/odisha-reporter/media/post_attachments/uploads/2023/01/Hockey-3.jpg)
Hockey
ଭୁବନେଶ୍ୱର: ଆଜିଠରୁ ଆରମ୍ଭ ହେବ ହକି ବିଶ୍ୱକପର ଅସଲ ଲଢ଼େଇ। ୧୧ ତାରିଖରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ ସମାରୋହକୁ କଟକର ବାରବାଟୀ ଷ୍ଟାଡିୟମରେ ଉଦଘାଟନ କରାଯାଇଥିଲା।
ହେଲେ ଆଜିଠାରୁ ଆରମ୍ଭ ହେବ ମୁଖ୍ୟ ଇଭେଣ୍ଟ। ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ର ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ। ଏଥିଲାଗି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସଂପୂର୍ଣ୍ଣ ପ୍ରସ୍ତୁତ।
ଫ୍ୟାନ୍ସ ମଧ୍ୟ ହକିର ମଜା ଉଠାଇବାକୁ ଅପେକ୍ଷା କରି ରହିଛନ୍ତି। ପ୍ରଥମ ଦିନ କଳିଙ୍ଗ ଷ୍ଟାଡିୟମରେ ୨ଟି ଓ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ୨ଟି ମ୍ୟାଚ୍ ଖେଳାଯିବ। ଭାରତ ସନ୍ଧ୍ୟା ୭ଟାରେ ସ୍ପେନ ବିପକ୍ଷରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ଟି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବ। ହଟଷ୍ଟାର ଓ ଷ୍ଟାରସ୍ପୋର୍ଟସରେ ମ୍ୟାଚ୍ର ସିଧାପ୍ରସାରଣ ହେବ।
ଏହାପୂର୍ବରୁ ଅପରାହ୍ଣ ୧ଟାରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ରୁ ବିଶ୍ୱକପ ବିଧିବଦ୍ଧ ଭାବେ ଆରମ୍ଭ ହେବ। ଏହି ମ୍ୟାଚ୍ଟି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଠାରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆର ଲଢ଼େଇ ଫ୍ରାନ୍ସ ସହ ହେବ। ଦିନ ୩ଟାରେ ଲୋକମାନେ ଏହି ମ୍ୟାଚ୍କୁ ଦେଖିପାରିବେ।
ଅପରାହ୍ଣ ୫ଟାରେ ରାଉରକେଲାରେ ନୂଆ କରି ତିଆରି ହୋଇଥିବା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ୱକପର ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ରେ ମୁହାଁମୁହିଁ ହେବେ ପୁଲ୍-ଡି’ରେ ଥିବା ଇଂଲଣ୍ଡ ଓ ୱେଲ୍ସ। ଏହାପରେ ଏହି ପୁଲ୍ରେ ଥିବା ଘରୋଇ ଦଳ ଭାରତ ସନ୍ଧ୍ୟା ୭ଟାରେ ସ୍ପେନ୍ ସହ ଲଢ଼ିବ। ହକି ବିଶ୍ୱକପର ପ୍ରଥମ ମ୍ୟାଚ୍ ଆୟୋଜନ କରିବା ଅପେକ୍ଷାରେ ଥିବା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସକାଳୁ ହିଁ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ମ୍ୟାଚ୍ ଖେଳିବାକୁ ଖେଳାଳି ପ୍ରସ୍ତୁତ ଥିବା ବେଳେ ଦର୍ଶକ ମଧ୍ୟ ଏହାର ମଜା ଉଠାଇବାକୁ ଅପେକ୍ଷା କରି ରହିଛନ୍ତି।
ଦୀର୍ଘ ୪୮ ବର୍ଷ ହେଲା ଟିମ ଇଣ୍ଡିଆ ହକି ବିଶ୍ୱକପରେ ମେଡାଲ ଜିତିନି। ଦଳ ୧୯୭୫ରେ ଶେଷଥର ପାଇଁ କ୍ୱାଲାଲମ୍ପପୁରରେ ଆୟୋଜିତ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା। ସେତେବେଳେ ଅଜିତ ପଲ ସିଂହ କ୍ୟାପ୍ଟେନ ଥିଲେ। ସେବେଠାରୁ ଆଜି ଯାଏ ଭାରତ କେବେ ହେଲେ ବିଶ୍ୱକପର ଟପ୍ ୩ ଦଳ ମଧ୍ୟରେ ରହିବାକୁ ସକ୍ଷମ ହୋଇନି। କିନ୍ତୁ ଚଳିତ ବିଶ୍ୱକପରେ ଭାରତର ଭାଗ୍ୟ ଓଡ଼ିଶାରେ ବଦଳିବ ବୋଲି ସମସ୍ତେ ଆଶା ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
