india-vs-japan
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ଜଲୱା ଜାରି ରହିଛି। କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତୀୟ ପୁରୁଷ ହକି ଟିମ୍ ପୁଲର ଶେଷ ମ୍ୟାଚରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଗୁରଜନ୍ତ ଦୁଇଟି (୧୭ଶ, ୫୬ତମ), ହରମନପ୍ରୀତ ସିଂହ (୧୩ଶ), ଶମଶେର୍ ସିଂହ (୩୪ତମ) ଓ ନୀଳକାନ୍ତ ଶର୍ମା (୫୧ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। କ୍ୱାର୍ଟର୍ ମୁକାବିଲା ପୂର୍ବରୁ ଏହି ବିଜୟ ଭାରତୀୟ ଟିମର ମନୋବଳ ବଢ଼ାଇବ। ପୁଲରେ ଭାରତ ୪ ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି। କ୍ୱାର୍ଟର୍ ଫାଇନାଲରେ ଅଗଷ୍ଟ ୧ ତାରିଖରୁ ଖେଳାଯିବ।
ଶୁକ୍ରବାର ଖେଳାଯାଇଥିବା ପୁଲର ଶେଷ ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରରେ ୧୩ଶ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ହରମନପ୍ରୀତ ଗୋଲରେ ପରିଣତ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ଚଳିତ ଅଲିମ୍ପିକ୍ସରେ ହରମନପ୍ରୀତଙ୍କ ଏହା ଚତୁର୍ଥ ଗୋଲ ଥିଲା। ପ୍ରଥମ କ୍ୱାର୍ଟର୍ ଭାରତ ନାଁରେ ରହିଥିବା ଦ୍ୱିତୀୟ କ୍ୱାର୍ଟରରେ ଜାପାନ କମବ୍ୟାକ୍ କରିଥିଲା। ୧୭ଶ ମିନିଟରେ ସିମରନଜିତଙ୍କ ଠାରୁ ପାସ୍ ପାଇ ଗୁରଜନ୍ତ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ। ତେବେ ୧୯ଶ ମିନିଟରେ କେଣ୍ଟା ଟନାକା ଜାପାନ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ। ଏଥିସହ ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ ଏବଂ ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ର ଅଗ୍ରଣୀ ହାସଲ କରିନେଇଥିଲା।
ତୃତୀୟ କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଜାପାନର କୋଟା ୱଟାନାବେ ୩୩ତମ ମିନିଟରେ ଗୋଲ୍ ଦେଇ ସ୍କୋରକୁ ୨-୨ର ବରାବର ସ୍ଥିତିକୁ ଆଣିଥିଲେ। କିନ୍ତୁ ତୁରନ୍ତ ବାଦ୍ ଭାରତ ପ୍ରତିଆକ୍ରମଣ କରି ଗୋଲ ଦେଇ ଦେଇ ପୁଣିଥରେ ମ୍ୟାଚରେ ଲିଡ୍ କାଏମ ରଖିଥିଲା। ୩୪ତମ ମିନିଟରେ ଶମଶେର୍ ସିଂହ ଏହି ଗୋଲଟି ଦେଇଥିଲେ। ଏଥିସହ ତୃତୀୟ କ୍ୱାର୍ଟର୍ ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା।
ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଭାରତ ଲଗାତର ଦୁଇଟି ଗୋଲ୍ ଦେଇ ଜାପାନକୁ ସମ୍ପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲା। ୫୧ତମ ମିନିଟରେ ନୀଳକାନ୍ତ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୪-୨ରେ ଆଗୁଆ କରାଇଥିଲା ବେଳେ ୫୬ତମ ମିନିଟରେ ଗୁରଜନ୍ତ ଆଉ ଏକ ଗୋଲ୍ ଦେଇ ସ୍କୋରକୁ ୫-୨ରେ ପହଞ୍ଚାଇଥିଲେ। ଫାଇନାଲ୍ ହୁଇସିଲ୍ ବାଜିବାର ଗୋଟିଏ ମିନିଟ୍ ପୂର୍ବରୁ ଜାପାନର କାଜୁମା ମୁରାତା ଗୋଟିଏ ଗୋଲ୍ ଦେଇଥିଲେ ହେଁ ସେତେବେଳକୁ ଯଥେଷ୍ଟ ବିଳମ୍ବ ହୋଇସାରିଥିଲା। ଏଥିସହ ଭାରତ ମ୍ୟାଚକୁ ୫-୩ ଗୋଲରେ ବିଜୟୀ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/india-vs-japan.jpg)