।