Hockey
ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ପ୍ରଥମଥର ପାଇଁ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍ ଜିତିଛି ଓଡ଼ିଶା। ମଧ୍ୟପ୍ରଦେଶ ଭୋପାଲରେ ଚାଲିଥିବା ଚାମ୍ପିୟନଶିପ୍ର ଫାଇନାଲ ମୁକାବିଲାରେ ଓଡ଼ିଶା ୨-୦ ଗୋଲରେ କର୍ଣ୍ଣାଟକାକୁ ହରାଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଓଡ଼ିଶା ପକ୍ଷରୁ ପୁନମ ବାର୍ଲା ଓ ଅସୀମ କାଞ୍ଚଳନ ବାର୍ଲା ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି।
ଆଜିର ଫାଇନାଲ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ଦୁଇ ଦଳ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲେ। ଆଟାକ ଓ କାଉଣ୍ଟର ଆଟାକରେ ପୂରା ମ୍ୟାଚ୍ରେ ରୋମାଞ୍ଚ ଭରି ଯାଇଥିଲା। ତେବେ ପ୍ରଥମ ଦୁଇଟି କ୍ୱାର୍ଟରରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ତୃତୀୟ କ୍ୱାର୍ଟର୍ରେ ଓଡ଼ିଶାର ମହିଳା ଦଳ ରଣନୀତି ବଦଳାଇଥିଲା। ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ମ୍ୟାଚ୍ର ୩୪ତମ ମିନିଟ୍ରେ ଓଡ଼ିଶା ଟିମର ଷ୍ଟ୍ରାଇକର ପୁନମ ବାର୍ଲା ଦମଦାର ଗୋଲ ସ୍କୋର କରିଥିଲେ। ଫଳରେ ଓଡ଼ିଶା ୧-୦ରେ ଆଗୁଆ ହୋଇ ଯାଇଥିଲା।
ଏହାପରେ କର୍ଣ୍ଣାଟକା ଏହାକୁ ପରିଶୋଧ କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା। କିନ୍ତୁ ଓଡ଼ିଶାର ରକ୍ଷଣ ଭାଗକୁ ଭେଦ କରି ଗୋଲ ସ୍କୋର କରିବା କର୍ଣ୍ଣାଟକା ପାଇଁ ଆଦୌ ସହଜ ହୋଇ ନଥିଲା। କର୍ଣ୍ଣାଟକା ବାରମ୍ବାର ଆଟାକ କରିଥିଲେ ମଧ୍ୟ ଓଡ଼ିଶାର ଖେଳାଳିମାନେ ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ।
ଶେଷ କ୍ୱାର୍ଟରରେ ମଧ୍ୟ କର୍ଣ୍ଣାଟକା ଲଢ଼େଇ କରିଥିଲା। କିନ୍ତୁ ଓଡ଼ିଶାକୁ ଏହାର ଫାଇଦା ପାଇଥିଲା। ମ୍ୟାଚ୍ର ଶେଷ ମିନିଟ୍ ଅର୍ଥାତ୍ ୫୯ ମିନିଟରେ ଓଡ଼ିଶା ପାଇଁ ଅସୀମ କାଞ୍ଚନ ବାର୍ଲା ଦ୍ଵିତୀୟ ଗୋଲ କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ। ଏଥିସହ ଓଡ଼ିଶା କର୍ଣ୍ଣାଟକାକୁ ହରାଇ ପ୍ରଥମଥର ଚାମ୍ପିୟନ ହେବାର ଆଖ୍ୟା ମଧ୍ୟ ଅର୍ଜନ କରିବାକୁ ସକ୍ଷମ ହୋଇଥିଲା।
ଓଡ଼ିଶା ମହିଳା ଦଳର ଏହି ଐତିହାସିକ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି।
ଅନ୍ୟପକ୍ଷରେ ୧୨ତମ ଜାତୀୟ ସିନିୟର ମହିଳା ଚାମ୍ପିୟନଶିପ୍ରେ ହରିଆଣା ୪ର୍ଥ ସ୍ଥାନ ଓ ଝାରଖଣ୍ଡ ୩ୟ ସ୍ଥାନ ହାସଲ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/Hockey-1.jpg)