/odisha-reporter/media/post_attachments/uploads/2021/12/women-hockey.jpg)
women-hockey
ନୂଆଦିଲ୍ଲୀ: ଡ୍ରାଗ୍-ଫ୍ଲିକର୍ ଗୁରଜିତ୍ କୌରଙ୍କ ୫ ଗୋଲ୍ ବଳରେ ଭାରତ ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ତା’ର ପ୍ରଥମ ମ୍ୟାଚରେ ଥାଇଲ୍ୟାଣ୍ଡକୁ ୧୩-୦ ଗୋଲର ବିଶାଳ ବ୍ୟବଧାନରେ ହରାଇ ଅଭିଯାନ ଆରମ୍ଭ କରିଛି। ଦକ୍ଷିଣ କୋରିଆର ଡୋଙ୍ଗାଇରେ ଖେଳାଯାଉଥିବା ଏହି ମ୍ୟାଚରେ ଗୁରଜିତଙ୍କ ପାଞ୍ଚ (ଦ୍ୱିତୀୟ, ୧୪ଶ, ୨୪ତମ, ୨୫ତମ, ୫୮ତମ) ଗୋଲ୍ ବ୍ୟତୀତ ଲିଲିମା ମିଞ୍ଜ (୧୪ଶ, ୨୪ତମ), ଜ୍ୟୋତି (୧୫ଶ, ୩୬ତମ) ଦୁଇଟି ଲେଖାଏ ଗୋଲ୍ ଦେଇଥିଲେ।
ମ୍ୟାଚ୍ ଆରମ୍ଭରୁ ଭାରତ ଆକ୍ରମଣ କରିଥିଲା। ଦ୍ୱିତୀୟ ମିନିଟରେ ଗୁରଜିତ୍ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଏହା ପରେ ଭାରତର ଗୋଲ୍ ଦେବା ଅଭିଯାନ ଜାରି ରହିଥିଲା। ଅନ୍ୟପଟେ ଥାଇଲ୍ୟାଣ୍ଡ ଆରମ୍ଭରୁ ବ୍ୟାକଫୁଟକୁ ଚାଲିଆସିଥିଲା। ଅଲିମ୍ପିକ୍ସରେ ହ୍ୟାଟ୍ରିକ୍ ଗୋଲ୍ ଦେଇଥିବା ଏକମାତ୍ର ଭାରତୀୟ ମହିଳା ଖେଳାଳି ବନ୍ଦନା କଟାରିୟା ସପ୍ତମ ମିନିଟରେ ଦଳ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟର୍ ଶେଷ ହେବାକୁ ଗୋଟିଏ ମିନିଟ୍ ବାକି ଥିବା ବେଳେ ଭାରତ ଲଗାତର ତିନୋଟି ଗୋଲ୍ ଦେଇଥିଲା। ୧୪ଶ ମିନିଟରେ ଲିଲିମା ମିଞ୍ଜ ଓ ଗୁରଜିତ୍ ଏବଂ ୧୫ଶ ମିନିଟରେ ଜ୍ୟୋତି ଗୋଲ୍ ସ୍କୋର କରିଥିଲେ। ଏଥିସହ ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୫-୦ରେ ଆଗୁଆ ହୋଇଥିଲା।
ଭାରତ ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଦବଦବା କାଏମ ରଖିଥିଲା। ଅନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିବା ରାଜୱିନ୍ଦର କୌର୍ ୧୬ଶ ମିନିଟରେ ଫିଲ୍ଡ ଗୋଲ୍ ଦେଇଥିବା ବେଳେ ୨୪ତମ ମିନିଟରେ ଗୁରଜିତ୍ ନିଜର ହ୍ୟାଟ୍ରିକ୍ ଗୋଲ ଦେଇଥିଲେ। ଏହାର ତୁରନ୍ତ ପରେ ଲିଲିମା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ପରବର୍ତ୍ତୀ ମିନିଟ୍ ଅର୍ଥାତ୍ ମ୍ୟାଚର ୨୫ତମ ମିନିଟରେ ଗୁରଜିତ୍ ଆଉଏକ ଗୋଲ୍ ଦେଇଥିଲା ଏବଂ ଏଥିସହ ହାଫ୍ ଟାଇମ୍ ସୁଦ୍ଧା ଭାରତ ୯-୦ ଗୋଲର ଅଗ୍ରଣୀ ହାସଲ କରିଥିଲା।
୩୬ତମ ମିନିଟରେ ଜ୍ୟୋତି ନିଜର ଦ୍ୱିତୀୟ ଗୋଲ୍ ଦେଇଥିଲେ ଏବଂ ଭାରତର ଗୋଲ୍ ସଂଖ୍ୟା ୧୦ରେ ପହଞ୍ଚିଥିଲା। ଏହା ପରେ ସୋନିକା ୪୩ତମ ମିନିଟରେ ନିଜର ପ୍ରଥମ ଗୋଲ୍ ସ୍କୋର କରିଥିଲେ। ଚତୁର୍ଥ କ୍ୱାର୍ଟରରେ ମଧ୍ୟ ଥାଇଲ୍ୟାଣ୍ଡର ଭାଗ୍ୟ ବଦଳିନଥିଲା। ମୋନିକା ୫୫ତମ ମିନିଟରେ ଗୋଟିଏ ଗୋଲ୍ ଦେଇଥିବା ବେଳେ ୫୮ତମ ମିନିଟରେ ଗୁରଜିତ୍ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ଏଥିସହ ଫାଇନାଲ ହୁଇସିଲ୍ ବାସିବା ସୁଦ୍ଧା ଭାରତ ମୁକାବିଲାକୁ ୧୩-୦ ଗୋଲରେ ଜିତି ନେଇଥିଲା। ଆସନ୍ତାକାଲି ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ମାଲେସିଆକୁ ଭେଟିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
